ସୁନ୍ଦରଗଡ଼ : ଅତି ଚତୁରତାର ସହ ଆବଶ୍ୟକତାଠାରୁ ବହୁଗୁଣ ବ୍ୟୟ ବରାଦ ବା ଅନୁଦାନ ଯୋଗାଇ ସେହି ବାଟରେ ସରକାରୀ ଅର୍ଥ ଚଳୁ କରିବା ହେଉ କି କାମ ନକରି କାଗଜପତ୍ରରେ ଜାଲ୍ ବିଲ୍ କରି ସମୂଳେ ପ୍ରକଳ୍ପ ଅର୍ଥ ହଡ଼ପ କରିବା ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣ କଥା ହୋଇଗଲାଣି। ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅସାଧୁ କର୍ମଚାରୀ ଅତ୍ୟୁତ୍ସାହିତ ହୋଇ ଏହି ବାଗରେ ଲୋକଙ୍କ ହିତରେ ଆସିଥିବା ଅର୍ଥର ବାଟମାରଣା କରିଚାଲିଛନ୍ତି। ସରକାରୀ ଅର୍ଥ ହଡ଼ପ ବା ଅନିୟମିତତା ଅଭିଯୋଗକୁ ନେଇ ଆଇଟିଡିଏ, ଗ୍ରାମ୍ୟ ଜଳଯୋଗାଣ, ଡିଏମ୍ଏଫ୍ ଆଦି ସଂସ୍ଥା ଚର୍ଚ୍ଚାରେ ରହିଥିଲା। ଏହାର ଏକ ସଦ୍ୟ ଉଦାହରଣ ଆସିଛି ଜିଲ୍ଲାର ଟାଙ୍ଗରପାଲି ବ୍ଲକ୍ରୁ।
ଟାଙ୍ଗରପାଲି ବ୍ଲକ୍ ଉଜ୍ଜ୍ବଳପୁର ପଞ୍ଚାୟତ ଅନ୍ତର୍ଗତ କର୍ଲାପଡ଼ା ଗାଁର ବସନ୍ତ ପଟେଲଙ୍କ ଘରଠାରୁ ସନାତନ ବୁଡ଼ଙ୍କ ଘର ପର୍ଯ୍ୟନ୍ତ ୮୦ ଫୁଟର ପକ୍କାରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଲା। କନିଷ୍ଠଯନ୍ତ୍ରୀଙ୍କୁ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ଦିଆଗଲା। ଏହା ପରେ ତିଆରି ହେଲା ମଷ୍ଟରରୋଲ, ପ୍ରସ୍ତୁତ ହେଲା ବିଲ୍। ସେଥିରେ ଶ୍ରମିକଙ୍କ ନାମ ଦରଜ କରି ଦିଆଗଲା ମଜୁରି। କିନ୍ତୁ ବାସ୍ତବରେ କୌଣସି ରାସ୍ତା ନିର୍ମାଣ ହେଲାନାହିଁ। ଏପରିକି ମଷ୍ଟରରୋଲରେ ଥିବା ଶ୍ରମିକମାନେ ମଧ୍ୟ କାମ କରି ନଥିବା ଓ ମଜୁରି ସମ୍ପର୍କରେ ଅଜ୍ଞ ରହିଲେ। କେବଳ କାଗଜପତ୍ରରେ ମିଛ ବିଲ୍ କରି ହଡ଼ପ କରି ନିଆଗଲା ୩ ଲକ୍ଷ ୫୭ ହଜାର ଟଙ୍କା। ଏଥିପାଇଁ ଦୁଇଟି ଯୋଜନାରେ ଅର୍ଥ ବିନିଯୋଗ କରାଯାଇଥିବା ଦର୍ଶାଯାଇଛି। ୨୦୨୧-୨୨ ଆର୍ଥିକବର୍ଷରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗରୁ ୨ ଲକ୍ଷ ଟଙ୍କା ଓ ଜିଲ୍ଲାପରିଷଦ ଅଂଶଧନରୁ ଯୋଗାଇ ଦିଆଯାଇଥିଲା ୧.୫୭ ଲକ୍ଷ ଟଙ୍କା। ତେବେ ଅତି ଚତୁରତାର ସହ ଗୋଟିଏ ଯୋଜନା ବସନ୍ତ ପଟେଲଙ୍କ ଘରଠାରୁ ସନାତନ ବୁଡ଼ଙ୍କ ଘର ଓ ଅନ୍ୟ ଯୋଜନାରେ ତାକୁ ଓଲଟାଇ ସନାତନ ବୁଡ଼ଙ୍କ ଘରଠାରୁ ବସନ୍ତ ପଟେଲଙ୍କ ଘର ଲେଖି ଫାଇଲ୍ ଖୋଲାଯାଇଛି।
