ଏମିତି ଆମ ଦେଶର ସ୍ବାସ୍ଥ୍ୟସେବା: ୨୨ ଏମ୍‌ସରେ ଅଛନ୍ତି ୭ ନିର୍ଦ୍ଦେଶକ, ଭୁବନେଶ୍ବର ଏମ୍‌ସରେ ଔଷଧ ସଂକଟ

ଭୁବନେଶ୍ବର: ଦେଶରେ ଶ୍ରେଷ୍ଠ ସରକାରୀ ହସ୍ପିଟାଲ କହିଲେ ସାଧାରଣତଃ ଏମ୍‌ସକୁ ବୁଝାଯାଏ। ଏମ୍‌ସ କେବଳ ରୋଗୀ ସେବା ପାଇଁ ଶ୍ରେଷ୍ଠ ନୁହେଁ; ସ୍ବାସ୍ଥ୍ୟସେବା ପାଇଁ ଡାକ୍ତର, ନର୍ସ ଭଳି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବାରେ ବି ଏହି ସଂସ୍ଥାର ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଦେଶରେ ଅଧିକ ସଂଖ୍ୟାରେ ଏମ୍‌ସ ନିର୍ମାଣ କରିବାକୁ ସରକାର ଯୋଜନା କଲେ। ଏବେ ଦେଶରେ ୨୨ଟି ଏମ୍‌ସ କାର୍ଯ୍ୟକ୍ଷମ। ମାତ୍ର ପରିତାପର କଥା ବହୁ ଏମ୍‌ସରେ ଏବେ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। ୨୨ ନିର୍ଦ୍ଦେଶକ ସ୍ଥାନରେ ମାତ୍ର ୭ ଜଣ ନିର୍ଦ୍ଦେଶକ ଅଛନ୍ତି। ଜଣେ ଜଣେ ନିର୍ଦ୍ଦେଶକ ଏକାଧିକ ଏମ୍‌ସର ଦାୟିତ୍ବରେ ଅଛନ୍ତି। ଏମିତି ଏକାଧିକ ଏମ୍‌ସ ଦାୟିତ୍ବରେ ଥିବା ନିଦ୍ଦେର୍ଶକମାନେ କୌଣସି ଗୋଟିଏ ଏମ୍‌ସର ପରିଚାଳନା ଭଲରେ କରିପାରୁନଥିବା ଅଭିଯୋଗ ହେଉଛି। ଭୁବନେଶ୍ବର ଏମ୍‌ସ ଏହାର ବଡ଼ ଉଦାହରଣ। ଦିଲ୍ଲୀ ଏମ୍‌ସ ପରେ ଭୁବନେଶ୍ବର ଦେଶର ଦ୍ବିତୀୟ ଶ୍ରେଷ୍ଠ ଏମ୍‌ସର ମାନ୍ୟତା ପା‌ଇଥିଲେ ସ୍ଥାୟୀ ନିର୍ଦ୍ଦେଶକ ନଥିବାରୁ ଏବେ ବହୁ ସମସ୍ୟା‌ ଦେଇ ଗତିକରୁଛି। ଏମିତିକି ଏଠାରେ ଏବ‌େ ଔଷଧ ସଂକଟ ରୋଗୀମାନଙ୍କ ପାଇଁ ବଡ଼ ସମସ୍ୟା ଠିଆ କରାଇଛି।

ଗତ ଡିସେମ୍ବର ୧୯ରେ ନିର୍ଦେଶକ ଗୀତାଞ୍ଜଳି ବି’ଙ୍କ କାର୍ଯ୍ୟକାଳ ସମାପ୍ତ ହେଲା। ପରେ ପରେ ଡିସେମ୍ବର ୨୦ ରୁ ଭୁବନେଶ୍ବର, ଭୋପାଳ, ପାଟନା, ଋଷିକେଶ, ଗୌହାଟି, ଅବନ୍ତିପୁର ଏବଂ ଦରଭଙ୍ଗା ଏମ୍‌ସ ପାଇଁ ସ୍ଥାୟୀ ନିର୍ଦେଶକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଶର ଅଭିଜ୍ଞ ତଥା ଯୋଗ୍ୟତାସମ୍ପନ୍ନ ୧୨୪ ପ୍ରଫେସର ଏହି ଦୌଡ଼ରେ ଥିଲେ। ଏମ୍‌ସ ଭଳି ସ୍ବୟଂଶାସିତ ସଂସ୍ଥାର ନିର୍ଦେଶକ ପଦବି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ସରିବ ବୋଲି ଆଶା କରାଯାଉଥିଲା। ମାତ୍ର ଆଜି ଯାଏ ତାହା ହୋଇପାରିଲାନାହିଁ। ବର୍ତ୍ତମାନ ମଙ୍ଗଳଗିରି ଏମ୍‌ସର ନିର୍ଦେଶକଙ୍କୁ ଭୁବନେଶ୍ବର ଏମ୍‌ସର ଦାୟିତ୍ବ ଦିଆଯାଇଛି। ସେ ବିଭିନ୍ନ ସମୟରେ ଭୁବନେଶ୍ବର ଏମ୍‌ସ ଆସୁଥିଲେ ମଧ୍ୟ ବହୁ ଜରୁରୀ କାର୍ଯ୍ୟକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି।

