ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମାରେ ୫ ବର୍ଷରେ ଓଡ଼ିଶାରୁ ୭୮୬୬୩୨ ଲକ୍ଷ ଟଙ୍କା ପ୍ରିମିୟମ ପାଇଛି ବୀମା କମ୍ପାନି। କିନ୍ତୁ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ଦେଇଛି ମାତ୍ର ୩୪୬୦୮୩ ଲକ୍ଷ ଟଙ୍କା। ସେଥିରେ ପୁଣି ୨୦୧୯ ମସିହାରେ ଓଡ଼ିଶାର ୩.୯୫ ଲକ୍ଷ ଚାଷୀ ବୀମାରୁ ଲାଭ ପାଇଥିଲେ। କିନ୍ତୁ ୨୦୨୩ ବେଳକୁ ଏହି ସଂଖ୍ୟା ୧.୫୭ ଲକ୍ଷକୁ ଖସି ଆସିଥିଲା। ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଏହି ରିପୋର୍ଟ ସାମନାକୁ ଆସିଛି।
ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶାରେ ଏଭଳି କୌଣସି ବର୍ଷ ନାହିଁ; ଯେଉଁଠି ଅଦିନିଆ ବର୍ଷା, ମରୁଡ଼ି କିମ୍ବା କରାମାଡ଼ ହୋଇ ନାହିଁ। ଏଥିଯୋଗୁଁ ଚାଷୀମାନେ ହିଁ ବହୁଳଭାବେ କ୍ଷତିଗ୍ରସ୍ତ ହୁଅନ୍ତି। ଖାସ୍ ଏଥିପାଇଁ ଓଡ଼ିଆ ଚାଷୀଙ୍କ ବୀମାର ଆବଶ୍ୟକତା ସର୍ବାଧିକ ଥିବା କୁହାଯାଏ। ‘କୃଷକ ଓଡ଼ିଶା ପୋର୍ଟାଲ’ର ତଥ୍ୟ ଅନୁସାରେ ଓଡ଼ିଶାରେ ୮୮ ଲକ୍ଷ ୬୭ ହଜାର ୯୨୪ ଚାଷୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲ୍ର ସୂଚନା ମୁତାବକ ଚଳିତବର୍ଷ ଆଜି ସୁଦ୍ଧା ୨୨ ଲକ୍ଷ ୪୮ ହଜାର ୭୪୫ ଚାଷୀ ବୀମାଭୁକ୍ତ ହୋଇଛନ୍ତି। ଏଥିପାଇଁ କମ୍ପାନି ୧୫୧୦୭୮ ଲକ୍ଷ ଟଙ୍କା ପ୍ରିମିୟମ ପାଇସାରିଛି। କିନ୍ତୁ ୨୦୨୩ ମସିହାରେ ଯେତେ ଚାଷଜମି ବୀମାଭୁକ୍ତ ହୋଇଥିଲା, ଏ ବର୍ଷ ପୁରୁଣା ସଂଖ୍ୟାକୁ ଛୁଇଁପାରି ନାହିଁ। ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଲାଭାନ୍ବିତ ଚାଷୀଙ୍କ ସଂଖ୍ୟା ୨୦୨୩ ମସିହାରେ ସର୍ବନିମ୍ନ ଥିଲା। କିନ୍ତୁ ଗତବର୍ଷ କମ୍ପାନି ଦ୍ବିତୀୟ ସର୍ବାଧିକ ପରିମାଣର ପ୍ରିମିୟମ ପାଇଥିଲା। ସୂଚନା ଅନୁଯାୟୀ, ୨୦୧୬ ମସିହା ଜାନୁଆରି ମାସରେ ବରଗଡ଼ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଘୋଷଣା ହୋଇଥିଲା। ଯାହା ପୂର୍ବର ଫସଲ ବୀମାର ସ୍ବରୂପଠାରୁ ଭିନ୍ନ ଥିଲା। ଏଥିରେ ଚାଷୀଙ୍କ ସହିତ ଉଭୟ ରାଜ୍ୟ, କେନ୍ଦ୍ର ସରକାର ପ୍ରିମିୟମ ଦାଖଲ କରନ୍ତି।
କମିଛି ଲାଭ ପାଇଥିବା ଚାଷୀଙ୍କ ସଂଖ୍ୟା
ଏହା ବଦଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କମ୍ପାନି କ୍ଷତିପୂରଣ ଦିଅନ୍ତି। କିନ୍ତୁ ବାସ୍ତବିକତା ହେଲା, ଏହି ପ୍ରକ୍ରିୟାରେ ବୀମା କମ୍ପାନି ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ପାଉଛି। କିନ୍ତୁ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାର ଲାଭ ମିଳୁନାହିଁ। ସରକାରୀ ଖର୍ଚ୍ଚର ଲାଭ ଚାଷୀଙ୍କ ପାଖକୁ ନ ଯାଇ କମ୍ପାନି ପାଖରେ ରହିଯାଉଥିବା ଚାଷୀ ସଙ୍ଗଠନଗୁଡ଼ିକ ଅଭିଯୋଗ କରୁଛନ୍ତି। ଚାଷୀଙ୍କ କହିବା ଅନୁସାରେ, ବୀମା କମ୍ପାନି ପକ୍ଷରୁ କୌଣସି ବର୍ଷ ନିର୍ଦ୍ଧାରିତ ସମୟରେ କ୍ଷତିପୂରଣ ଦାଖଲ କରାଯାଏ ନାହିଁ। ଏହାକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନିୟମିତ ବୈଠକ ହୋଇଥାଏ। ସରକାରଙ୍କ ତାଗିଦକୁ ମଧ୍ୟ ମଧ୍ୟ ବୀମା କମ୍ପାନି ଶୁଣୁନଥିବା ଭଳି ଘଟଣା ବିଗତ ଦିନରେ ଘଟିଛି। ଯେଉଁମାନେ ବୀମାର ଲାଭ ପାଆନ୍ତି ସେମାନଙ୍କ କ୍ଷତିର ଭରଣା ହୁଏ। କିନ୍ତୁ ଅଧିକାଂଶ ଚାଷୀଙ୍କୁ କ୍ଷତିପୂରଣ ପାଇବା ପ୍ରକ୍ରିୟାରୁ ବାଦ ଦିଆଯାଉଛି। ମରୁଡ଼ି ପ୍ରଭାବିତ ଚାଷୀ ସବୁଠୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି। ୨୦୨୪ ଅଦିନିଆ ବର୍ଷା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବୀମା କମ୍ପାନିକୁ ରାଜସ୍ବ ମନ୍ତ୍ରୀ ସିଧାସଳଖ ଟାର୍ଗେଟ୍ ମଧ୍ୟ କରିଛନ୍ତି। ଏ ପରିପ୍ରେକ୍ଷୀରେ ଚଳିତ ଅଦିନିଆ ବର୍ଷାର ମାଡ଼ ବୀମାଭୁକ୍ତ ଚାଷୀଙ୍କ କ୍ଷତରେ କେତେ ମଲମ ଦେଇପାରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/T9raKD2N3amohRsK9zHM.jpg)