ସୂଚନା ଅଧିକାର ଆଇନରେ ଏ ସମ୍ପର୍କିତ ସୂଚନା ମିଳିବା ପରେ ଏ ମିଛ ବିଲ୍ କଥା ସାମ୍ନାକୁ ଆସିଛି। ଏହି କାମର ମଷ୍ଟରରୋଲରେ ଶ୍ରମିକ ଭାବେ କାର୍ଯ୍ୟସ୍ଥଳଠାରୁ ୩ କିଲୋମିଟର ଦୂର ତୁମ୍ବାପାଲିର ବିନୋଦ ବାରିକ, ଗୋବିନ୍ଦ ମାଝୀ, ନୀଳାମ୍ବର ଢେଲକି, କୁବେର ସା, ଟିକନାଥ ବିରଗଣ୍ଠିଆ, ମାଲୁ ମୁଣ୍ଡା, କୁମର ମୁଣ୍ଡା, କୁନୁ ମୁଣ୍ଡା, ରାମ କମାରଙ୍କ ନାମ ଦରଜ କରାଯାଇଛି। ସେମାନଙ୍କୁ ୨୨.୧୨.୨୦୨୧ରୁ ୨୮.୧୨.୨୦୨୧ ଯାଏ କାମ କରିଥିବା ଦର୍ଶାଇ ମଜୁରି ବାବଦକୁ ୯ ଜଣ ଶ୍ରମିକଙ୍କୁ ୧୭ ହଜାର ୬୮୫ ଟଙ୍କା ଦିଆଯାଇଥିବା ଉଲ୍ଲେଖ ରହିଛି। କିନ୍ତୁ ସେହି ଶ୍ରମିକମାନେ କାମ କରି ନଥିବା କି ମଜୁରି ପାଇ ନଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ କର୍ଲାପଡ଼ା ଗାଁରେ ଶ୍ରମିକ ଥିଲେ ମଧ୍ୟ ସେମାନଙ୍କ ନାମ ମଷ୍ଟରରୋଲରେ ଉଲ୍ଲେଖକଲେ ଧରାପଡ଼ିଯିବା ଭୟ ଥିବାରୁ ଏପରି କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ବ୍ଲକ୍ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ତଦନ୍ତ କରାଯିବ କହି ଦିନ ଗଡ଼ାଇ ନିଆଯାଇଥିବା ସୂଚନା ଅଧିକାର କର୍ମୀ ସନ୍ତୋଷ ଆଚାର୍ଯ୍ୟ ପ୍ରକାଶ କରି ଜିଲ୍ଲାପାଳ ଏହାର ସରଜମିନ ତଦନ୍ତ କରି ଏଥିରେ ଜଡ଼ିତ ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସାଢ଼େତିନି ଲକ୍ଷ ଟଙ୍କାର ଏ ପ୍ରକଳ୍ପଟି ଛୋଟ, କିନ୍ତୁ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାରେ କିଭଳି ଖୋଲା ବାଟମାରଣା ଚାଲିଛି ଏହା ତାର ଉଦାହରଣ ମାତ୍ର। ଅନେକ ବଡ଼ ପ୍ରକଳ୍ପରେ ଆହୁରି ବଡ଼ ବଡ଼ ହେରଫେର ଚାଲିଛି।