ଏହାର ପରିଣାମ ସ୍ବରୂପ ଏବେ ଏଠାରେ ବ୍ୟାପକ ଔଷଧ ସଙ୍କଟ ଦେଖାଦେଉଛି। ଅଧିକାଂଶ ରୋଗୀଙ୍କୁ ରିହାତି ଦରରେ ଔଷଧ ମିଳିପାରୁନାହିଁ ବୋଲି ପ୍ରତିଦିନ ଅଭିଯୋଗ ହେଉଛି। ନିୟମାନୁସାରେ, ଭୁବନେଶ୍ବର ଏମ୍‌ସ ପକ୍ଷରୁ ପ୍ରତି ମାସରେ ପ୍ରାୟ ୨ କୋଟି ଟଙ୍କାର ଔଷଧ କ୍ରୟ କରାଯାଇଥାଏ। ଏହାବାଦ୍‌ ଯେଉଁ ଜରୁରୀ ଔଷଧର ଆବଶ୍ୟକ ହୁଏ, ନିର୍ଦେଶକ ନିଜ କ୍ଷମତା ବଳରେ କ୍ରୟ ବ୍ୟବସ୍ଥା କରନ୍ତି। ମାତ୍ର ଏବେ ଅଧିକାଂଶ ସମୟରେ ଭାରପ୍ରାପ୍ତ ନିର୍ଦେଶକ ଅନୁପସ୍ଥିତ ଥିବାରୁ ଏହା ହୋଇପାରୁନାହିଁ। ସେହିଭଳି ଆହୁରି ଅନେକ ସମସ୍ୟା ମଧ୍ୟ ଅସମାହିତ ହୋଇ ରହିଛି। ଗତ ଡିସେମ୍ବର ମାସରୁ ଏମ୍‌ସର ବର୍ଣ୍ଣ ସେଣ୍ଟର ଓ ଧର୍ମଶାଳା ନିର୍ମାଣ ସମାପ୍ତ ହୋଇସାରିଛି। କିନ୍ତୁ ସ୍ଥାୟୀ ନିର୍ଦ୍ଦେଶକ ନଥିବାରୁ ଏହି ଦୁଇ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନାହିଁ। ବର୍ତ୍ତମାନ ସ୍ଥିତିରେ କୌଣସି ବ୍ୟକ୍ତି ୩୦ରୁ ୫୦ ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ତାଙ୍କୁ ଏଠା‌ରେ ଚିକିତ୍ସା ସେବା ମିଳୁନାହିଁ। ତାଙ୍କୁ ଅନ୍ୟତ୍ର ରେଫର୍‌ କରାଯାଉଛି। ବର୍ଣ୍ଣ ସେଣ୍ଟର କ’ଣ ପାଇଁ ଉଦ୍‌ଘାଟିତ ହୋଇପାରୁନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ। ସେହିଭଳି ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ରହଣି ପାଇଁ ଧର୍ମଶାଳା ନିର୍ମାଣ ସରିଥିବା ବେଳେ ଆସବାବପତ୍ର ମଧ୍ୟ କିଣାସରିଥିବା ଜଣାପଡ଼ିଛି। ମାତ୍ର ଉଦ୍‌ଘାଟନ କରାଯାଉନାହିଁ। ଫଳରେ ଶହଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହସ୍ପିଟାଲ ବାହାରେ ଖରା, ବର୍ଷା, କାକରରେ ପଡ଼ୁଛନ୍ତି।

ଦୀର୍ଘ ବର୍ଷର ଅପେକ୍ଷା ପରେ ରାଜ୍ୟ ସରକାର ଏମ୍‌ସ ସୁପରସ୍ପେସାଲିଟି ସେଣ୍ଟର ପାଇଁ ଜମି ଯୋଗାଇଦେଲେ। ଏଥିପାଇଁ ଭୂମି ପୂଜନ ମଧ୍ୟ ହେଲା। ମାତ୍ର ଉକ୍ତ ଜମିରେ ଇଟା ଖଣ୍ଡେ ପଡ଼ିପାରିନାହିଁ। ଏହିଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଏବେ ତ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ଓପିଡି ସେବା ଆରମ୍ଭ ହେଉଛି ବୋଲି ଅଭିଯୋଗ ହେଉଛି। ସେହିଭଳି ଏକକାଳୀନ ଦୁଇ ଦୁଇ ଦିନ ଧରି ଆଇସିୟୁ ଏସି ବନ୍ଦ ରହୁଛି। ଫଳରେ ଗୁରୁତର ରୋଗୀମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ସେବା ମିଳୁଛି, ତାହା ସହଜରେ ଅନୁମେୟ। ଏବେ ପୁଣି ଦିଲ୍ଲୀରେ ମହାମାରୀ କରୋନା ଦେଖାଦେଲାଣି। ଓଡ଼ିଶାକୁ ମାଡ଼ି ଆସିବା ଆଶଙ୍କା ସୃଷ୍ଟି ହେଲାଣି। ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସ୍ଥାୟୀ ନିର୍ଦେଶକ ରହିବା ଜରୁରୀ। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଏମ୍‌ସ ଭୁବନେଶ୍ବରରେ ସ୍ଥାୟୀ ନିର୍ଦେଶକ ନିଯୁକ୍ତି କରିବା ପାଇଁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର