ରିତେନ୍ଦ୍ର ଛାଟୋଇ
ବାଲେଶ୍ବର: ବାଲେଶ୍ବର ସହରର ୧୦ କିମି ପରିଧି ମଧ୍ୟରେ ରହିଛି ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ (ଏଫ୍ଏମ୍ ଏମ୍ସିଏଚ୍), ଏମ୍ସ ସାଟେଲାଇଟ୍ ସେଣ୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏହି କାରଣରୁ ବାଲେଶ୍ବର ଉନ୍ନତ ସ୍ବାସ୍ଥ୍ୟସେବାର ହବ୍ ପାଲଟିବ ବୋଲି ଆଶା କରାଯାଉଥିଲା। ହେଲେ ବିଭାଗୀୟ ଅବହେଳା, ପରିଚାଳନାଗତ ତ୍ରୁଟି ଆଦି କାରଣରୁ ଏହା ଆଶାରେ ରହିଛି। ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ୨୦୨୪ ମାର୍ଚ୍ଚରୁ ରେମୁଣାସ୍ଥିତ ନିଜସ୍ବ କୋଠାରେ କାର୍ଯ୍ୟକ୍ଷମ ହୋଇଛି। ହେଲେ ୭ଟି ବିଭାଗରେ ପ୍ରଫେସର କିମ୍ବା ବିଭାଗୀୟ ମୁଖ୍ୟ ନାହାନ୍ତି। ଫିଜିକାଲି ମେଡିସିନ୍ ଆଣ୍ଡ୍ ରିହାବିଲିଟେସନ (ପିଏମ୍ଆର୍), ଅର୍ଥପେଡିକ୍, ବାୟୋକେମେଷ୍ଟ୍ରି, ମାଇକ୍ରୋ ବାୟୋଲୋଜି, ରେଡିଓଲୋଜି ବିଭାଗରେ ପ୍ରଫେସର ଖାଲିପଡ଼ିଛି। ଆନାଟୋମି, ବୋୟୋଲୋଜି, ମାଇକ୍ରୋ ବାୟୋଲୋଜି, ଏଫ୍ଏମ୍ଟି ବିଭାଗରେ ୧୨ଟି ଆସୋସିଏଟ୍ ପ୍ରଫେସର ଖାଲି ପଡ଼ିଥିବା ବେଳେ ଚର୍ମ ଓ ସର୍ଜରି, ରେଡିଓଲୋଜି ବିଭାଗରେ ୧୪ଟି ସିନିୟର ରେସିଡେଣ୍ଟ୍, ୧୪ଟି ଜୁନିୟର ରେସିଡେଣ୍ଟ୍, ୩ଟି ଟ୍ୟୁଟର୍, ଗୋଟିଏ ଆସିଷ୍ଟାଣ୍ଟ୍ ପ୍ରଫେସର ପଦ ଖାଲିପଡ଼ିଛି। ଏହିପରି ମୋଟ ୫୨ଟି ପଦବି ଖାଲି ପଡ଼ିଛି। ଫଳରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ରୋଗୀସେବା ବାଧାପ୍ରାପ୍ତ ହେଉଛି।
କାର୍ଡିଓଲୋଜି, ନ୍ୟୁରୋଲୋଜି ବିଭାଗ ଖୋଲୁନି
୭ ଗୁରୁତ୍ବପୂର୍ଣ୍ଣ ବିଭାଗ ମୁରବିଶୂନ୍ୟ
ରେଫରାଲ୍ ସେଣ୍ଟରର ଦୁର୍ନାମ ମୁଣ୍ଡାଇଲାଣି
୫୨ ପଦ ଖାଲି, ଡାକ୍ତରୀ ଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ
ସେହିପରି ଦିନକୁ ଦିନ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏଠାରେ ଏଯାଏଁ କାର୍ଡିଓଲୋଜି ବିଭାଗ ଖୋଲାଯାଇନି। ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଲୋଜି, ନେଫ୍ରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲି ନ ଥିବାରୁ ହଜାର ହଜାର ରୋଗୀ ନିରାଶ ହୋଇ ପୂର୍ବ ଭଳି କଟକ, ଭୁବନେଶ୍ବର ଦୌଡ଼ୁଛନ୍ତି। ମାରାତ୍ମକ କ୍ୟାନସର ରୋଗର ଚିକିତ୍ସା ନିମନ୍ତେ ଅଙ୍କୋଲୋଜି ବିଭାଗ ଖୋଲିବାକୁ ଗତ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ନୂଆ ସରକାର ଏହି ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ଅଭିଯୋଗ ହେଉଛି। ଏସବୁ ଅବହେଳା ଯୋଗୁ ରେଫରାଲ୍ ସେଣ୍ଟରର ଦୁର୍ନାମ ମୁଣ୍ଡାଇଛି ଏହି ମେଡିକାଲ କଲେଜ ଓ ହସ୍ପିଟାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/fm-collage-2025-11-05-01-34-17.jpg)