ଭୁବନେଶ୍ବର: ୧୫ ଦିନ ହେଲା ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାବାସୀଙ୍କୁ ହନ୍ତସନ୍ତ କରୁଥିବା ଅସହ୍ୟ ତାତି ଆଜି ଉପକୂଳରେ ପାଦ ଥାପିଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଦ୍ବୈତନଗରୀ (ଭୁବନେଶ୍ବର ଓ କଟକ)ର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆଜି କଟକରେ ସର୍ବୋଚ୍ଚ ୪୦.୫ ଡିଗ୍ରି ଓ ଭୁବନେଶ୍ବରରେ ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ରାଜ୍ୟର ୨୧ ସହରର ପାରଦ ୪୦ ଡିଗ୍ରି ଡେଇଁଛି। ୪୩.୫ ଡିଗ୍ରି ସହ ଅନୁଗୁଳ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ପଛକୁ ରହିଥିଲା ବଲାଙ୍ଗୀର। ଏଠାରେ ଆଜି ତାପମାତ୍ରା ୪୩.୨ ଡିଗ୍ରି ରହିଥିଲା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ସମଗ୍ର ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ତାତି ବଢ଼ିବ ନାହିଁ କିମ୍ବା କମିବାର ବି ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସୂଚନା ଦେଇଛି।
ଅପରପକ୍ଷେ ଆସନ୍ତା ୨୧ ଓ ୨୨ ତାରିଖ ଆଡ଼କୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଫଳରେ ଉପକୂଳ ଓଡ଼ିଶା ସାମାନ୍ୟ ଆଶ୍ବସ୍ତ ହେବ। କିନ୍ତୁ ଆଭ୍ୟନ୍ତର ଓ ପଶ୍ଚିମରେ ତାତି ଜାରି ରହିବ ବୋଲି କେନ୍ଦ୍ର କହିଛି। ୨୧ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ଅପରାହ୍ଣ ଆଡ଼କୁ କାଳବୈଶାଖୀର ସମ୍ଭାବନା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ୨୨ତାରିଖ ଦିନ ସମଗ୍ର ଉପକୂଳ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/tempture.jpg)