ବିଶ୍ବଜିତ ଦାଶ
ଭୁବନେଶ୍ବର: ପ୍ରତିବର୍ଷ ୮୦ ହଜାରରୁ ୧ ଲକ୍ଷ ଯୁବକଯୁବତୀ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଉଛନ୍ତି। ସମସ୍ତଙ୍କ ଆଶା ଓଏଏସ୍ ହେବେ। ଓଡ଼ିଶା ପ୍ରଶାସନରେ ସବୁଠୁ ବଡ଼ ପଦ ହୋଇଥିବାରୁ ପରୀକ୍ଷା ଦେଉଥିବା ୯୦%ରୁ ଅଧିକ ଆଶାୟୀଙ୍କର ପ୍ରଥମ ପସନ୍ଦ ଓଏଏସ୍ ଥାଏ। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଗତ କିଛି ବର୍ଷ ହେଲା ଓଏଏସ୍ ପଦବି ସଂଖ୍ୟା କମି କମି ଚାଲିଛି। ଚଳିତବର୍ଷ ସ୍ଥିତି ଏପରି ହୋଇଛି ଯେ ୨୦୨୫ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଗୋଟିଏ ବି ଓଏଏସ୍ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନପାରେ। ଯେଉଁମାନେ ଓଏଏସ୍ ହେବା ଆଶା ରଖିଛନ୍ତି ସେମାନେ ଓଆର୍ଏସ୍ ଏବଂ ଅନ୍ୟାନ୍ୟ ପଦପଦବିରେ ୬ ବର୍ଷ କାମ କରିବା ପରେ ଯାଇ ଓଏଏସ୍ ହେବେ। ରାଜ୍ୟ ସରକାର ଏହି ସମସ୍ୟା ବିଷୟରେ ଦୀର୍ଘ ଦିନରୁ ଅବଗତ ଥିଲେ ହେଁ ଏହାର ନିଷ୍କର୍ଷ ବାହାର କରୁନଥିବାରୁ ଏବେ ଲକ୍ଷାଧିକ ଯୁବକଯୁବତୀଙ୍କ ସିଧାସଳଖ ଓଏଏସ୍ ପାଇବା ଆଶା ମରିଯିବାକୁ ବସିଛି।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ନିୟମ ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚଳିତ ମାସ (ଅକ୍ଟୋବରରେ) ଓପିଏସ୍ସିକୁ ବିଭିନ୍ନ ପ୍ରଶାସନିକ ସେବାରେ ଥିବା ଖାଲି ପଦବି ସଂକ୍ରାନ୍ତରେ ସୂଚନା ଦିଆଯିବ। ଏହା ପରେ ଓପିଏସ୍ସି ପକ୍ଷରୁ ମୋଟ୍ ଖାଲି ପଦବିକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ବିନା ଓଏଏସ୍ ପଦବିରେ ଏହି ପରୀକ୍ଷା ହେବାକୁ ଯାଉଛି। ପଦବି ଖାଲି ନାହିଁ ବୋଲି ଓଡ଼ିଶା ସଭିଲ ସର୍ଭିସ୍ ପରୀକ୍ଷାରେ ଓଏଏସ୍ ପଦ ରହିବନି ତାହା ନୁହେଁ। ଓଏଏସ୍ ପଦବି ନ ରହିବାର କାରଣ ହେଉଛି ଓଏଏସ୍ ବାବୁମାନଙ୍କ ମଧ୍ୟରେ ପଦୋନ୍ନତିକୁ ନେଇ ଲାଗିରହିଥିବା ବିବାଦ। ବାଦବିବାଦ ଯୋଗୁ ପଦୋନ୍ନତି ମିଳୁନଥିବାରୁ ଏବେ ୨୦୦ରୁ ଅଧିକ ଅନୁସଚିବ ପାହ୍ୟାର ଅଧିକାରୀ ଉପସଚିବ ହୋଇପାରୁନାହାନ୍ତି। ସେହିପରି