କଟକ: ରାଜ୍ୟରେ ବାର୍ଷିକ ହାରାହାରି ୨ ହଜାର ସାଇବର୍ ଅପରାଧ ମାମଲା ରୁଜୁ ହେଉଛି। ଏତେ ସଂଖ୍ୟକ ମାମଲାରେ ସାଇବର୍ ଅପରାଧରେ ବ୍ୟବହୃତ ଡିଜିଟାଲ୍ ପ୍ରମାଣର ପରୀକ୍ଷା ରିପୋର୍ଟ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି ଦେବାକୁ ପାଖାପାଖି ୩ ବର୍ଷ ସମୟ ଲଗାଇ ଦେଉଛି। ରିପୋର୍ଟ ଠିକ୍ ସମୟରେ ହସ୍ତଗତ ହେଉ ନଥିବାରୁ ତଦନ୍ତ ଅଗ୍ରଗତିରେ ବାଧା ସୃଷ୍ଟି ସହିତ ଅଦାଲତରେ ମାମଲାର ଶୁଣାଣି ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ବର୍ତ୍ତମାନର ସାଇବର୍ ଅପରାଧ ଯୁଗରେ ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ଥିବା ସାଇବର୍ ଫରେନ୍ସିକ୍ ଡିଭିଜନ୍ର ଏଭଳି ଦୁର୍ବଳ ବ୍ୟବସ୍ଥା ଉଦ୍ବେଗ ସୃଷ୍ଟି କରିଛି।
ପରୀକ୍ଷଣ ପାଇଁ ଅଛନ୍ତି ମାତ୍ର ୨ ବିଶେଷଜ୍ଞ
ବାର୍ଷିକ ୨ ହଜାର ମାମଲା
ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟରେ ମୋଟ ୬ ହଜାର ୩୬୮ଟି ସାଇବର୍ ଅପରାଧ ଜନିତ ମାମଲା ରୁଜୁ ହୋଇଛି। ୨୦୨୧ରେ ୨ ହଜାର ୩୭ଟି ମାମଲା ହୋଇଥିବା ବେଳେ ୨୦୨୨ରେ ୧୯୮୩ଟି, ୨୦୨୩ରେ ୨୩୪୮ଟି ମାମଲା ରୁଜୁ ହୋଇଛି। ଏହି ତିନି ବର୍ଷ ମଧ୍ୟରେ ମୋଟ ୧୨୫ କୋଟି ୬୩ ଲକ୍ଷ ୧୭ ହଜାର ୬୭୪ ଟଙ୍କା ଠକେଇ ହୋଇଛି। ଏଥିରୁ ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଜବତ ହୋଇଛି। ରୁଜୁ ହୋଇଥିବା ମାମଲାଗୁଡ଼ିକରେ ମାତ୍ର ୧୩୮୮ ଜଣ ସାଇବର୍ ଅପରାଧୀ ଗିରଫ ହୋଇଛନ୍ତି। ସାଇବର୍ ଅପରାଧରେ ଅଭିଯୁକ୍ତଙ୍କ ନିକଟରୁ ଜବତ ହେଉଥିବା ମୋବାଇଲ୍ ଫୋନ୍, ହାର୍ଡ ଡିସ୍କ, ମେମୋରି କାର୍ଡ ଇତ୍ୟାଦିର ଅନୁଶୀଳନ କରିବାକୁ ତଦନ୍ତକାରୀ ଅଧିକାରୀ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି(ଏସ୍ଏଫ୍ଏସ୍ଏଲ୍)କୁ ପଠାଇଥାନ୍ତି। ସେଠାରେ ଥିବା ସାଇବର୍ ଫରେନସିକ୍ ଡିଭିଜନ୍ରେ ଉପରୋକ୍ତ ଡିଜିଟାଲ୍ ସାମଗ୍ରୀଗୁଡ଼ିକର ପରୀକ୍ଷା ହୋଇଥାଏ। ଯଦି କୌଣସି ଆପତ୍ତିଜନକ ଫଟୋ ସୋସିଆଲ୍ ମିଡିଆରେ ପୀଡ଼ିତାଙ୍କ ଭାଇରାଲ୍ ହୋଇଥାଏ, ତେବେ ଏହି ଫଟୋ ଅସଲି କି ନକଲି ଏ ସଂକ୍ରାନ୍ତରେ ମଧ୍ୟ ସାଇବର୍ ଫରେନସିକ୍ ଡିଭିଜନ୍ର ସାଇଣ୍ଟିଫିକ୍ ଏକ୍ସପର୍ଟଙ୍କୁ ମତାମତ ମଗାଯାଇଥାଏ। ଅନେକ ସମୟରେ ମୋବାଇଲ୍ର ମେମୋରି, ଡିଜିଟାଲ୍ କ୍ୟାମେରାର ମେମୋରି କାର୍ଡ କିମ୍ବା କମ୍ପ୍ୟୁଟର୍ ହାର୍ଡଡିସ୍କରେ ଡିଲିଟ୍ ହୋଇଥିବା ତଥ୍ୟ ପୁଣି ଥରେ କାଢ଼ିବା ପାଇଁ ସାଇବର୍ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଥାଏ। ମୁଖ୍ୟତଃ ଡିଜିଟାଲ୍ ପ୍ରମାଣ ସମ୍ପର୍କିତ ପରୀକ୍ଷା ଏହି ସାଇବର୍ ଫରେନସିକ୍ ଡିଭିଜନ୍ରେ କରାଯାଏ। ଜବତ ସାମଗ୍ରୀର ପରୀକ୍ଷା ଏବଂ ଅନୁଶୀଳ କରିବା ପାଇଁ ଏସ୍ଏଫ୍ଏସ୍ଏଲରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଦେଖା ଦେଇଛି। ନିର୍ଦ୍ଦିଷ୍ଟ ଭାବେ ଜବତ ସାମଗ୍ରୀର ପରୀକ୍ଷା ପାଇଁ ମାତ୍ର ଦୁଇ ଜଣ ସାଇଣ୍ଟିଫିକ୍ ଅଫିସର ପଦବି ମଞ୍ଜୁର ହୋଇଛି। ଏହି ଦୁଇ ଜଣ ହିଁ ବାର୍ଷିକ ପ୍ରାୟ ୨ ହଜାର ମାମଲାର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ମାନବ ସମ୍ବଳର ଅଭାବ ଯୋଗୁଁ ଏସ୍ଏଫ୍ଏସ୍ରୁ ରିପୋର୍ଟ ଆସିବାକୁ ଅଢ଼େଇରୁ ୩ ବର୍ଷ ସମୟ ଲାଗିଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।
କ୍ରାଇମବ୍ରାଞ୍ଚ ଅଧୀନରେ କାର୍ଯ୍ୟ କରୁଥିବା ଏସ୍ଏଫ୍ଏସ୍ଏଲ୍ରେ ସାଇବର୍ ଫରେନ୍ସିକ୍ ଡିଭିଜନ୍ ସମେତ କେମେଷ୍ଟ୍ରି, ଟକ୍ସିକୋଲୋଜି, ବାୟୋଲୋଜି, ସେରୋଲଜି, ଫିଜିକ୍ସ, ବାଲାଷ୍ଟିକ୍, ଲାଏ-ଡିଟେକ୍ସନ, ଡିଏନ୍ଏ ଇତ୍ୟାଦି ବିଭାଗ କାର୍ଯ୍ୟ କରୁଛି। ଭୁବନେଶ୍ବର ରସୁଲଗଡ଼ରେ ଥିବା ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି ସମେତ ୩୬ଟି ଡିଏଫ୍ଏସ୍ଏଲ୍ ଓ ୩ଟି ଆଞ୍ଚଳିକ ଫରେନ୍ସିକ୍ ସାଇନ୍ସ ଲାବରେଟୋରିରେ ମୋଟ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ପ୍ରାୟ ୨୫୦। ଏଥିରୁ ୬୧ ପ୍ରତିଶତ ପଦବି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ସାଇବର୍ ମାମଲା ସମେତ ଅନ୍ୟ ମାମଲାଗୁଡ଼ିକରେ ବି ପରୀକ୍ଷା ରିପୋର୍ଟ ଦେବାକୁ ବର୍ଷ ବର୍ଷ ସମୟ ଲାଗିଯାଉଛି।