ଭୁବନେଶ୍ବର: ଏଥର ରଜରେ ଅଥୟ କରିବ ତାତି। ପଶ୍ଚିମ ଓଡ଼ିଶା ତାତିବ। ଉପକୂଳରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳି। ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ। ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଓଡ଼ିଶା ଛୁଇଁଲା ବେଳକୁ ୪ରୁ ୫ ଦିନ ଲାଗିଯିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏଭଳି ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ୧୫ ଓ ୧୬ ତାରିଖରେ ବର୍ଷା ପରିମାଣ କମ୍ ରହିବାକୁ ଥିବା ବେଳେ କାଳବୈଶାଖୀ ଓ ଗୁଳୁଗୁଳି ହେବ। ୧୭ ତାରିଖରେ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଛି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ରହିଛି। ତେବେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅର୍ଧାଧିକ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଏହାପରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ୧୭ ତାରିଖଠାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ସାରା ଓଡ଼ିଶାରେ ୫୬.୧ ମିମି ବର୍ଷା ହେବା କଥା। ମାତ୍ର ଏହି ସମୟ ମଧ୍ୟରେ ୪୦.୫ ମିମି ବର୍ଷା ହୋଇଛି। ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି। ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ୧୬ ତାରିଖ ପର୍ଯ୍ୟନ୍ତ, ଉତ୍ତର ଆଭ୍ୟନ୍ତରରେ ୧୭ ତାରିଖ ଓ ଉପକୂଳରେ ୧୮ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିପାରେ। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରାକ୍ ମୌସୁମୀ ବର୍ଷା ହେବ। ଦକ୍ଷିଣ ଅଭ୍ୟନ୍ତରୀଣ ଓ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଏହି ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ପବନ ବହୁଛି। ୧୮ ତାରିଖଠାରୁ ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ହେବାର ସମ୍ଭାବନା ରହିଛି। ୧୫ ତାରିଖରେ କୋରାପୁଟ, ୧୬ରେ ବଲାଙ୍ଗୀର, ୧୯ରେ ବାଲେଶ୍ବର ଓ ମୟୂରଭଞ୍ଜରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା, ବାୟୁର ପ୍ରବାହ ଓ ମେଘ ଗଠନରୁ ଜଣାପଡ଼ୁଛି ଯେ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା ହେବ ଏବଂ ପ୍ରାରମ୍ଭିକ ଭାବେ ଏହା ଦୁର୍ବଳ ରହିବ। କେନ୍ଦ୍ରାପଡ଼ାରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇପାରେ। ୨୨ରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ଜୁନ୍ ୪ର୍ଥ ସପ୍ତାହରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି।
ଅନ୍ୟପକ୍ଷରେ ଆଜି ଭୁବନେଶ୍ବର ସମେତ ୧୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଡେଇଁଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ନୂଆପଡ଼ାରେ ୪୩, ସମ୍ବଲପୁରରେ ୪୨.୮, ରାଉରକେଲାରେ ୪୨.୪, ବଲାଙ୍ଗୀରରେ ୪୨.୨, ହୀରାକୁଦରେ ୪୨.୧, ବୌଦ୍ଧରେ ୪୨, ସୋନପୁରରେ ୪୧.୮, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ୪୧.୫, କେନ୍ଦୁଝରରେ ୪୧.୩, ଅନୁଗୁଳରେ ୪୧.୧, ଢେଙ୍କାନାଳରେ ୪୦.୭, ବରଗଡ଼ ଓ ଭବାନୀପାଟଣାରେ ୪୦.୫, ବାରିପଦା, ତାଳଚେର, ବାଲେଶ୍ବର ଓ ଭୁବନେଶ୍ବରରେ ୪୦.୨ ଡିଗ୍ରି ରହିଥିଲା।