ସୁନ୍ଦରଗଡ଼: ରବିବାର ସୁନ୍ଦରଗଡ଼ରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାର ୧୦ ଜଣ ମହିଳା ହିତାଧିକାରୀଙ୍କୁ ଡମି ଚେକ୍ ପ୍ରଦାନ କରିଥିଲେ। ‘ସୁଭଦ୍ରା’ରେ ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଥିବା ବେଳେ ସୁନ୍ଦରଗଡ଼ର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଅଧିକ ମହିଳା ପ୍ରଥମ କିସ୍ତି ସହାୟତା ପାଇଛନ୍ତି।
ସହାୟତା ରାଶି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳାମାନଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ବାସ୍ତବତାର ରୂପ ଦେବାରେ ‘ସୁଭଦ୍ରା’ ସାହାଯ୍ୟ କରିବ। ବିକାଶର ସୁଫଳକୁ ସବୁବର୍ଗର ଲୋକ ଅନୁଭବ କରିବା ଉଚିତ। ‘ସୁଭଦ୍ରା’ ଏ ଦିଗରେ ଏକ ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ। ଏହି ଅବସରରେ ସେ ପୂର୍ବ ସରକାରକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ପୂର୍ବ ସରକାର ମିସନ୍ ଶକ୍ତିର ଖୁବ୍ ପ୍ରଚାର କରିଥିଲେ। ମାତ୍ର ସେଥିରେ ସର୍ବାଧିକ ୭୦ ଲକ୍ଷ ମହିଳା ସାମିଲ ହୋଇପାରିଥିଲେ। ମିସନ୍ ଶକ୍ତିରେ ସୁଧମୁକ୍ତ ଋଣ ମିଳୁଥିଲା। କିନ୍ତୁ ‘ସୁଭଦ୍ରା’ ଯୋଜନାରେ ଆମେ ଭଉଣୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି ଓ ଏଥିରେ ‘ସୁଭଦ୍ରା’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାର ବିକାଶର ଗତି କ୍ଷୀପ୍ର ହେଉଛି।
ତୃତୀୟ ପର୍ଯ୍ୟାୟରେ ୧ ହଜାର କୋଟି ଟଙ୍କା ପ୍ରଦାନ
୮୦ ଲକ୍ଷରୁ ଅଧିକ ମହିଳା ପାଇଲେଣି ସହାୟତା
୧୨୦୧ କୋଟି ଟଙ୍କାର ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ
ସମାବେଶରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାର ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଥିବା କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପ୍ରତିବଦ୍ଧତାର ସହ ପାଳନ କରନ୍ତି। ରାଜ୍ୟର ଏକ କୋଟିରୁ ଅଧିକ ମହିଳା ନିଜେ ଘରୁ ବାହାରି ଡକ୍ୟୁମେଣ୍ଟ୍ ଡିଜିଟାଇଜେସନ୍ କରିଛନ୍ତି। ଏହା ଏକ ବଡ଼ ଉପଲବ୍ଧି। ଏହି ଅବସରରେ ସେ ଏହି କାର୍ଯ୍ୟରେ ସହାୟତା କରୁଥିବା ଆଶାକର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାୟକ ମଧ୍ୟ ଉଦ୍ବୋଧନ ଦେଇଥିଲେ। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ସ୍ବାଗତ ଭାଷଣ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଧନ୍ୟବାଦ ଦେଇଥିଲେ। ପରେ ସମାବେଶସ୍ଥଳରେ ମୁଖ୍ୟମନ୍ତ୍ରୀ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କାର ୬୯୨ଟି ପ୍ରକଳ୍ପର ଉଦ୍ଘାଟନ ଓ ୩୧୨ କୋଟି ୩ ଲକ୍ଷ ୧ ହଜାର ଟଙ୍କାର ୨୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ସହ ୮୧ କୋଟି ଟଙ୍କାର ଆଉ ୪ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।