ଭୁବନେଶ୍ବର: ଦୁର୍ଗାପୂଜା ଅବସରରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ପ୍ରାଚୀନ ଦୁର୍ଗାପୂଜା ମେଢ଼କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଦୁଇ ତିନିଟି ପର୍ଯ୍ୟାୟରେ ଆଲୋଚନା କରାଯାଇଛି। ତେବେ ସବୁ ମେଢ଼କୁ ଅର୍ଥ ଦିଆଯିବ ନାହିଁ। ଐତିହ୍ୟସମ୍ପନ୍ନ ଦୁର୍ଗା ମେଢ଼ ୧୦୦ ବର୍ଷରୁ ଅଧିକ ପ୍ରାଚୀନ ହୋଇଥିଲେ, ସେମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି। ୭୫ ବର୍ଷରୁ ଅଧିକ ପୁରୁଣା ମେଢ଼କୁ ମିଳିବ ୭୫ ହଜାର ଟଙ୍କା ଓ ୫୦ ବର୍ଷରୁ ଅଧିକ ପୁରୁଣା ମେଢ଼କୁ ମିଳିବ ୫୦ ହଜାର ଟଙ୍କା।
ଏହି ତିନି ବର୍ଗରେ ତାଲିକା ପ୍ରସ୍ତୁତ କରିବାକୁ ଆଜି ଜିଲ୍ଲାପାଳମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଚିଠି ଲେଖିଛନ୍ତି। ଆସନ୍ତା ଦୁଇ ଦିନ ଭିତରେ ଏହି ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ କହିଛନ୍ତି। ତେବେ ଯଦି କୌଣସି ଜିଲ୍ଲାରେ ୫୦ ବର୍ଷରୁ ଅଧିକ ପୁରୁଣା ମେଢ଼ ନଥିବ, ତେବେ ସେହି ଅଞ୍ଚଳର ଦୁଇଟି ସବୁଠାରୁ ପୁରାତନ ମେଢ଼ର ବିବରଣୀ ବି ପ୍ରଦାନ କରାଯାଇପାରିବ ବୋଲି ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳମାନଙ୍କଠାରୁ ତାଲିକା ଆସିଲା ପରେ ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନିଆଯିବ। ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବା ସହ ଏହାର ଗାଇଡ୍ଲାଇନ୍ ମଧ୍ୟ ଜାରି କରାଯିବ।