ଭୁବନେଶ୍ବର: ସାଧାରଣତଃ ସ୍କୁଲଗୁଡ଼ିକରେ ପ୍ରତିବର୍ଷ ପ୍ରାୟ ଦେଢ଼ରୁ ଦୁଇ ମାସ ଖରାଛୁଟି ହେଉଥିବା ବେଳେ ଚଳିତବର୍ଷ ଏହାକୁ ୧୧ଦିନକୁ କମାଇ ଦିଆଯାଇଛି। ଚଳିତବର୍ଷ ଜୁନ୍‌ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ-୧୯ ମହାମାରୀ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ (ଓସେପା) ଦ୍ବାରା ପ୍ରସ୍ତୁତ ଶୈକ୍ଷିକ ପୁନରୁଦ୍ଧାର ଯୋଜନା ମାଧ୍ୟ‌ମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ସକାଳୁଆ ସ୍କୁଲରେ ପାଠ ପଢ଼ା ହେବ ବୋଲି ନି‌ଷ୍ପତ୍ତି ହୋଇଥିବାରୁ ଖରାଛୁଟି ଅବଧି କମାଇ ଦିଆଯାଇଥିବା କୁହାଯାଇଛି। ଏହି ସମୟରେ (ମେ ୧ରୁ ଜୁନ୍‌ ୫ ପର୍ଯ୍ୟନ୍ତ) ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ଏହି ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଶ୍ରେଣୀ ଉନ୍ନତିି ଏପ୍ରିଲ ୨୦ ସୁଦ୍ଧା ସଂପୂର୍ଣ୍ଣ କରାଯିବ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ନାମ ଲେଖା/ପୁନଃ ନାମ ଲେଖା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ଏପ୍ରିଲ ୩୦ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆରମ୍ଭ କରାଯାଇଥିବା ନୂତନ ମୂଲ୍ୟାଙ୍କନ ନୀତି ଅନୁଯାୟୀ, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମାପ୍ତିସୂଚକ ଆକଳନ (ସମେଟିଭ୍ ଆସେସମେଣ୍ଟ-୨) ପରୀକ୍ଷା ଦେବାକୁ ପଡ଼ିବ। ଏହି ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶନ ତଥା ୧୦ମଶ୍ରେଣୀକୁ ଉନ୍ନତି ମେ ୧୦, ୨୦୨୨ ସୁଦ୍ଧା ଶେଷ କରାଯିବ। ଏହାବାଦ୍ ଏବେ ଯେପରି ସକାଳୁଆ ସ୍କୁଲ ଚାଲିଛି ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି କୁହାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ମେ ୧ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ମହାମାରୀ ପ୍ରଭାବ ନଥିବାରୁ ଆସନ୍ତା ବର୍ଷରୁ ମହାମାରୀ ପୂର୍ବ ବର୍ଷ ଗୁଡ଼ିକ ଭଳି ପରୀକ୍ଷା କରିବାକୁ ସିବିଏସ୍‌ଇ ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ଏନେଇ ବିଚାର କରୁଛୁ। ନବମ ଓ ଦଶମ ଶ୍ରେଣୀରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଉଛି। ପୂର୍ବରୁ କରୋନା ଯୋଗୁ ୩୦% ପ୍ରତିଶତ ସିଲାବସ କଟା ଯାଇଥିଲା। ନୂଆ ଶିକ୍ଷା ବର୍ଷରୁ ଶତ ପ୍ରତିଶତ ପାଠ୍ୟକ୍ରମରେ ପାଠପଢା ହେବ।