ଖୋର୍ଦ୍ଧା: ଏଥର କଟ୍‌ନି ଛଟ୍‌ନି ବନ୍ଦ। ମିଲର୍‌ ହୁଅନ୍ତୁ କି ଡିଲର୍‌। ଲୋକଙ୍କ ଚାଉଳ କିମ୍ବା ଚାଷୀଙ୍କର ଧାନ ଯିଏ ବି କାଟିବାକୁ ଚେଷ୍ଟା କରିବ, ତାକୁ ଛଡ଼ାଯିବ ନାହିଁ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଖୋର୍ଦ୍ଧାଠାରେ ଜିଲ୍ଲା ଯୋଗାଣ ବିଭାଗର ସମୀକ୍ଷା ଅବସରରେ ଏମିତି ଢଙ୍ଗରେ ଚେତାବନୀ ଦେଇଛନ୍ତି। ମଣ୍ଡିରେ ଧାନବିକ୍ରି ପାଇଁ ଚାଷୀଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମା‌ନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଚାଷୀଙ୍କ ଧାନର ମାନ ପରୀକ୍ଷଣ ଉପରେ ଜୋର୍‌ ଦିଆଯାଇଥିଲା। 

Advertisment

ପୂର୍ବରୁ ଧାନର ମାନ ହାତାହାତି ପରୀକ୍ଷା କରି ମନଇଚ୍ଛା କଟ୍‌ନି ଛଟ୍‌ନି କରୁଥିଲେ ମଣ୍ଡି କର୍ତ୍ତୃପକ୍ଷ। ଚାଷୀଙ୍କୁ ଏ ପ୍ରକାର ଶୋଷଣର ଫାଇଦା ଉଠାଉଥିଲେ ମିଲର୍‌। ଏଥର କିନ୍ତୁ ହାତାହାତି ବ୍ୟବସ୍ଥା ନାହିଁ। ମେସିନ୍‌ ଦ୍ବାରା ଧାନର ମାନ ପରୀକ୍ଷଣ ହେବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ମୋଟ୍ ୧୩୯ଟି ପ୍ୟାକ୍ସକୁ କ୍ବାଲିଟି ଆନାଲାଇଜର୍‌ ମେସିନ୍‌ ଦିଆଯିବ। ଏଫ୍‌ଏକ୍ୟୁ ମାନକ ଠିକ୍‌ ଥିଲେ, ଗୋଟିଏ ଗ୍ରାମ୍‌ ବି ଧାନ କଟାଯିବ ନାହିଁ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ସେହିପରି ଏଥର ଜିଲ୍ଲାକୁ ପର୍ଯ୍ୟାପ୍ତ ଧାନ ଟାର୍ଗେଟ୍‌ ମିଳିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ରାସନ୍‌ କାର୍ଡ ହିତାଧିକାରୀଙ୍କର ଇ-କେୱାଇସି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ପ୍ରାୟ ୧୪ଲକ୍ଷ ହିତାଧିକାରୀଙ୍କୁ ରାସନ୍‌ ଦିଆଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ଲକ୍ଷରୁ ଅଧିକ ଲୋକେ ନିଜର ଇ-କେୱାଇସି ଦେଇ ସାରିଲେଣି। ଅଦ୍ୟାବଧି ଜିଲ୍ଲାର ଆହୁରି ୬ଲକ୍ଷ ୮୧ହଜାର ଲୋକ ଇ-କେୱାଇସି ଦାଖଲ କରିନାହାନ୍ତି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସମସ୍ତଙ୍କର ଇ-କେୱାଇସି ଦାଖଲ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗ୍‌ଦା ମୁର୍ମୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।