ଭୁବନେଶ୍ବର : ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି। ମାତ୍ର ପଢ଼ାଇବାକୁ ଆବଶ୍ୟକୀୟ ପ୍ରଫେସର ନାହାନ୍ତି। ଏପରିକି ଯେତିକି ମଞ୍ଜୁରିପ୍ରାପ୍ତ ପଦବି ରହିଛି ସେଥିରୁ ୫୭% ଖାଲି ପଡ଼ିଛି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଦବି ମଞ୍ଜୁର ହୋଇନାହିଁ। ଏବେ ଏବେ ଘୋଷଣା ହୋଇଥିବା ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ପୁରାତନ ଶିକ୍ଷାନୁଷ୍ଠାନ କଥା ନ କହିବା ଭଲ। କେଉଁଠି ୪ ଜଣ ପ୍ରଫେସର ତ ଆଉ କେଉଁଠି ୬ଜଣରେ ଚାଲିଛି ପାଠପଢ଼ା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ ୧୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୨ଟି ବିଶ୍ବବିଦ୍ୟାଳୟ ଲାଗି ୧୬୮୬ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସର ପଦ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୯୬୦ ପଦବି ଖାଲି ପଡ଼ିଛି।
ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ୪୬ ପ୍ରଫେସର, ୭୫ ସହଯୋଗୀ ପ୍ରଫେସର ଓ ୧୨୩ ସହକାରୀ ପ୍ରଫେସରଙ୍କ ମଧ୍ୟରୁ ଅଧା ଖାଲି ରହିଛି। ଏବେ ଏଠାରେ ୩୩ଜଣ ପ୍ରଫେସର, ୩୯ଜଣ ଲେଖାଏ ସହଯୋଗୀ ଓ ସହକାରୀ ପ୍ରଫେସର ନାହାନ୍ତି। ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୮୨ରୁ ୮୩ ଖାଲି ଥିବା ବେଳେ ସମ୍ବଲପୁରରେ ୧୫୩ରୁ ୬୩, ରେଭେନ୍ସାରେ ୨୬୭ରୁ ୧୫୬, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିବି) ବିଶ୍ବବିଦ୍ୟାଳୟରେ ୧୧୫ରୁ ୬୪, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୩୮ରୁ ୧୮, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ରୁ ୪୩, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ରୁ ୭୭, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୧୪୪ରୁ ୭୨, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୫୦ରୁ ୫୦, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୨୬ରୁ ୧୧୫ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ୧୧୨ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସରଙ୍କ ମଧ୍ୟରୁ ୧୦୮ଟି ଖାଲି ପଡ଼ିଛି। ଖଲ୍ଲିକୋଟ, ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟ ଶିକ୍ଷକ ପଦବି ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଉଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।
ବିଶ୍ବବିଦ୍ୟାଳୟରେ ପିଏଚ୍ଡି କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କିତ ଶ୍ରୀ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏବର୍ଷ ୧୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୬ଟିରେ ଆଦୌ ପିଏଚ୍ଡି ହୋଇନାହିଁ। ବାକି ୯ଟି ମଧ୍ୟରୁ ଉତ୍କଳରେ ୩୫୭, ବ୍ରହ୍ମପୁରରେ ୫୨୭, ସମ୍ବଲପୁରରେ ୪୭୦, ରେଭେନ୍ସାରେ ୫୬୧, ଏମ୍ଏସ୍ସିବିରେ ୪୨୩, ଫକୀର ମୋହନରେ ୪୯୭, ଗଙ୍ଗାଧର ମେହେରରେ ୩୪, ରମାଦେବୀରେ ୨ ଓ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ୫୩ଜଣ ଛାତ୍ରଛାତ୍ରୀ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି।