ଝାରସୁଗୁଡ଼ା: ଶିଳ୍ପ ଓ ଖଣିବହୁଳ ଜିଲ୍ଲା ଝାରସୁଗୁଡ଼ାରେ ସ୍ବାସ୍ଥ୍ୟାବସ୍ଥାର ସ୍ଥିତି ସଙ୍ଗିନ ରହିଛି। ଜିଲ୍ଲାର ୪ଟି ସିଏଚ୍ସି ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଅସ୍ତ୍ରୋପଚାର ସେବା ଯୋଗାଇ ଦେବା ପାଇଁ ୨୦୧୮ ମସିହାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୨.୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ପାଣ୍ଠି ଅସ୍ତ୍ରୋପଚାର ଗୃହ ମରାମତି ଓ ପୁନରୁଦ୍ଧାର ନାଁରେ ଆସିଥିବା ବେଳେ କେଉଁଠି ଛାତରେ ଗ୍ରିଡିଂ କରାଯାଇଛି ତ ଆଉ କେଉଁଠି କି କାମ ହୋଇଛି ତାହା ହସ୍ପିଟାଲ କର୍ତ୍ତୃପକ୍ଷ ବି ଜାଣିନାହାନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସର୍ଜରି ଡାକ୍ତର ନଥିବା ଦର୍ଶାଇ ଏହି ଅସ୍ତ୍ରୋପଚାର ଗୃହରେ ଏବେ ଆଉ ଅସ୍ତ୍ରୋପଚାର ହେଉନଥିବାବେଳେ କେଉଁଠି ଏହା ନର୍ସ ରୁମ୍ ତ କେଉଁଠି ରେଷ୍ଟ ରୁମ୍ ଭାବେ ବ୍ୟବହାର କରାଯାଉଛି। ଏନେଇ ପ୍ରତିକ୍ରିୟା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏମ୍ଏମ୍ ପଣ୍ଡାଙ୍କୁ ପଚାରିବାରୁ, ଶଲ୍ୟ ବିଶେଷଜ୍ଞ (ସର୍ଜରି ସ୍ପେସାଲିଷ୍ଟ) ନଥିବାରୁ ଓଟି ଚାଲିବା ସମ୍ଭବ ହେଉନଥିବା କହିଛନ୍ତି। ତେବେ ଷ୍ଟିଚ୍ ଓ ଛୋଟମୋଟ ଅସ୍ତ୍ରୋପଚାର ସେଠାରେ କରାଯାଉଥିବା ଡା. ପଣ୍ଡା କହିଛନ୍ତି।
ଓଟି ନାଁରେ ଡିଏମ୍ଏଫ୍ରୁ ୧୨ ଲକ୍ଷର ଅର୍ଥଶ୍ରାଦ୍ଧ
ସୂଚନା ଅନୁସାରେ, ୨୦୧୮ ମସିହାରେ ଝାରସୁଗୁଡ଼ା ଜିଲ୍ଲାର ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଅସ୍ତ୍ରୋପଚାର ଗୃହର ପୁନରୁଦ୍ଧାର ପାଇଁ ଡିଏମ୍ଏଫ୍କୁ ପ୍ରକଳ୍ପ ଆସିଥିଲା। ସିଏଚ୍ସି କୋଲାବିରା ପାଇଁ ୨ ଲକ୍ଷ ୧୩ ହଜାର ଟଙ୍କା, ସିଏଚ୍ସି ଲଖନପୁର ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା, କିର୍ମିରା ସିଏସ୍ସି (ପୁରୁଣା) ପାଇଁ ୨ ଲକ୍ଷ ୯୮ ହଜାର ଟଙ୍କା ଓ ମୁନ୍ଦ୍ରାଜୋର୍ ସିଏଚ୍ସି ପାଇଁ ୪ ଲକ୍ଷ ୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି ସମସ୍ତ ପ୍ରକଳ୍ପ ପାଇଁ ୨୦୧୮ ମସିହା ମେ’ ୮ ତାରିଖରେ ମଞ୍ଜୁରି ମିଳିଥିବାବେଳେ ଟଙ୍କା ମଧ୍ୟ ରିଲିଜ୍ ହୋଇଯାଇଥିଲା। ଡିଏମ୍ଏଫ୍ ରେକର୍ଡରେ ଏହିସବୁ ପ୍ରକଳ୍ପ କାମ ଶେଷ ହୋଇସାରିଥିବା ଦର୍ଶାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କିଭଳି କାର୍ଯ୍ୟକ୍ଷମ ରହିଛି ସେନେଇ ଯାଞ୍ଚ କରିବାରେ ସମସ୍ତ ଓଟିରୁମ୍ର ସ୍ଥିତି ଅନୁରୂପ ରହିଛି। ଅସ୍ତ୍ରୋପଚାର ଗୃହକୁ ନର୍ସମାନଙ୍କ ବିଶ୍ରାମ ଗୃହ ଭାବେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଉକ୍ତ ଅସ୍ତ୍ରୋପଚାର ଗୃହ ପାଇଁ ଉଦ୍ଦିଷ୍ଟ ବେଡ୍କୁ ଛାଡ଼ି ଅତିରିକ୍ତ ବେଡ୍ ପଡ଼ିଥିବା ବେଳେ ସେଥିରେ ତକିଆ, ବେଡ୍ସିଟ୍ ପକାଇ ଏସି ଚଳାଇ କର୍ମଚାରୀମାନେ ବିଶ୍ରାମ ନେଉଛନ୍ତି। ମୁନ୍ଦ୍ରାଜୋର୍ ସିଏଚ୍ସିକୁ ଉଦାହରଣ ଭାବେ ନିଆଯାଉ। ୧୯୯୧ ମସିହାରୁ ଏଠାରେ ଅସ୍ତ୍ରୋପଚାର ଗୃହ ସ୍ଥାପିତ ହୋଇଥିବା ବେଳେ ଏଠାରେ ପରିବାର ନିୟୋଜନ ଓ ପ୍ରସବ ଭଳି ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ ୨୦୧୮ ମସିହା ପରଠାରୁ ସର୍ଜରି ଡାକ୍ତର ନଥିବାରୁ ଏଠାରେ କୌଣସି ଅସ୍ତ୍ରୋପଚାର ଆଉ ହେଉନଥିବା ଜଣାପଡ଼ିଛି।
ସେହିଭଳି କିର୍ମିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ପୁରୁଣା ଅସ୍ତ୍ରୋପଚାର ଗୃହରେ ପୂର୍ବରୁ ହାଇଡ୍ରୋସିଲ୍, ହାର୍ଣ୍ଣିଆ ଭଳି ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ ୨୦୧୮ ମସିହାରେ ଆସିଥିବା ପାଣ୍ଠିରେ ଅସ୍ତ୍ରୋପଚାର ଗୃହର କ’ଣ ମରାମତି ହେଲା ତାହା ଏବର ଅଧିକାରୀ ଓ କର୍ମଚାରୀଙ୍କୁ ବି ଜଣାନାହିଁ। ନୂଆ କୋଠାକୁ ହସ୍ପିଟାଲ ସ୍ଥାନାନ୍ତର ହେବା ପରେ ଉକ୍ତ ଅସ୍ତ୍ରୋପଚାର ଗୃହ ଏବେ ଅଲୋଡ଼ା ହୋଇପଡ଼ିଛି। କିନ୍ତୁ ପୁନରୁଦ୍ଧାର ପାଇଁ ଟଙ୍କା ଖର୍ଚ୍ଚ ପରେ କିର୍ମିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ବି ଅସ୍ତ୍ରୋପଚାର କରାଯାଇନଥିବା ସୂଚନା ମିଳିଛି। ଜିଲ୍ଲାରେ ମାତ୍ର ୨ ଜଣ ସର୍ଜରି ସ୍ପେସାଲିଷ୍ଟ ଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ କରାଯାଇଛି। ଫଳସ୍ବରୂପ ସିଏଚ୍ସିଗୁଡ଼ିକରେ ଥିବା ସର୍ଜରି ସ୍ପେସାଲିଷ୍ଟ ପଦ ଫାଙ୍କା ପଡ଼ିଛି। ଅନ୍ୟପଟେ ନିଶ୍ଚେତକ ଡାକ୍ତର ସଙ୍କଟ ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ବେଳେବେଳେ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁ ନଥିବାବେଳେ ସିଏଚ୍ସିଗୁଡ଼ିକ କଥା ପଚାରେ କିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/dgdagdgdg-2025-10-29-02-50-31.jpg)