କଟକ: ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ନିଶମ ବିଭାଗ ପକ୍ଷରୁ ଧାର୍ଯ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଅଗ୍ନିଶମ ଗାଡ଼ି ଯିବା ଆସିବା ସହଜ କରିବା ପାଇଁ ତୋରଣର ଉଚ୍ଚତା ବି ସ୍ଥିର କରାଯାଇଛି। ଅଗ୍ନିକାଣ୍ଡ ଘଟିଲେ ଯେଭଳି ତୁରନ୍ତ ନିୟନ୍ତ୍ରଣ କରାଯାଇପାରିବ, ସେଥିପାଇଁ ଏହି ଦୁଇଟି ନିୟମକୁ ଏଥର କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତ୍ୟେକ ପୂଜା କମିଟିକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ, କଟକ ସହରର ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଏ ନେଇ ବକ୍ସିବଜାର ଅଗ୍ନିଶମ କେନ୍ଦ୍ରରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଆବେଦନ କରିବେ। ଏଥିପାଇଁ କୌଣସି ଆବେଦନ ଦେୟ ଦେବାକୁ ପଡ଼ିବ ନାହିଁ। ପୂଜା ମଣ୍ଡପର ଜମି ପଟ୍ଟା, ଆଧାର କାର୍ଡ, ଫଟୋ ଓ ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ। ଦାଖଲ କରିବା ପରେ ସମ୍ପୃକ୍ତ ପୂଜା ମଣ୍ଡପକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ କରାଯିବ। ସାର୍ଟିଫିକେଟ୍ ପାଇଥିବା ପୂଜା କମିଟି ପକ୍ଷରୁ ମଣ୍ଡପର ତିନି ପଟେ ପ୍ରସ୍ଥାନ ଦ୍ବାର ରହିବ। କୌଣସି ଅଘଟଣ ଘଟିଲେ ଯେଭଳି ସହଜରେ ବାହାରକୁ ବାହାରିପାରିବେ, ସେଥିପାଇଁ ଏ ପ୍ରକାର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ। ରାସ୍ତା ଉପରେ ହେଉଥିବା ତୋରଣର ଉଚ୍ଚତା ୬ ମିଟର ଅର୍ଥାତ୍ ୧୯ ଫୁଟ ରହିବ। ସେହିଭଳି ଓସାର ୫ ମିଟର ଅର୍ଥାତ୍ ୧୬ ଫୁଟ ରହିବ। ଏହାଠାରୁ କମ୍ ହୋଇପାରିବ ନାହିଁ।
କଟକ ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା କଡ଼ାକଡ଼ି
ତୋରଣର ସର୍ବନିମ୍ନ ଉଚ୍ଚତା ୧୯ ଫୁଟ, ଓସାର ୧୬ ଫୁଟ ରହିବ
ମହଜୁଦ ରହିବ ନିଆଁଲିଭା ଉପକରଣ, ପାଣି ଓ ବାଲି ବାଲ୍ଟି
ମଣ୍ଡପ ବୁଲି ତାଲିମ୍ ଦେବ ଅଗ୍ନିଶମ କେନ୍ଦ୍ର
ଅଳ୍ପ ଉଚ୍ଚତା ରହିଲେ ଅଗ୍ନିଶମ ଗାଡ଼ି ଭିତରକୁ ପ୍ରବେଶ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଉଚ୍ଚତା ଧାର୍ଯ୍ୟ କରାଯାଇଛି। ଏହା ସହିତ ମଣ୍ଡପରେ ଦୁଇଟି ନିଆଁଲିଭା ଉପକରଣ, ପାଣି ଓ ବାଲି ବାଲ୍ଟି ଗୋଟିଏ ଲେଖାଏଁ ରହିବ। ମଣ୍ଡପରେ ହୋଇଥିବା ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥାରେ କୌଣସି ଜଏଣ୍ଟ ରହିବ ନାହିଁ। ଜଏଣ୍ଟ ସ୍ଥାନରେ ସ୍ପାର୍କିଂ ହୋଇ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି। ସେଥିପାଇଁ ଏଭଳି କରାଯାଇଛି। ଅଗ୍ନିଶମ କେନ୍ଦ୍ରର ଏନ୍ଓସି ମିଳିବା ପରେ ସମ୍ପୃକ୍ତ ପୂଜା ମଣ୍ଡପଗୁଡ଼ିକୁ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଡିଆଇବିରୁ ଲାଇସେନ୍ସ ପ୍ରଦାନ କରାଯାଇଛି।
ଏଥର କଟକରେ ମୋଟ ୧୭୦ଟି ମେଢ଼ରେ ଦୁର୍ଗାପୂଜା ହେବାକୁ ଥିବା ବେଳେ କେବଳ ଚାନ୍ଦି ମେଢ଼ ୩୪ଟି ରହିଛି। ଚଳିତବର୍ଷ ଅଧିକ ୨ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ କରାଯିବ। ସେଥିମଧ୍ୟରୁ ରାମଗଡ଼ ଓ ତୁଳସୀପୁର ଦୁର୍ଗାପୂଜା କମିଟି ରହିଛି। ପ୍ରାୟ ୧୫ଟି ମେଢ଼ରେ ସୁନା ମୁକୁଟ ଲାଗିବ। ଏଭଳି ପାଖାପାଖି ୧୦୦ କୋଟି ଟଙ୍କାର ଅଳଙ୍କାରରେ ସଜେଇ ହେବେ ମା’। ବକ୍ସିବଜାର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ସଞ୍ଜୀବ କୁମାର ବେହେରାଙ୍କ କହିବା ଅନୁଯାୟୀ, ପ୍ରତି ପୂଜା ମଣ଼୍ଡପଗୁଡ଼ିକୁ ଅଗ୍ନି ନିରାପତ୍ତା ଏବଂ ତୋରଣ ପାଇଁ ଥିବା ଉଚ୍ଚତା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ କରାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅନ୍ୟପଟେ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ପୂଜା ମଣ୍ଡପରେ କଡ଼ାକଡ଼ି କରାଯିବ। ଏ ନେଇ ପୂଜା କମିଟି ସହିତ ଆଲୋଚନା ବି କରାଯାଇଛି। ଯେଉଁମାନଙ୍କ ନିକଟରେ ଦୁଇଟି ଲେଖାଏଁ ନିଆଁଲିଭା ଉପକରଣ କିଣିବାକୁ ଟଙ୍କା ନାହିଁ, ସେମାନେ ପାଣି ଓ ବାଲି ବାଲଟି ସହିତ କମ୍ବଳ ବି ବ୍ୟବହାର କରିପାରିବେ ବୋଲି ପୂଜା କମିଟି କର୍ମକର୍ତ୍ତାଙ୍କୁ ଆଗୁଆ ପରାମର୍ଶ ଦିଆଯାଇଛି। ଯେଉଁମାନେ ନିଆଁଲିଭା ଉପକରଣ ବ୍ୟବହାର କରିବେ ସେମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଆଗୁଆ ଏହାର ବ୍ୟବହାର ସମ୍ପର୍କରେ ତାଲିମ ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/09/maa-durga.jpg)