ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ମଧ୍ୟ ସରକାରୀ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଜାରି ରହିବ। ବିଶ୍ବବିଦ୍ୟାଳୟର ମୋଟ୍ ରେଗୁଲାର ସିଟ୍ର ୨୦% ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ଅର୍ଥାତ୍ ଯଦି ଗୋଟିଏ ବିଶ୍ବବିଦ୍ୟାଳୟରେ ରେଗୁଲାର ପାଠ୍ୟକ୍ରମରେ ୬୦୦ ପିଲା ନାମ ଲେଖାଉଛନ୍ତି, ସେଠାରେ ସେଲ୍ଫ ଫାଇନାନ୍ସିଂ କୋର୍ସରେ ଅତି ବେଶିରେ ୧୨୦ ସିଟ୍ ରହିପାରିବ। ଏଥିସହ ୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟଗୁଡ଼ିକ କେତେ ସଂଖ୍ୟକ ସିଟ୍ରେ ନାମଲେଖାଇବାକୁ ନିଷ୍ପତ୍ତି ନେଇଛନ୍ତି, ସେନେଇ ଜୁଲାଇ ୧୫ ସୁଦ୍ଧା ଜଣାଇବେ। ଗତ ୭ ତାରିଖରେ ରାଜଭବନ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଏ ତଥ୍ୟ ମଗାଯାଇଛି। ୨୦୨୨ ଏପ୍ରିଲ ୧୨ରେ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିକୁ ଏଥର ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ଗତବର୍ଷର ବିଜ୍ଞପ୍ତି ଅନୁଯାୟୀ ଯଦି ୨୦୨୨-୨୩ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟରେ ମୋଟ ରେଗୁଲାର ସିଟ୍ ମଧ୍ୟରୁ ୨୦%ରୁ ଅଧିକ ପିଲା ସେଲ୍ଫ ଫାଇନାନ୍ସିଂରେ ନାମ ଲେଖାଇଥିବେ, ତାହେଲେ ୨୦୨୩-୨୪ ଶିକ୍ଷାବର୍ଷରେ ଉକ୍ତ ସିଟ୍ ସଂଖ୍ୟା ହ୍ରାସ କରାଯିବ। ଯେଉଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ, ସେଠାରେ ନୂତନ ନାମଲେଖା ହେବ ନାହିଁ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭବିଷ୍ୟତରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିପାରିବେ। ମାତ୍ର ତାହା ଡାଇରେକ୍ଟ ମୋଡ୍ରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚଳାଇବେ।
ଅନ୍ୟପକ୍ଷରେ କଲେଜରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିବା ନେଇ କୌଣସି କଟକଣା ନାହିଁ। ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା କଲେଜଗୁଡ଼ିକୁ ରାଜ୍ୟ ସରକାର ହାତ ଖୋଲି ଅନୁମତି ଦେଉଥିବା ବେଳେ ରାଜଭବନ ପକ୍ଷରୁ ବିଶ୍ବବିଦ୍ୟାଳୟ ଉପରେ କଟକଣା ଲାଗିଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବତନ୍ତ୍ରତା ନଷ୍ଟ ହେବା ସହ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛନ୍ତି। ଛାତ୍ରଛାତ୍ରୀ କଲେଜରେ ସ୍ନାତକୋତ୍ତର ପଢ଼ିବାକୁ ଆଗ୍ରହ ଦେଖାଉଥିବାରୁ ବିଶ୍ବବିଦ୍ୟାଳୟର ବହୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଇତି ମଧ୍ୟରେ କେତେକ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ସିଟ୍ ସଂଖ୍ୟା ପୁଣି ହ୍ରାସ ପାଇଥିବା ଜଣାପଡ଼ିଛି।
ରାଜଭବନ-ଉଚ୍ଚଶିକ୍ଷା ବିଭାଗ ଟଣାଓଟରା
ବିଶ୍ବବିଦ୍ୟାଳୟ ପାଇଁ ରାଜଭବନର କଟକଣା
କଲେଜକୁ ରାଜ୍ୟ ସରକାରଙ୍କ ହାତ ଖୋଲା ଅନୁମତି
କୁଳପତିଙ୍କଠାରୁ ପିଜି ସିଟ୍ ତଥ୍ୟ ମାଗିଲା ରାଜଭବନ
କାହା କଥା ମାନିବେ ବିଶ୍ବବିଦ୍ୟାଳୟ କୁଳପତି?
