ଭୁବନେଶ୍ବର: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଧାନର ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି) ଉପରେ ୮୦୦ଟଙ୍କା ବୋନସ୍ ଦେବେ। ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ଟଙ୍କା ମିଳିବ। ତେଣୁ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ସରକାର ବି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିବେ ସମସ୍ତଙ୍କ ଠାରୁ ଧାନ କିଣାଯିବ। ଓଡ଼ିଶାରେ ଧାନ ଦର ବୃଦ୍ଧି ପାଇଥିବାରୁ ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଧାନ ଆସିବାର ଆଶଙ୍କା ଅଛି। ତେଣୁ ଜିଲ୍ଲାପାଳମାନେ ଧାନ କିଣା ସମୟରେ ସବୁ ସୀମାବର୍ତ୍ତୀ ଅଞ୍ଚଳରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନିୟୋଜନ କରିବେ। ସିସିଟିଭି, ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ୁଥିବା ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ୨୪ଘଣ୍ଟା ନଜର ରଖି‌ବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରଥମ ଥର ପାଇଁ ଧାନ କିଣା ପ୍ରକ୍ରିୟାକୁ ତଦାରଖ କରିବାକୁ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ଜିଲ୍ଲାପାଳମାନେ ସୁନିଶ୍ଚିତ କରିବେ। ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେମାନେ ସରକାରଙ୍କ ପାଇଁ ‘ୱାନ୍ ପଏଣ୍ଟ କଣ୍ଟାକ୍ଟ’ ଭାବେ କାର୍ଯ୍ୟ କରିବେ। ପୂରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପଡ଼ୋଶୀ ରାଜ୍ୟରୁ ଧାନ ଆସିବା ଉପରେ ରୋକ୍ ଲାଗିବ
ଜିଲ୍ଲାପାଳମାନେ ଟୋକନ୍ ଅବଧି ବଢ଼ାଇପାରିବେ

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୁଦାୟ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୮୩.୧୬% ହେଉଛନ୍ତି କ୍ଷୁଦ୍ରଚାଷୀ। ସେମାନେ ଯେପରି ବିନା କୌଣସି ଅସୁବିଧାରେ ନିଜର ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲ୍ଲାପାଳଙ୍କର। ଧାନ ସଂଗ୍ରହରେ କ୍ଷୁଦ୍ରଚାଷୀଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଟୋକନ୍‌ର ଅବଧି ସମ୍ପର୍କରେ କ୍ଷୁଦ୍ରଚାଷୀମାନେ ବିଶେଷ ସୂଚନା ପାଇ ପାରୁନାହାନ୍ତି। ତେଣୁ ସେମାନଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକନ୍‌ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଧାନର କଟ୍‌ନି-ଛଟନି ବନ୍ଦ କରିବା ପାଇଁ ଚାଷୀମାନେ ଯେପରି ମଣ୍ଡିକୁ ଉନ୍ନତମାନର ଧାନ ଆଣିବେ, ସେଥିପାଇଁ ବ୍ୟାପକ ସଚେତନତା ଅଭିଯାନ କରାଯିବ। ଏନେଇ ଚାଷୀଙ୍କୁ ହ୍ବାଟ୍‌ସଆପ୍ ଗ୍ରୁପ୍ ମାଧ୍ୟମରେ ବାରମ୍ବାର ସୂଚନା ‌ଦିଆଯିବ। ଉନ୍ନତମାନର ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରିରୁ ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ। ଏହା ସହିତ ଗୋଟିଏ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ପରିଚାଳନା କରାଯିବ। ଏହାସହ ‘କ୍ବାଲିଟି କାଉନସିଲ ଅଫ୍‌ ଇଣ୍ଡିଆ’ ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରାଯିବ। ସେହିପରି ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍‌ ମଣ୍ଡିରେ ସ୍ବୟଂଚାଳିତ ଶସ୍ୟ ବିଶ୍ଳେଷଣ ଯନ୍ତ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ ମାନୁଆଲ ଶସ୍ୟ ବିଶ୍ଳେଷଣ ଯନ୍ତ୍ରର ବ୍ୟବସ୍ଥା କରାଯିବ। ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଗୁଣବତ୍ତା ବିଶ୍ଳେଷକ ଏବଂ ଗୁଣବତ୍ତା ସୁପରଭାଇଜର୍ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ହୋଇଛି।
ଏହି ଉଚ୍ଚ ସ୍ତରୀୟ ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୁଲିସ ଡିଜି ୱାଇ.ବି. ଖୁରାନିଆ ଏବଂ କୃଷି, ସମବାୟ, ଖାଦ୍ୟ ଯୋଗାଣ, ପରିବହନ ଓ ଅନ୍ୟ ସଂପୃକ୍ତ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।