ଦେବବ୍ରତ ଦାଶ

ଖଇରା: ବିଜେପି ଓ କଂଗ୍ରେସ ଆଶାୟୀଙ୍କ ପାଇଁ ସିମୁଳିଆ ଆସନ ଯେତିକି ଗୁରୁତ୍ବ ରଖୁଛି, ତାଠୁ ଢେର ଅଧିକ ସମ୍ମାନର ପ୍ରଶ୍ନ ହୋଇଛି ଶାସକ ଦଳ ବିଧାୟକଙ୍କ ଗଡ଼ ସୁରକ୍ଷା। ସିମୁଳିଆ ନିର୍ବାଚନମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ଥିଲା। ପରେ ସେ ଧାରାକୁ ଭାଙ୍ଗିଥିଲା ବିଜେଡି। ୨୦୦୯ ମସିହାରେ ପର୍ଶୁରାମ ପାଣିଗ୍ରାହୀ ଏଠାରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ଅସୁସ୍ଥତା କାରଣରୁ ସେ ୨୦୧୪ ନିର୍ବାଚନ ନଲଢ଼ି ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମଇଦାନରେ ଓହ୍ଲାଇଥିଲେ। ବାପାଙ୍କ ବ୍ୟକ୍ତିତ୍ବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପାଇଁ ଜ୍ୟୋତିପ୍ରକାଶ ପ୍ରଥମ ପଦାର୍ପଣରେ ହିଁ ନିର୍ବାଚନ ଜିତିଗଲେ। ସେପଟେ ବିଜେଡି ଟିକେଟ୍‌ ଆଶାରେ ଥିବା ସମାଜସେବୀ ଶଶିକୁମାର ସାହୁ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ୩ ଥରର କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା ଦଳ ଛାଡ଼ି ବିଜେପି ଟିକେଟ୍‌ରୁ ନିର୍ବାଚନ ଲଢ଼ିଲେ। ହେଲେ ସେ ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କଠାରୁ ୧୪ ହଜାର ଭୋଟ୍‌ରେ ପରାସ୍ତ ହେଲେ। ଅନ୍ୟ ପଟେ ଟିକେଟ୍‌ ଆଶାରେ ବିଜେଡିକୁ ଫେରିଥିବା ଟାଣୁଆ ନେତା ଶଶିକୁମାର ସାହୁଙ୍କୁ ପୁଣି ନିରାଶ ହେବାକୁ ପଡ଼ିଥିଲା। ନିର୍ବାଚନ ଜିତିବା ପରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦ ବି ମିଳିଲା। ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ସେ ସମ୍ଭାଳିଥିଲେ।

Advertisment

କଣ୍ଟା ହୋଇଛି ଗୋଷ୍ଠୀ ବିବାଦ, ହ୍ୟାଟ୍ରିକ୍ ବିଜୟ ଉପରେ ପ୍ରଶ୍ନ
ଖୋଲା ଚ୍ୟାଲେଞ୍ଜ ଦେଲେଣି ଶଶୀକୁମାର
ଲଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବିରୋଧୀ

ନିର୍ବାଚନମଣ୍ଡଳୀରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ଦଳରୁ ଯେ ଏଥର କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ, ତାହା ଏବେଠୁ ଜଳଜଳ ଦେଖାଯାଉଛି। ତାଙ୍କ ପାଇଁ ତଣ୍ଟିରେ କଣ୍ଟା ହୋଇଛନ୍ତି ଯୁବନେତା ଶଶିକୁମାର ସାହୁ। ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ଏଠାରେ ବି ଶଶିଙ୍କ ନେତୃତ୍ବରେ ସମାନ୍ତରାଳ ଗୋଷ୍ଠୀ ମୁଣ୍ଡ ଟେକିଛି। ଯଦି ଏଥର ଟିକେଟ୍‌ ନ ମିଳେ, ୨୦୨୯କୁ ମିଳିବ ବୋଲି କଣ ଗ୍ୟାରେଣ୍ଟି? ତେଣୁ ଶଶି ଓ ତାଙ୍କ ଟିମ୍‌କୁ ବିଜେଡି ଶୀର୍ଷ ନେତୃତ୍ବ କେମିତି ‘ମ୍ୟାନେଜ୍‌’ କରିବେ, ତାରି ଉପରେ ସଭଁଙ୍କ ନଜର। ସେହିପରି ହିମାଂଶୁ ଶେଖର ବେହେରାଙ୍କୁ କଂଗ୍ରେସ ଟିକେଟ୍‌ ଦେବ ବୋଲି ଆଲୋଚନା ହେଉଥିବା ବେଳେ ବିଜେପିରୁ ୫ ଜଣ ଆଶାୟୀ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ପଦ୍ମଲୋଚନ ପଣ୍ଡା, ତାଙ୍କର ଦୁଇ ପୁଅ ଯୁବନେତା ନୀଳମାଧବ ପଣ୍ଡା ଓ ବେଣୁମାଧବ ପଣ୍ଡା, ବିଜେପି ରାଜ୍ୟ ପ୍ରଭାରୀ ଠାକୁର ରଞ୍ଜିତ ଦାସ ଓ ଖଇରା ବ୍ଲକ୍‌ ଅଧ୍ୟକ୍ଷା ଅଭିଲିପ୍ପା ସାହୁ ରହିଛନ୍ତି।

ବିଭିନ୍ନ ଦଳର ଟିକେଟ୍‌ ଆଶାୟୀ ଏବେଠୁ ଜନସମର୍ଥନ ସାଉଁଟିବା ଆରମ୍ଭ କରିଦେଲେଣି। ବର୍ତ୍ତମାନର ବିଜେଡି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଏ ଦିଗରେ ପଛରେ ନାହାନ୍ତି। ତେବେ ଦୁଇଥର ବିଧାୟକ ହୋଇଥିବା ଜ୍ୟୋତିପ୍ରକାଶଙ୍କୁ ଏଥର ହ୍ୟାଟ୍ରିକ୍‌ ବିଜୟ ପାଇଁ ଦଳ ଭରସା କରିବ ନା ଆଉ କାହା ପାଇଁ ବାଟ ଛାଡ଼ିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଛାଡ଼ି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଜିତିଥିବା ଅଭିଲିପ୍ସା ସାହୁ ବିଜେପି ସମର୍ଥନରେ ଖଇରା ବ୍ଲକ୍‌ ଅଧ୍ୟକ୍ଷା ହୋଇଥିଲେ। ସେହିପରି ବାବାଜୀ ସାହୁ ବିଜେଡି ସମର୍ଥନରେ ନିର୍ବାଚନ ଜିତିଥିବା ବେଳେ ଦଳ ଛାଡ଼ି ବିଜେପି ସମର୍ଥନରେ ସିମୁଳିଆ ବ୍ଲକ୍‌ ଅଧ୍ୟକ୍ଷ ହୋଇଛନ୍ତି। ଏହାଛଡ଼ା ପଞ୍ଚାୟତ ନିର୍ବାଚନର ୩ ମାସ ପୂର୍ବରୁ ଅନ୍ୟ ଏକ ପ୍ରସଂଗରେ ଜ୍ୟୋତିପ୍ରକାଶ ବିବାଦ ଘେରକୁ ଆସିଥିଲେ। ପଞ୍ଚାୟତ ନିର୍ବାଚନ ପରେ ଜ୍ୟୋତିପ୍ରକାଶଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ବିରୋଧୀଙ୍କର ଏହା ଅପପ୍ରଚାର ଓ କୁତ୍ସାରଟନା ବୋଲି କହିଥିଲେ ଜ୍ୟୋତିପ୍ରକାଶ।