ବଲାଙ୍ଗୀର: ନୂଆଁଖାଇ ସମୟରେ ବଲାଙ୍ଗୀର ଜିଲ୍ଲାର ଲକ୍ଷାଧିକ ଦାଦନ ସର୍ଦ୍ଦାରଠାରୁ ଅଗ୍ରିମ ଆଣିଥିଲେ। ଏବେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଯିବା ଆରମ୍ଭ କରିଛନ୍ତି। ରେଳ ଷ୍ଟେସନ୍‌ରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ଯିବା ପାଇଁ ଦାଦନ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭିଡ଼ ଲାଗୁଛି। ସରକାର ଏହି ଦାଦନ ସୁଅ ରୋକିବାକୁ ସ୍କ୍ବାଡ୍‌ ଗଠନ କଲେ। କିନ୍ତୁ ସମସ୍ତଙ୍କ ଆଖି ସାମନାରେ ଦାଦନ ଯାଉଛନ୍ତି। ଦୈନିକ ହଜାର ହଜାର ଦାଦନ ରେଳ ଷ୍ଟେସନ୍‌ରେ ଭିଡ଼ ଜମାଉଛନ୍ତି। ହେଲେ ବର୍ଷେ ହେଲା ଗଠନ ହୋଇଥିବା ଟାସ୍କଫୋର୍ସର ଦେଖାନାହିଁ। ଅନ୍ୟପକ୍ଷରେ ଜିଲ୍ଲାରେ ଦାଦନ ସୁଅ ରୋକିବାକୁ ପ୍ରଶାସନିକ ପ୍ରକ୍ରିୟା କିଭଳି ଚାଲିଛି, ତାହା ଆର୍‌ଟିଆଇ ତଥ୍ୟରୁ ସ୍ପଷ୍ଟ। ଜିଲ୍ଲାରେ କେତେ ଦାଦନ ୨୦୨୪-୨୫ ଏବଂ ୨୦୨୫-୨୬ରେ ବାହାର ରାଜ୍ୟକୁ ଗଲେ, ତା’ର ତଥ୍ୟ ସୂଚନା ଅଧିକାର ବଳରେ ବଲାଙ୍ଗୀର ଶ୍ରମ ବିଭାଗକୁ ମଗାଯାଇଥିଲା। ବିଡ଼ମ୍ବନା ହେଉଛି, ଏହି ଦୁଇ ବର୍ଷରେ ଜିଲ୍ଲାରୁ କେତେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି, ସେ ନେଇ ବିଭାଗ ପାଖରେ କିଛି ତଥ୍ୟ ନାହିଁ। ଏପରିକି ଦାଦନ ଖଟି ଯାଇଥିବା ଲୋକଙ୍କ ପରିବାରବର୍ଗଙ୍କ ସମ୍ପର୍କରେ ବି ବିଭାଗ ପାଖରେ ସୂଚନା ନାହିଁ। 

Advertisment

ଗଲେ କେତେ, ମଲେ କେତେ?
ଶ୍ରମ ବିଭାଗ ପାଖରେ ତଥ୍ୟ ନାହିଁ

ତହସିଲ ଅଫିସ, ପୁଲିସ, ଶ୍ରମ ବିଭାଗ, ରେଳବାଇ ପୁଲିସ, ଶିଶୁ କଲ୍ୟାଣ ସମିତି ସଦସ୍ୟ ଓ ଏନ୍‌ଜିଓ ସଦସ୍ୟଙ୍କୁ ନେଇ ଟାସ୍କଫୋର୍ସ ଗଠନ ହୋଇଛି। ହେଲେ କେଉଁ ତଥ୍ୟକୁ ନେଇ ଟାସ୍କଫୋର୍ସ ଦାଦନ ମୁକାବିଲା କରିବ, ତାହା ବୁଝା ପଡ଼ୁନାହିଁ। ଦୁଇଟି ସୂଚନାରେ କିଛି ତାଳମେଳ ନଥିବାରୁ ଟାସ୍କଫୋର୍ସର ସ୍ଥିତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାରେ କେତେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ତାର ହିସାବ କାହା ପାଖରେ ନାହିଁ। ଦାଦନ ଗଲା ବେଳେ ବି ଗଣତି ନାହିଁ କିମ୍ବା ଫେରିବା ବେଳେ ସଂଖ୍ୟାର ହିସାବ ନାହିଁ। ଗୋଟିଏ ଦୁଇଟି ଚଢ଼ଉରେ ହିଁ ଟାସ୍କଫୋର୍ସ ନିଜ କାମ ସାରିଦେବ। ଏଥର ବି ସ୍ବାଭାବିକ ଭାବେ ଜିଲ୍ଲାରୁ ଲକ୍ଷାଧିକ ଦାଦନ ବାହାର ରାଜ୍ୟକୁ ଯିବେ ବୋଲି ବୁଦ୍ଧିଜୀବୀ ମହଲରୁ ମତପ୍ରକାଶ ପାଉଛି।