ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଏମିତି; ବର୍ଷକୁ ଖର୍ଚ୍ଚ ୨୦ କୋଟି, ଗାଡ଼ିର ଦେଖାନାହିଁ

ସେବା ଯୋଗାଇବାକୁ କର୍ମଚାରୀ ବି ନାହାନ୍ତି

କଟକ: ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ସୁଫଳ ଚାଷୀଙ୍କୁ ମିଳୁନାହିଁ। ବର୍ଷକୁ ଏହି ଯୋଜନ‌ାରେ ୨୦କୋଟି ଟଙ୍କା ଖର୍ଚ୍ଚ ହେଉଛି ମାତ୍ର ଲୋକେ ଏପର୍ଯ୍ୟନ୍ତ ଗାଡ଼ି ଦେଖାନାହାନ୍ତି। ଏପରିକି, ସେବା ଯୋଗାଇବା ପାଇଁ କର୍ମଚାରୀ ନଥିବା ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହି ସେବା ପାଇଁ ଏକ ଏମ୍‌ଭି ୟୁନିଟ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦୨୧ରେ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ନିଜସ୍ବ ଯୋଜନାରେ ଗାଁକୁ ଗାଁ, ଘରକୁ ଘର ବୁଲି ଏହି ସେବା ଯୋଗାଇ ଦେବାର ନିୟମ କରାଯାଇଥିଲା। ଅନ୍ ସ୍ପଟ ଡାଇଗ୍ନୋଷ୍ଟିକ, ନମୁନା ପରୀକ୍ଷା କରିବା, ପ୍ରାଣୀଙ୍କ ରୋଗ ଚିହ୍ନଟ କରିବା, ସଚେତନତା ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା। ଟିକାକରଣ କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ଥିଲା। ପ୍ରତି ଏମଭି ୟୁନିଟରେ ଜଣେ ଭିଏଏସ, ଜଣେ ଲାଇଭଷ୍ଟକ୍ ଆସିଷ୍ଟାଣ୍ଟ୍, ଜଣେ ଏମଭିୟୁ ଆଟେନଣ୍ଡାଣ୍ଟ ରହିବାର ନିୟମ ରହିଥିବାବେଳେ ଅନେକ ବ୍ଲକରେ ଭିଏଏସ ପଦବି ଖାଲି ପଡିଛି। ଗୋଟିଏ ୟୁନିଟ୍ ଅତିକମରେ ୨୦ଟି ଶିବିର କରିବା ସହିତ ସେମାନେ ୪୦ଟି ଗାଁକୁ ଯିବା ବାଧ୍ୟତାମୂଳକ। ଗୋଟିଏ ଏମଭି ୟୁନିଟ୍ ଅତି କମରେ ୧୦୦୦ ପ୍ରାଣୀଙ୍କ ଚିକିତ୍ସା କରିବେ। ୨୦୦୦ରୁ ଅଧିକ ପ୍ରାଣୀଙ୍କୁ ଟିକାକରଣ କରିବା ସହିତ ୪୦ଟି ନମୁନା ପରୀକ୍ଷା ପାଇଁ ପଠାଇବେ ଏବଂ ୮୦ଟି ନମୁନା ଘଟଣାସ୍ଥଳରେ ପରୀକ୍ଷା କରିଥିବେ।

ମାତ୍ର ଏ ସବୁ କେବଳ କାଗଜପତ୍ର ନିୟମରେ ରହିଯାଇଛି। ଭଡ଼ାରେ ମିଳିଥିବା ଗାଡ଼ି ଅନ୍ୟ କାମରେ ଲାଗୁଛି। ଜାଲ ଦସ୍ତଖତ, ଜାଲ୍ ଶିବିର, ବ‌୍ୟାନର ଟାଙ୍ଗି ଫଟୋ ଉଠାଇ ଏହାର ବିଲ୍ କରାଯାଉଛି। ଅଧିକାରୀ, କର୍ମଚାରୀ ସହମତିରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ଦିଗହରା ହୋଇଛି। ଜିଲ୍ଲା ଓ ବ୍ଲକସ୍ତରରେ ଏହାର ଯାଞ୍ଚ ବି କରାଯାଉନାହିଁ। ରାଜ୍ୟରେ ଏଥିପାଇଁ ୨୨୫ ଜଣ ଲାଇଭଷ୍ଟକ ଆସିଷ୍ଟାଣ୍ଟଙ୍କୁ ବର୍ଷକୁ ୨ କୋଟି ୭୦ ଲକ୍ଷ, ୩୧୪ ଏମଭି ୟୁନିଟ୍ ଗାଡି ଭଡା ପାଇଁ ୧୨କୋଟି, ତେଲ ପାଇଁ ୪କୋଟି ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଯୋଜନା କାର୍ଯ୍ୟକାରିତା ଆଳରେ ବର୍ଷକୁ ହାରାହାରି ୨୦ କୋଟି ଟଙ୍କା ପାଣିରେ ପଡୁଛି। ଚାଷୀଙ୍କ କହିବା କଥା ହେଉଛି ଯେ ଗ‌୍ରାମାଞ୍ଚଳରେ ସେମାନେ ଏଭଳି ସେବା ମିଳୁଥିବା କଥା ଶୁଣି ନାହାନ୍ତି କି ଦେଖି ନାହାନ୍ତି।

ଗୋଟିଏପଟେ, ରାଜ୍ୟର ପ୍ରାଣୀ ଚିକିତ୍ସା ବ୍ୟବସ୍ଥାରେ ଏହିଭଳି ଗୁରୁତର ବିଭ୍ରାଟ ଦେଖାଦେଇଥିବାବେଳେ ଅନ୍ୟପଟେ ତଥ୍ୟ ଓ କାଗଜପତ୍ରରେ ସବୁ କିଛି ଠିକ୍ ଚାଲୁଥିବା ଦର୍ଶାଯାଉଛି। କଟକରେ ଥିବା ନିର୍ଦ୍ଦେଶାଳୟର ଅଧିକାରୀମାନେ ଅନେକ ଯୋଜନା ଉପରୁ ଲଗାମ ଛାଡ଼ି ଦେଇଥିବାରୁ ଜିଲ୍ଲା ଓ ବ୍ଲକସ୍ତରରେ ପ୍ରାଣୀ ଚିକିତ୍ସା ‌ସେବା ଦୟନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି। ସେହିଭଳି, ରାଜ୍ୟରେ ୩୦୦ରୁ ଅଧିକ ଭିଏଏସ୍‌ ପଦବି ଖାଲି ପଡ଼ିଥିବାବେଳେ ତାହା ପୂରଣ କରାଯାଉନାହିଁ। ଦୁଇବର୍ଷ ହେଲା ଏଥିପାଇଁ ପରୀକ୍ଷା ହୋଇନାହିଁ। ଏପରିକି କାର୍ଯ୍ୟ କରୁଥିବା ଭିଏଏସଙ୍କୁ ଜଣେ ଆଟେନଣ୍ଡାଣ୍ଟ୍ ମିଳୁନାହିଁ। ଡାକ୍ତର ନିଜେ ଇଂଜେକସନ ଦେବା ସହିତ ସବୁ କାମ ନିଜେ କରୁଛନ୍ତି। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଲଦି ଚାଲିଛନ୍ତି। ଭିତ୍ତିଭୂମି ନଥିବାରୁ ଅନେକ ଯୋଜନା କେବଳ ନାମକୁ ମାତ୍ର ଚାଲିଛି ବୋଲି ଜଣେ ଅଧିକାରୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର