ଭୁବନେଶ୍ବର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଅଖିମୁଠି ଅନୁକୂଳ କରିବ। ପାଗ ବଦଳିଥିବାରୁ ଚାଷୀ ସାମାନ୍ୟ ଆଶ୍ବସ୍ତ। ହେଲେ ସବୁ ଚାଷୀଙ୍କ ହାତରେ ସରକାର ନିଜସ୍ବ ବିହନ ପହଞ୍ଚାଇପାରିଲେ ନାହିଁ।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସରକାର ଆସନ୍ତା ମାସରୁ ବିହନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଅର୍ଥାତ୍ ସେଯାଏ ଚାଷୀ ଅପେକ୍ଷା କରି ରହିବ। ହେଲେ ଏଥର ଚାଷୀ ଚାହିଁଲେ, ଆଗତୁରା ସେ କେଉଁ ବିହନ କେତେ ଚାହୁଁଛି, ସେ ନେଇ ସିଧାସଳଖ ନିଗମ ପାଖରେ ଆବେଦନ କରିପାରିବ, ଏମିତି ବ୍ୟବସ୍ଥା କରାଯାଇଥିବା କହିଛି କୃଷି ବିଭାଗ। ପାଖାପାଖି ୪ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଇବା ଲାଗି ବିଭାଗ ଲକ୍ଷ୍ୟ ରଖି ପ୍ରସ୍ତୁତି ଚଳାଇଛି।
୪ ଲକ୍ଷ କ୍ବିଣ୍ଟାଲ ବିହନ ଉତ୍ପାଦନ ଲକ୍ଷ୍ୟ
ଚାଷୀଙ୍କ ପାଇଁ ନାହିଁ ଅତି ସଅଳ କିସମ
ନୂଆ କିସମ ଧାନ ତିଆରି ହେଉଛି, ଚାଷୀ ପାଖେ ନାହିଁ
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଧାନଚାଷର ପ୍ରାୟ ୧୦ ହଜାର ବର୍ଷର ପୁରୁଣା ଇତିହାସ ରହିଛି। ଅକ୍ଷୟତୃତୀୟାରେ ଅଖିମୁଠି ଅନୁକୂଳର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାରେ ଅନିୟମିତତା ଦେଖାଯାଉଛି ଏବଂ ଧାନ ଚାଷ ସମୟ ବି ଘୁଞ୍ଚି ଘୁଞ୍ଚି ଯାଉଛି। ହେଲେ ଚାଷୀ କିନ୍ତୁ ଏହି ପରମ୍ପରାକୁ ଧରି ଆଗକୁ ବଢ଼ୁଛି। ଗତବର୍ଷ ଧାନ ବିହନ ପାଇଁ ଓଟିପି ଗୋଟିଏ ସମସ୍ୟା ସୃଷ୍ଟି କରିଥିଲା। ଆଳୁ, ପିଆଜ ବିହନ ମଧ୍ୟ ଠିକ୍ ସମୟରେ ଚାଷୀ ପାଇପାରିନଥିଲେ। ଏଥର କିନ୍ତୁ ବିଭାଗ ଦାବି କରିଛି ଯେ ଏ ସମସ୍ୟା ହେବନାହିଁ, ଯିଏ ଯେତେବେଳେ ବିହନ ଖୋଜିବ, ସେବେ ମିଳିବ।
Hindu Tamilକୃଷି ବୈଜ୍ଞାନିକ ଏସଆର ଦାସଙ୍କ କହିବା ଅନୁସାରେ, ଓଡ଼ିଶା କୋରାପୁଟ ଜିଲ୍ଲାର ଜୟପୁର ଠାରେ ପ୍ରଥମ ଧାନ ବିହନର ଆବିଷ୍କାର କରାଯାଇଥିବା କୁହାଯାଏ। ରାଜ୍ୟରେ ଆଜି ମଧ୍ୟ ୨ ହଜାର ପ୍ରକାର ଦେଶୀ ଧାନ ବିହନ ରହିଛି। ଯାହାର ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଥିବା ବିଶ୍ବାସ କରାଯାଏ। ୧୯୪୬ ମସିହାରେ ପ୍ରତିଷ୍ଠା ହୋଇଥିବା କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ଆସନ୍ତାକାଲି ତାର ସ୍ଥାପନା ଦିବସ ପାଳନ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଓୟୁଏଟି ପ୍ରତିଷ୍ଠା ହେଲା। ଉଭୟ ସଂସ୍ଥା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ପ୍ରକାର ଧାନ ବିହନ ବିକଶିତ କରାଯାଇ ପାରିଛି। ଚଳିତ ବର୍ଷ ଚାଷୀ ୯୦ ଦିନିଆ ଖଣ୍ଡଗିରି, ଉଦୟଗିରି, ସହଭାଗୀ, ୧୨୦-୧୨୫ ଦିନିଆ ଲଲାଟ, ମନସ୍ବିନୀ, ୧୩୫ ଦିନିଆଁ ପ୍ରତୀକ୍ଷା, ମଉଡ଼ମଣୀ, ହୀରଣ୍ମୟୀ, ୧୪୫ ଦିନିଆ ମୃଣାଳିନୀ, ସାବିତ୍ରୀ, ଧରିତ୍ରୀ, ଗାୟତ୍ରୀ ଭଳି ବିହନ ପାଇପାରିବେ। ଓୟୁଏଟି ପକ୍ଷରୁ କିଛି ଦିନ ପୂର୍ବରୁ ଯେଉଁ ବିହନ ପ୍ରଦର୍ଶିତ ହୋଇଥିଲା ଚାଷୀଙ୍କ ପାଖକୁ ପହଞ୍ଚିବା ପାଇଁ ସର୍ବନିମ୍ନ ୨ ବର୍ଷ ଲାଗିବ।
କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାଷୀଙ୍କ ଆବଶ୍ୟକତାକୁ ଦେଖି ସରକାରୀ ନିଗମ ବିହନ ଦେଉନଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ଓଡ଼ିଶାକୁ ଅତି ସଅଳ କିସମ ୬୦ରୁ ୯୦ ଦିନିଆ ବିହନର ଆବଶ୍ୟକତା ରହିଛି। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ବିହନ ରକ୍ଷା କରିଥାଏ। ଅତି ସଅଳ କିସମ ବିହନ କଳିଙ୍ଗ-୩ ଏବଂ ହୀରା ବିକଶିତ କରାଯାଇ ଥିଲା। ଦେଶୀ ଧାନ ବିହନ ବ୍ୟାଙ୍କରେ ମଧ୍ୟ ଅତି ସଅଳ କିସମ ଧାନ ବିହନ ରହିଛି। କିନ୍ତୁ ବର୍ତ୍ତମାନ ଏହା ମିଳୁ ନାହିଁ। ବିହନ ନିଗମ ପକ୍ଷରୁ ମଧ୍ୟ ଏହାକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ।
freepik.comରାଜ୍ୟ ଚାଷୀଙ୍କୁ ୧୦ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟକତା ଥାଏ। ଏଥିରୁ ୪ ଲକ୍ଷ କ୍ବିଣ୍ଟାଲ ବିହନ ନିଗମ ପକ୍ଷରୁ ଯୋଗାଣ ହୁଏ। ଚଳିତ ବର୍ଷ ନିଗମ ପକ୍ଷରୁ ସେହି ପରିମାଣର ବିହନ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାକି ବିହନ ଚାଷୀ ନିଜର ପୁରୁଣା ସଂରକ୍ଷିତ ବିହନ ଏବଂ ଜୈବିକ, କମ୍ପାନି ବିହନରୁ ପୂରଣ କରିଥାଏ। ଗତ ଦୁଇ ବର୍ଷ ହେଲା ଓଟିପି ଜନିତ ସମସ୍ୟା ଯୋଗୁଁ ନିର୍ଧାରିତ ସମୟରେ ଚାଷୀଙ୍କୁ ଧାନ ବିହନ ମିଳି ପାରିଲା ନାହିଁ। ଚଳିତ ବର୍ଷ ସ୍ଥିତି କଣ ହେବ ତାହା କୁହାଯାଇ ପାରିବ ନାହିଁ। । ଅଣଧାନ ବିହନରେ ରାଜ୍ୟ ଆଜି ପର୍ଯ୍ୟନ୍ତ ସ୍ବାବଲମ୍ବୀ ହୋଇ ପାରି ନାହିଁ। ଓଡ଼ିଶାକୁ ୧୦ରୁ ୧୨ ହଜାର କ୍ବିଣ୍ଟାଲ ମୁଗ, ୫ ହଜାର କ୍ବିଣ୍ଟାଲ ବିରି, ୧ ହଜାର କ୍ବିଣ୍ଟାଲ ହରଡ଼, ୧୫ ହଜାର କ୍ବିଣ୍ଟାଲ ଚିନାବାଦାମ, ୨୦୦ କ୍ବିଣ୍ଟାଲ ସୂର୍ଯ୍ୟମୁଖୀ, ୧ ହଜାର କ୍ବିଣ୍ଟାଲ ସୋରିଷ, ୨୦୦ରୁ ୨୫୦ କ୍ବିଣ୍ଟାଲ ରାଶି ବିହନର ଆବଶ୍ୟକତା ଥାଏ। ଏହି ବିହନ ପାଇଁ ଜାତୀୟ ବିହନ ନିଗମ ଏବଂ କମ୍ପାନିମାନଙ୍କ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Akhimuthi-dhana-anukula-2.jpeg)