ଜଣେ କୁଳପତିଙ୍କ କହିବା କଥା ହେଉଛି ଯେ ଜାତୀୟ ଶିକ୍ଷା ନୀତିରେ ଇଚ୍ଛା ଅନୁଯାୟୀ ପାଠ୍ୟକ୍ରମ ପଢ଼ିବାରେ ସୁବିଧା ଦେବାକୁ ବ୍ୟବସ୍ଥା ରହିଛି। ହେଲେ ରାଜଭବନର ଅଙ୍କୁଶ ତାହାକୁ କେତେଦୂର କାର୍ଯ୍ୟକାରୀ କରାଇବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୟୁଜିସି ନିୟମ ଅନୁଯାୟୀ କୌଣସି ସ୍ଥାନରେ ପିଜି ପାଠ୍ୟକ୍ରମକୁ ଖୋଲିବାକୁ ଅତି କମ୍ରେ ୭ଜଣ ଅଧ୍ୟାପକ ଅଧ୍ୟାପିକା ରହିବା କଥା। କଲେଜରେ ତାହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ? ରାଜଭବନ ଅଙ୍କୁଶ ଯୋଗୁଁ ବିଶ୍ବବିଦ୍ୟାଳୟଗୁଡ଼ିକ ସଙ୍କୁଚିତ ଶିକ୍ଷା ବ୍ୟବସ୍ଥା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ଏବଂ ସେହି ପାଠ୍ୟକ୍ରମକୁ ଅଧ୍ୟାପକ ଯୋଗାଇବା ପାଇଁ ବ୍ୟବସ୍ଥା ନ ଥିବାରୁ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ କ୍ଷତିଗସ୍ତ ହେଉନାହିଁ କି? ଏହି ସଂକୁଚିତ ବ୍ୟବସ୍ଥା କାହା ପାଇଁ? ନିୟମିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ପାଠ ପଢ଼ାଇ ଅଧିକ ପଇସା ନ ନେବା ପାଇଁ ଏହି ସଙ୍କୁଚିତ ବ୍ୟବସ୍ଥା ଲାଗୁ ହୋଇଥିବା କୁହାଯାଉଥିବା ବେଳେ ବିଧିବଦ୍ଧ ଯୋଜନା ମାଧ୍ୟମରେ ନୂତନ ପାଠ୍ୟକ୍ରମ ନିୟମିତ କିମ୍ବା ସେଲ୍ଫ ଫଇେନାନ୍ସିଂ ମୋଡ୍ରେ ଖୋଲାଯିବାର ବ୍ୟବସ୍ଥା କରାଗଲେ ବିଶ୍ବବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଉପକୃତ ହୁଅନ୍ତେ। ୟୁଜିସି ଆହୁରି କରିଛି ଯେ ରେଗୁଲାର ପାଠ୍ୟକ୍ରମ ଖୋଲିବାକୁ ସମୟ ଲାଗୁଥିବାରୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲି ବିଶ୍ବବିଦ୍ୟାଳୟଗୁଡ଼ିକ ପିଲାଙ୍କୁ ଶିକ୍ଷା ଦେଇପାରିବେ। ମାତ୍ର ତାହା କାର୍ଯ୍ୟକାରୀ ହେଉନାହିଁ।
ଶିକ୍ଷାବିତ୍ଙ୍କ ମତରେ ବିଶ୍ବବିଦ୍ୟାଳୟ ପ୍ରଫେସର୍ମାନେ ପିପିପି ମୋଡ୍ରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂରେ ପଢ଼ାଉଥିବାରୁ ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଥିବା ଦର୍ଶାଇ ରାଜଭବନ ପକ୍ଷରୁ କଟକଣା ଲଗାଯାଇଥିଲା। ତେବେ ବର୍ତ୍ତମାନ କଲେଜରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପଢ଼ାଇବାକୁ ଯୋଗ୍ୟ ପ୍ରଫେସର ଅଛନ୍ତି ତ? କେଉଁ ପାଠ୍ୟକ୍ରମରେ କେତେଜଣ ନୂଆ ନିଯୁକ୍ତ ହୋଇଛନ୍ତି, ରାଜ୍ୟ ସରକାର ତାହାର ସମୀକ୍ଷା କରିବେ କି? ପିପିପି ମୋଡ୍ରେ ଖୋଲିଥିବା ପାଠ୍ୟକ୍ରମର ଘରୋଇ ମାଲିକମାନେ ନିୟମ ନମାନି ଅଧ୍ୟାପକ ନିଯୁକ୍ତି ଦେଉଛନ୍ତି। ରାଜ୍ୟ ସରକାରଙ୍କ ସେଥିରେ କୌଣସି ଲଗାମ ନାହିଁ। ଉଚ୍ଚଶିକ୍ଷା ବିଭାଗ ଓ ରାଜଭବନ ମଧ୍ୟରେ ଚାଲିଥିବା ଟଣାଓଟରା ଭିତରେ ଏବେ ବିଶ୍ବବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଘାଣ୍ଟି ହେଉଛନ୍ତି। ତେଣୁ ବିଶ୍ବବିଦ୍ୟାଳୟରେ ଲାଗିଥିବା ଅଙ୍କୁଶ ଉପରେ ସମୀକ୍ଷା କରିବାକୁ ସେମାନେ ମତ ଦେଇଛନ୍ତି।