ବାରିପଦା: ବାରିପଦା ସହରରେ ପାଣି ସମସ୍ୟା ଦୂର କରିବା ନିମନ୍ତେ ୩ ବର୍ଷ ତଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୮୧.୪୧ କୋଟି ଟଙ୍କା ବ୍ୟୟରେ ଜମ୍ଭୀରା ବନ୍ଧ ନିକଟରେ ଆରମ୍ଭ ହୋଇଥିଲା ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ। ଗୋଟିଏ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ବର୍ଷେ ଯାଇ ୩ ବର୍ଷ ହେବାକୁ ବସିଲାଣି, ଅଦ୍ୟାବଧି ଏହି ପ୍ରକଳ୍ପର କାମ ଶେଷ ପାରିନାହିଁ। ଜମ୍ଭୀରା ବନ୍ଧ ଶୁଖିଲା ପଡ଼ିଛି, ବର୍ଷା ହେଲେ କାମ ଆଗେଇବ ବୋଲି ପ୍ରଥମେ ବିଭାଗୀୟ କର୍ତ୍ତୃପକ୍ଷ କହୁଥିଲେ। କିନ୍ତୁ ବର୍ଷା ଯାଇ ଖରାଦିନ ଆସିଲାଣି; ପ୍ରକଳ୍ପ ସେମିତି ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବାରିପଦା ସହରବାସୀଙ୍କ ପାଇଁ ପ୍ରତିଦିନ ୧୭ ମିଲିୟନ୍ ଲିଟର ପାଣିର ଆବଶ୍ୟକତା ରହିଛି। ଏବେ ନଳକୂପ ଓ ଅନ୍ୟ ବ୍ୟବସ୍ଥାରେ ମୋଟ୍ ୧୨ ମିଲିୟନ୍ ଲିଟର ପାଣି ଯୋଗାଣ ହେଉଛି। ଆହୁରି ୫ ମିଲିୟନ୍‌ ଲିଟର ପାଣି ଦରକାର ପଡୁଥିବା ବେଳେ ଲୋକମାନେ ଏଥିପାଇଁ ଭାରି ହିନସ୍ତା ହେଉଛନ୍ତି। ସହରର ୧୫ ହଜାର ୬୫୮ ଘରକୁ ପାଇପ୍‌ ଜଳଯୋଗାଣ ହେଉଛି। ଆହୁରି ୫ ହଜାର ୨୩୧ଟି ନୂଆ ଆବେଦନପତ୍ର ଗ୍ରହଣ କରାଯାଇଛି। ତେବେ ଜଳଯୋଗାଣ ପ୍ରକଳ୍ପ କାମ ଶେଷ ହେଉ ନଥିବାରୁ ଆବେଦନକାରୀଙ୍କ ଘରକୁ ଜଳଯୋଗାଣ ବ୍ୟବସ୍ଥା ହୋଇ ପାରୁନାହିଁ।

ସହରବାସୀଙ୍କ ଜଳକଷ୍ଟ ସମସ୍ୟାର ସମାଧାନ ପାଇଁ ଟେଣ୍ଡର ପ୍ରକ୍ରିୟା ଢେର ବିଳମ୍ବ ‌ହେଲା। ପରେ ପ୍ରକଳ୍ପ ସ୍ଥାନରେ ଲୋକଙ୍କ ବିରୋଧ ଯୋଗୁଁ କିଛି ଦିନ କାମ ଅଟକିଲା। ପ୍ରଶାସନ ଓ ପୁଲିସର ହସ୍ତକ୍ଷେପ ପରେ କାମ ତ୍ବରାନ୍ବିତ ହେଲା ବେଳକୁ ପ୍ରଶାସନ ପକ୍ଷରୁ ସହଯୋଗ ମିଳୁନି ବୋଲି କହିଥିଲେ ଠିକାଦାର। ଅନ୍ୟପକ୍ଷରେ ୯୫ ପ୍ରତିଶତ କାମ ସରିଗଲାଣି, କେବଳ ୫ ପ୍ରତିଶତ କାମ ବାକି ରହିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଗତ ବର୍ଷେ ହେଲା କହି ଆସୁଛନ୍ତି। କିନ୍ତୁ ଅସଲ କଥାଟି ହେଲା, ବାରିପଦା ୱାଟ‌୍‌କୋ ଡିଭିଜିନର ମହାପ୍ରବନ୍ଧକ କିଶୋର ଚନ୍ଦ୍ର ରାଉତ ଗତ ଅଗଷ୍ଟରୁ ଅନ୍ୟତ୍ର ବଦଳି ହୋଇଗଲେଣି। ତାଙ୍କ ବଦଳରେ ନୂଆ ନିଯୁକ୍ତି ହୋଇନାହିଁ। ତେଣୁ ପ୍ରକଳ୍ପ କାମ ନିୟମିତ ଯାଞ୍ଚ ହୋଇପାରୁନି। ରାଇରଙ୍ଗପୁର ୱାଟ୍‌କୋ ଡିଭିଜନର ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ୭ ମାସ ହେଲା ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ଶ୍ରୀ ମଲ୍ଲିକଙ୍କୁ ଏ ବାବଦରେ ପଚାରିବାରୁ ସେ କହିଥିଲେ, ଟାଙ୍କି ତିଆରି କାମ ଶେଷ ହୋଇ ନଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। ତେବେ ଜଳଯୋଗାଣ କେବେ ଆରମ୍ଭ ହେବ ସେ ମଧ୍ୟ ଠିକ୍ ଭାବେ କିଛି କହିପାରୁନାହାନ୍ତି। ଏ ପରିପ୍ରେକ୍ଷୀରେ ଏଥର ଖରାଦିନେ ସହରବାସୀ ପୁଣି ଜଳକଷ୍ଟ ଭୋଗିବା ଥୟ ବୋଲି କୁହାଯାଉଛି।