ପ୍ରାୟ ୧୦୦ ଜଣ ଉପସଚିବ ପାହ୍ୟାର ଅଧିକାରୀ ଯୁଗ୍ମ ସଚିବ ପଦକୁ ଆସିପାରୁନାହାନ୍ତି। ସିଧାସଳଖ ଓଏଏସ୍ ପାଇ ଯେଉଁମାନେ ଓଏଏସ୍ (ଜେବି) ବିଡିଓ ଏବଂ ଅନ୍ୟାନ୍ୟ ପଦପଦବିରେ ଅଛନ୍ତି ସେମାନେ ମଧ୍ୟ ଉପରକୁ ଉଠିପାରୁନାହାନ୍ତି। ଓଏଏସ୍ ପାଇଲେ ଯେଉଁଠି ଜଣେ ପ୍ରାର୍ଥୀ ପ୍ରଥମ ନିଯୁକ୍ତି ପାଇବ ସେହି ପଦବି ଖାଲି ନାହିଁ। ଫଳରେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୩୦୦ ଓଏଏସ୍ ପଦବି ଖାଲିଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ ଗୋଟିଏ ବି ପଦବି ଖାଲି ଅଛି ବୋଲି ଜଣାଇପାରିବନି। ଏପଟେ ଯେଉଁମାନେ ଦୀର୍ଘ ବର୍ଷ ହେଲା ଅନୁସଚିବ, ଉପସଚିବ ପଦବିରେ କାର୍ଯ୍ୟ କଲେଣି ସେମାନଙ୍କର ପଦୋନ୍ନତି ହେଉନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହା ଆଗାମୀ ଦିନରେ ବିଷମ ସ୍ଥିତି ସୃଷ୍ଟି କରିବାକୁ ଯାଉଛି।
୩୦୦ ଓଏଏସ୍ଙ୍କୁ ପଦୋନ୍ନତି ମିଳୁନଥିବାରୁ ଖାଲି ପଦବି ସୃଷ୍ଟି ହୋଇପାରୁନି
ରାଜସ୍ବ ବିଭାଗର ଅବହେଳାରୁ ବାହାରି ପାରୁନି ନିଷ୍କର୍ଷ
ମଧ୍ୟସ୍ଥତା ବ୍ୟବସ୍ଥା କ’ଣ ଏଠାରେ ଲାଗୁ ହୋଇପାରିବନି?
ସିଭିଲ୍ ସର୍ଭିସ୍ କ୍ୟାଡର୍ରେ ରହିବାକୁ ଥିବା ଅଧିକାରୀଙ୍କର ମୂଳ ବିଭାଗ ହେଉଛି ରାଜସ୍ବ ବିଭାଗ। ସେହି ରାଜସ୍ବ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୧ ବ୍ୟାଚ୍ର ଓଏଏସ୍ ଅଧିକାରୀ ଏବଂ ୨୦୧୫ରେ ପଦୋନ୍ନତି ପାଇ ଓଏଏସ୍ ପାଇଥିବା ଅଧିକାରୀମାନଙ୍କର ପଦୋନ୍ନତିକୁ ନେଇ ବିବାଦ ଲାଗିଛି। ଯେଉଁଥିପାଇଁ ପ୍ରତିବର୍ଷ ରାଜସ୍ବ ବିଭାଗ ପକ୍ଷରୁ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇବାର ନିୟମ ଥିଲେ ହେଁ ୨୦୧୯ ମସିହା ପରେ ଆଉ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇପାରୁନି। ୨୦୨୧ ମସିହାରେ ରାଜସ୍ବ ବିଭାଗ ପକ୍ଷରୁ ଏକ ସମ୍ଭାବ୍ୟ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବରିଷ୍ଠତାକୁ ନେଇ ବିବାଦ ବଢ଼ିଥିଲା, ଆଉ ମାମଲା କୋର୍ଟରେ ପହଞ୍ଚିଲା। ୨୦୨୨ରେ ରାଜସ୍ବ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଏ ନେଇ ସ୍ପଷ୍ଟୀକରଣ ମାଗିଥିଲା। ଏହା ପରେ ଦୁଇ ବ୍ୟାଚ୍ର ଅଧିକାରୀଙ୍କୁ ଏକସଙ୍ଗେ ପଦୋନ୍ନତି ଦେଇ ଅନୁସଚିବରୁ ଉପସଚିବ କରାଯାଇଥିଲା। କିନ୍ତୁ ଉପସଚିବରୁ ଯୁଗ୍ମ ସଚିବ ପଦୋନ୍ନତି ଦିଆଗଲାନି। ଏହା ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ବି କେହି ଆଗ୍ରହ ଦେଖାଉନାହାନ୍ତି। ପଦୋନ୍ନତି ନ ମିଳିବାରୁ ପ୍ରଶାସନିକ ଅସ୍ଥିରତା ଏବଂ ଶତାଧିକ ପଦବି ଖାଲି ପଡ଼ିବାରୁ ସାଧାରଣ ପ୍ରଶାସନ ବିଭାଗ ଚିନ୍ତା ପ୍ରକଟ କରିଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ନେଇ ରାଜସ୍ବ ବିଭାଗକୁ କୋର୍ଟଙ୍କ ଅନୁମତି ବଳରେ ସର୍ତ୍ତମୂଳକ ଗ୍ରେଡେସନ୍ ତାଲିକା ପ୍ରକାଶ କରିବାକୁ କହିଥିଲା। କିନ୍ତୁ କୋର୍ଟରେ ମାମଲା ଅଛି କହି ରାଜସ୍ବ ବିଭାଗ ଏହାକୁ ୫ ମାସ ହେଲା ଅଟକାଇ ରଖିଛି।
ଏଠାରେ ପ୍ରଶ୍ନ ଉଠୁଛି ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ, ସାଧାରଣ ପ୍ରଶାସନ ବିଭାଗ ପଦୋନ୍ନତି ଦେବାକୁ ସୁପାରିସ କରିଛନ୍ତି ତେବେ ରାଜସ୍ବ ବିଭାଗ କାହିଁକି ଆଡଭୋକେଟ୍ ଜେନେରାଲଙ୍କ ସହ ପରାମର୍ଶ କରି ଏବଂ କୋର୍ଟଙ୍କ ଅନୁମତି ନେଇ ଏହି ବିବାଦର ସମାଧାନ କରୁନାହିଁ? ଆଶ୍ଚର୍ଯ୍ୟର ବିଷୟ, ନିକଟରେ ଓଡ଼ିଶାରେ ଆୟୋଜିତ ମଧ୍ୟସ୍ଥତା ସମ୍ମିଳନୀରେ କିପରି ବିଭିନ୍ନ ବିବାଦର କୋର୍ଟ ବାହାରେ ଆପୋସ ସମାଧାନ ହୋଇପାରିବ ସେ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଓଡ଼ିଶା ହାଇକୋର୍ଟ ସମେତ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଗଣ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବହୁ ଉପାଦେୟ ପରାମର୍ଶ ଦେଲେ। ଏହି ମଧ୍ୟସ୍ଥତା ଫର୍ମୁଲା କ’ଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅଧିକାରୀମାନଙ୍କ ବିବାଦ ସମାଧାନ କ୍ଷେତ୍ରରେ ଲାଗୁ ହୋଇପାରିବନି? ମାତ୍ର କେତେ ଜଣ ଅଧିକାରୀଙ୍କ ବିବାଦ ପାଇଁ ଲକ୍ଷାଧିକ ଯୁବକଯୁବତୀଙ୍କ ସ୍ବପ୍ନକୁ ଚୂରମାର୍ କରିଦିଆଯିବ?