କଟକ: ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ପ‌ାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।  ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଯାଉଛି ରାଜ୍ୟ, ରାଜ୍ୟ ବାହାରେ ତଥା ବିଦେଶରେ ଅନେକ ପ୍ରଶଂସା ସାଉଁଟିଥିବା କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ନାଟକ ‘ଆହେ ନୀଳଶଇଳ’। ବାଲିଯାତ୍ରା ପଡ଼ିଆର ଅକ୍ଷୟ ମହାନ୍ତି ମଞ୍ଚରେ ନଭେମ୍ବର ୧୭ ତାରିଖ ରାତି ୭ଟାରେ ଏହି ନାଟକ ମଞ୍ଚସ୍ଥ ହେବ। ଜଗନ୍ନାଥ ସଂସ୍କୃତି ସଂପର୍କିତ ଏହି ନାଟକ ଦର୍ଶକଙ୍କ ପାଇଁ ସବୁବେଳେ ଆକର୍ଷଣୀୟ ହୋଇ ଆସିଛି। ଏଥିସହ ପ୍ରତିଦିନ ୭ରୁ ଅଧିକ ଦେଶର ଆନ୍ତର୍ଜାତିକ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବାଲିଯାତ୍ରା ପଡ଼ିଆରେ। 

Advertisment

ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ଦିଗରେ ମଧ୍ୟ ଆଉ ପାଦେ ଆଗେଇଛି ପ୍ରଶାସନ। ପାଖାପାଖି ୧୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ବାଲିଯାତ୍ରାକୁ ଆସିବେ। ଏଥର ବାଲିଯାତ୍ରାର ଆକର୍ଷଣ ହେବ ବଲିଉଡ୍‌, ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ। ନଭେମ୍ବର ୧୫ତାରିଖ ଉଦ୍‌ଘାଟନୀ ସଂଧ୍ୟାରେ ବିଶିଷ୍ଟ ଗଜଲ ଗାୟକ ଅନୁପ୍ ଜଲୋଟା ଓ ପଙ୍କଜ ଜାଲ୍‌ ସାଂସ୍କୃତିକ ଉତ୍ସବର ଶୁଭାରମ୍ଭ କରି‌ବାକୁ ଥିବା ବେଳେ ନଭେମ୍ବର ୧୬ତାରିଖରେ ଓଡ଼ିଆ କଣ୍ଠଶିଳ୍ପୀ ତାନସେନ୍ ସିଂହ ଓ ମେଲୋଡି କୁଇନ୍‌ ଅସୀମା ପଣ୍ଡା ସଂଗୀତର ଯାଦୁରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ। ସେହିପରି ୧୭ତାରିଖରେ ହମ୍‌ସୁଫି ବ୍ୟାଣ୍ଡ୍, ୧୮ତାରିଖରେ ଓଡ଼ିଶା କଣ୍ଠଶିଳ୍ପୀ କୁଲଦୀପ୍ ପଟ୍ଟନାୟକ ଓ ସତ୍ୟଜିତ୍‌ ପ୍ରଧାନ, ୧୯ତାରିଖରେ ସୋନୁ ନିଗମ ଓ ଶଶାଙ୍କ ‌ଶେଖର ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ୨୦ ତାରିଖରେ କଣ୍ଠଶିଳ୍ପୀ ଟି. ସୌରୀ, କୁମାର ବାପି, ଦୀପ୍ତିରେଖା ପାଢ଼ୀ, ୨୧ ତାରିଖରେ ପଦ୍ମଶ୍ରୀ ସୁରେଶ ୱାଡେକର ଓ ଉଦ୍‌ଯାପନୀ ଦିବସରେ ମଣ୍ଟୁ ଛୁରିଆ କାର୍ଯ୍ୟକ୍ରମ ପରିବେଷଣ କରି‌ବେ।