ରାଜ୍ୟ‌ରେ ଏମିତି ଚାଲିଛି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ତିନି ମାସ ହେଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ନାହାନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ୍‌ ବିବାଦ ଭିତରେ ଛନ୍ଦି ହୋଇ ଲମ୍ବା ଛୁଟିରେ ଯାଇଛନ୍ତି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କୁଳପତି ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣି ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଲେଣି। ଉଚ୍ଚଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ମାନ ବଢ଼ାଇବାକୁ ତତ୍ପର। ମାତ୍ର କିଛି ମାସ ହେଲା ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟର ସ୍ଥିତି ଖରାପ ହେବାରେ ଲାଗିଛି। ବିଶ୍ବବିଦ୍ୟାଳୟ ଏକ ସାମୂହିକ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଯେଉଁଭଳି ଅବ୍ୟବସ୍ଥା ଦେଇ ଗତି କରୁଛି ତାହାକୁ ଦେଖିଲେ କେହି ବି କହିବନି ଯେ ସବୁ କିଛି ଠିକ୍‌ ଚାଲିଛି ବୋଲି। କେଉଁଠି କୁଳପତିଙ୍କ ମନମାନି ତ ଆଉ କେଉଁଠି ମୁରବି ଶୂନ୍ୟ। ପାଠପଢ଼ା ତ ଯେନତେନ ପ୍ରକାରେ ଚାଲିଛି। ମାତ୍ର ଗବେଷଣା ଓ ସମ୍ପ୍ରସାରଣ ଠପ୍‌। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ବର୍ଷ ବର୍ଷ ହେଲା ପିଏଚ୍‌ଡି ନାମଲେଖା ହୋଇପାରୁ ନାହିଁ।

କୃଷି ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ସ୍ଥାଣୁତା
ବିବାଦ‌ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଛୁଟିରେ
ବିପିୟୁଟି କୁଳପତିଙ୍କ ବିରୋଧରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଲେ

ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା ଲାଗି ପ୍ରତିଷ୍ଠା ହୋଇଥିବା ଏକମାତ୍ର ଶିକ୍ଷାନୁଷ୍ଠାନ ଓୟୁଏଟିରେ ଏବେ ସ୍ଥାୟୀ କୁଳପତି ନାହାନ୍ତି। ଏପ୍ରିଲରେ କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ଶ୍ରୀ ଚୋପ୍ରା ଗୃହ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ବି ସମ୍ଭାଳୁଛନ୍ତି। ତେଣୁ ଓୟୁଏଟି ପାଇଁ ସେ କେତେ ସମୟ ଦେଉଥିବେ, ତାହା ସହଜରେ ଅନୁମେୟ। ତିନି ମାସ ମଧ୍ୟରେ ସେ କେତେ ଦିନ କାର୍ଯ୍ୟାଳୟ ଆସିଛନ୍ତି ତାହା କାହାକୁ ବି ଜଣାନାହିଁ। ଏବେ ସେ ୧୫ ଦିନିଆ ଛୁଟିରେ ଅଛନ୍ତି। ତାଙ୍କ ସ୍ଥାନରେ କୃଷି ବିଭାଗ ଦାୟିତ୍ବରେ ଥିବା ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥିଭାତନନ୍‌ ଏବେ ଓୟୁଏଟିର ଭାରପ୍ରାପ୍ତ କୁଳପତି ଦାୟିତ୍ବ ମଧ୍ୟ ସମ୍ଭାଳୁଛନ୍ତି। ନୂତନ କୁଳପତି ଚୟନ ନେଇ ୬ ମାସ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ହାଇକୋର୍ଟରେ ମାମଲା ଥିବାରୁ ଚୟନ ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ।


ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ୍‌ ଦାୟିତ୍ବ ନେବା ଦିନଠାରୁ ହିଁ ବିବାଦରେ ରହିଥିଲେ। ବିନା ଅନୁମତିରେ କ୍ୟାମ୍ପସ ଭିତରେ ଗଛ କାଟିବାକୁ ନେଇ ସେ ପ୍ରଥମେ ବିବାଦ ଘେରକୁ ଆସିଥିଲେ। ପରବର୍ତୀ ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କୁ ଗାଳିଗୁଲଜ ଏବଂ ସେ ଆତ୍ମହୁତି କରିବା ଘଟଣା ପାଇଁ ପ୍ରଫେସର ମିତ୍ତଲ୍‌ ହାଇକୋର୍ଟଙ୍କୁ ଟଣା ହୋଇଥିଲେ। ଏଲ୍‌ ଆର ଲ’ କଲେଜର ୬୨ ଲକ୍ଷ ଟଙ୍କାକୁ ବେଆଇନ ଭାବେ ବିଶ୍ବବିଦ୍ୟାଳୟ ଖାତାକୁ ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ। ବିଶ୍ବବିଦ୍ୟାଳୟର ୨୯ ଲକ୍ଷ ଟଙ୍କାର ହେର୍‌ଫେର୍‌ କରି ଧରାପଡ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଟଙ୍କ‌ା ଫେରାଇବା ସହ ଏବେ ଛୁଟିରେ ଯାଇଛନ୍ତି।

ବିପିୟୁଟି ନିଯୁକ୍ତିରେ ଅନିୟମିତତା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରି ଭୁବନେଶ୍ବରରେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ ବର୍ତମାନର କୁଳପତି ପ୍ରଫେସର ତ୍ରିପାଠୀ ପୂର୍ବରୁ ଭିସୁଟ୍‌ ବୁର୍ଲାର କୁଳପତି ରହିଥିଲେ। ତେଣୁ ସେଠାରେ ଥିବା ତାଙ୍କ ଅନୁଗତମାନଙ୍କୁ ବିପିୟୁଟିରେ ନିଯୁକ୍ତି ଦେଉଛନ୍ତି। ଏବେ ବିପିୟୁଟିର ତିନିଟି ପ୍ରମୁଖ ପଦବିରେ ଭିସୁଟ୍‌ରେ ତାଙ୍କ ଅନୁଗତ ଥିବା ୩ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ମସୁଧା କରୁଛନ୍ତି। ବିପିୟୁଟି ଅଧୀନ କେନ୍ଦୁଝର ଓ କଳାହାଣ୍ଡି ଜିଇସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨୦୧୯ରୁ ସରିଯାଇଥିଲେ ମଧ୍ୟ ସେମାନଙ୍କୁ ଦୁଇ ବର୍ଷ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା, ପ୍ଲେସମେଣ୍ଟରେ ବି ଦୁର୍ନୀତି ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଅତ୍ୟାଧୁନିକ ଲ୍ୟାବ୍‌, ଲାଇବ୍ରେରି ନାହିଁ। କିନ୍ତୁ କୁଳପତି ନିଜ ବାସଭବନ ସୌନ୍ଦର୍ଯ୍ୟୀକରଣ କରୁଛନ୍ତି।


ଅପର ପକ୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମା‌ସେରୁ ଅଧିକ ସମୟ ହେଲା ଛୁଟିରେ ଅଛନ୍ତି। ନିଜର ବ୍ୟକ୍ତିଗତ କାର୍ଯ୍ୟଲାଗି ଲମ୍ବା ଛୁଟିରେ ଅଛନ୍ତି। ଅଗଷ୍ଟ ମାସରେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ୫୦୦ କୋଟି ଟଙ୍କା ପଡ଼ି ରହିଥିବା ବେଳେ କର୍ତୃପକ୍ଷ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାରଙ୍କୁ ଟଙ୍କା ମାଗିବା ଘଟଣାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗିରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ଚଣ୍ଡୀଖୋଲରେ ବିଶ୍ବବିଦ୍ୟାଳୟର ରୁରାଲ୍‌ କ୍ୟାମ୍ପସର ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗିରହିଛି। ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନୂତନ କୁଳପତି ଚୟନ ଲାଗି ଚାଲିଥିବା ପ୍ରକ୍ରିୟା ଏବେ ଅଧାରେ ଅଟକିଛି।

ସମ୍ବନ୍ଧିତ ଖବର