ସୁନ୍ଦରଗଡ଼/ଲେଫ୍ରିପଡ଼ା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ରେ ରହିଛି ଗିରିଙ୍ଗକେଲାର କେଶବ ଚନ୍ଦ୍ର ପୃଷେଠ ପଞ୍ଚାୟତ ଉଚ୍ଚବିଦ୍ୟାଳୟ। ଏହି ସ୍କୁଲ୍ର ବିଶେଷତ୍ବ ହେଉଛି, ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏଯାଏଁ ଜଣେ ବି ବିଦ୍ୟାର୍ଥୀ ଫେଲ୍ ହୋଇନାହାନ୍ତି। ଶିକ୍ଷାଦାନକୁ ନେଇ ଅଭିଭାବକ ସରକାରୀ ସ୍କୁଲ୍କୁ ନାକ ଟେକୁଥିବା ବେଳେ ଏହି ସ୍କୁଲ୍ ତାହାର ଏକ ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୮୯ରେ କିଛି ସ୍ଥାନୀୟ ଶିକ୍ଷାପ୍ରେମୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ସରକାରୀ ସ୍କୁଲ୍ର ମାନ୍ୟତା ପାଇସାରିଛି। ଏବେ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସ୍କୁଲ୍ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିକାଶ କରାଯାଇଛି। ସରକାରଙ୍କ ତରଫରୁ ଛାତ୍ରାବାସ ଯୋଗାଇ ଦିଆଯାଇଥିବାରୁ ପିଲାଙ୍କୁ ସ୍କୁଲ ପାଠପଢ଼ା ବ୍ୟତୀତ ନିୟମିତ ମାଗଣା କୋଚିଂ, ସନ୍ଦେହମୋଚନ କରାଯାଉଛି। ଏଲ୍ଇଡି ମାଧ୍ୟମରେ ଭିଡିଓ ପାଠ୍ୟକ୍ରମ, ଅନ୍ଲାଇନ୍ ପାଠପଢ଼ା ଓ ଉନ୍ନତ ଶୈକ୍ଷିକ ପରିବେଶ ମଧ୍ୟରେ ଏଠି ଗୁଣାତ୍ମକ ଶିକ୍ଷା ପାଉଛନ୍ତି ଛାତ୍ରଛାତ୍ରୀ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଜିପର୍ଯ୍ୟନ୍ତ କେହି କେବେ ଫେଲ୍ ହେବାର ରେକର୍ଡ ନାହିଁ। ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ପାସ୍ କରୁଥିବା ପ୍ରଧାନଶିକ୍ଷକ ଶତ୍ରୁଘ୍ନ ମିଶ୍ର କହିଛନ୍ତି।
ସେହିପରି ୨୦୦୮ରୁ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ ସ୍କୁଲର ୫ ଶହରୁ ଅଧିକ ପିଲା କୃତିତ୍ବ ହାସଲ କରିଥିଲେ। ସେଥିରେ ରାଜ୍ୟ ଓ ଜିଲ୍ଲା ଟପର ମଧ୍ୟ ରହିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସ୍କୁଲ ପଛରେ ନାହିଁ। କ୍ରୀଡ଼ା ଶିକ୍ଷକଙ୍କ ଆଗ୍ରହ ଯୋଗୁ ଖୋଖୋରେ ସ୍କୁଲ ସୁନାମ ଆଣିଛି। ବିଦ୍ୟାଳୟ ଖୋଖୋରେ ଜିଲ୍ଲା ଚାମ୍ପିଅନ ହେବାସହ ଗତ ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ରାଜ୍ୟ ଦଳରେ ସ୍କୁଲର ୬ ଜଣ ପିଲା ସାମିଲ୍ ହୋଇଥିଲେ। ସୀମାନ୍ତର ଏହି ସ୍କୁଲକୁ ଏବେ ଛାତ୍ରଛାତ୍ରୀଙ୍କ ସୁଅ ଛୁଟୁଥିବାବେଳେ ସରକାରୀ ଶିକ୍ଷା କ୍ଷେତ୍ରରେ ଏହା ପ୍ରେରଣାର କେନ୍ଦ୍ର ପାଲଟିଛି। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ୧୦ଟି ଶ୍ରେଷ୍ଠ ସ୍କୁଲ୍ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ସ୍କୁଲ୍ ଭାବେ ସ୍ଥାନ ପାଇ ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ହାସଲ କରିଛି। ଯାହାକି ବିଦ୍ୟାଳୟକୁ ଚର୍ଚ୍ଚାର ପରିସରକୁ ଆଣିଛି।