ଏଥର ବଢ଼ିବ ଡ୍ରପ୍‌ ଆଉଟ୍! ପିଲାଙ୍କୁ ମିଳିବନି ଯୁକ୍ତ୩ ପଢ଼ିବା ସୁଯୋଗ

ସିଟ୍‌ ତୁଳନାରେ ୧୨ ହଜାର ଅଧିକ ପଞ୍ଜୀକରଣ, ବଢ଼ିବ କଟ୍‌ ଅଫ୍‌ ମାର୍କ, ନିରାଶ ହେବେ ମେଧାବୀ

ଭୁବନେଶ୍ବର: ଯୁକ୍ତ୩ ତଥା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ବହୁ ପିଲା ଏଥର କଲେଜରେ ସିଟ୍‌ ନ ପାଇବା ଆଶଙ୍କା ସୃଷ୍ଟି ହୋଇଛି । କିଏ ନିଜ ମନ ପସନ୍ଦର ବିଷୟରେ ପଢ଼ିପାରିବେ ନାହିଁ ତ ଆଉ କିଏ ଭଲ କଲେଜ ପାଇବେ ନାହିଁ। ଏମିତିକି କିଛି ପିଲାଙ୍କର ସବୁଦିନ ପାଇଁ ପାଠପଢ଼ାରେ ଡୋରି ବନ୍ଧା ହୋଇଯିବ। କାରଣ ଏଥର ସିଟ୍‌ ତୁଳନାରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ଅକ୍ଟୋବର ମାସରେ ଆଉ ଗୋଟିଏ ପର୍ଯ୍ୟୟ ନାମଲେଖା ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଇତିମଧ୍ୟରେ ଘୋଷଣା କରି ସାରିଥିବାରୁ ସମସ୍ୟା ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ତୃତୀୟ ଶ୍ରେଣୀରେ ପାସ୍‌ କରିଥିବା ବହୁ ଛାତ୍ରଛାତ୍ରୀ ଏଥର ସ୍ନାତକ ଶିକ୍ଷାରୁ ବଞ୍ଚିତ ହେବେ। କେବଳ ସେତିକି ନୁହେଁ; ବିଜେବି, ରମାଦେବୀ, ରେଭେନ୍ସା, ଫକୀରମୋହନ, ଗଙ୍ଗାଧର ମେହେର, ଖଲ୍ଲିକୋଟ ଭଳି ପ୍ରମୁଖ କଲେଜରେ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ମେଧାବୀ ପିଲାମାନଙ୍କୁ ବି ନାରାଶ ହେବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟ ଆବେଦନ ପରେ ଜଣାପଡ଼ିଛି ଯେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ଏବର୍ଷ ୯୬% ଉପରେ ରହିବ। କାରଣ ସିବିଏସ୍‌ଇ, ସିଏଚ୍‌ଏସ୍‌ଇ, ଆଇସିଏସ୍‌ସିଇ ପରି ବୋର୍ଡ ଅଧୀନରେ ପରୀକ୍ଷା ଦେଇ ୯୫%ରୁ ଅଧିକ ମାର୍କରେ ଉତ୍ତୀର୍ଣ୍ଣ ହୋଇଥିବା ଅଧିକାଂଶ ଛାତ୍ରଛାତ୍ରୀ ବିଜେବିକୁ ହିଁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ଯୁକ୍ତ୩ ପାଇଁ ସାରା ରାଜ୍ୟରେ ୨ ଲକ୍ଷ ୪୯ ହଜାର ୬୯୯ ସିଟ୍‌ ରହିଥିବା ବେଳେ ୨ ଲକ୍ଷ ୬୨ ହଜାର ୨୬୩ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ୫୨୨ ଜଣ ଆବେଦନ କରିଛନ୍ତି ଏବଂ ୨ ଲକ୍ଷ ୪୧ ହଜାର ୯୨୧ ଜଣ ଫି’ ଦାଖଲ କରିଛନ୍ତି। ଅର୍ଥାତ୍‌ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ହଜାର ୭୪୧ ପିଲା ଆବେଦନ କରିନାହାନ୍ତି। ଯେତେବେଳେ କି ୨୦ ହଜାର ୩୪୨ ଜଣ ଛାତ୍ରଛାତ୍ରୀ ଫି’ ଦାଖଲ କରିନାହାନ୍ତି। ଅର୍ଥାତ୍‌ ସିଟ୍‌ ତୁଳନାରେ ୧୨ ହଜାର ୫୬୪ ପିଲା ଅଧିକ ପଞ୍ଜୀକରଣ କରିଛନ୍ତି। ମାତ୍ର ଆବେଦନ ତୁଳନାରେ ୬୧୭୭ ସିଟ୍‌ ଅଧିକ ରହିଛି। କଳା ଓ ବିଜ୍ଞାନ ବିଭାଗରେ ନାମଲେଖା‌ ପାଇଁ ରେକର୍ଡ ସଂଖ୍ୟକ ଆବେଦନ ହୋଇଛି। ଏଥର କଳା ବିଭାଗରେ ୧ ଲକ୍ଷ ୩୯ ହଜାର ୨୪୧, ଫିଜିକାଲ ସାଇନ୍ସରେ ୪୨ ହଜାର ୫୦୯, ବାୟୋଲୋଜିକାଲ ସାଇନ୍ସରେ ୨୬ ହଜାର ୮୨୮, ବାଣିଜ୍ୟରେ ୩୦ ହଜାର ୪୩୫, ସେଲ୍ଫ ଫାଇନାନ୍ସିଂରେ ୧୬୩୪ ଓ ସଂସ୍କୃତ ବିଭାଗରେ ୯ ହଜାର ୫୨ ସିଟ୍‌ରେ ନାମଲେଖା ହେବ।

୨୦୨୦-୨୧ ତୁଳନାରେ ଏଥର ଅଧିକ ପିଲା ଯୁକ୍ତ୨ ପାସ୍‌ କରିଥିଲେ ମଧ୍ୟ ଯକ୍ତ୩ରେ ସିଟ୍‌ ସଂଖ୍ୟା ବୃଦ୍ଧି ନ କରି ହ୍ରାସ କରାଯିବା ଏବେ ସମସ୍ୟା ସୃଷ୍ଟି କରିଛି। ଗତବର୍ଷ ତୁଳନାରେ ଏଥର ୨୬୪ଟି ସିଟ୍‌ ହ୍ରାସ ପାଇଛି। ଏହାଦ୍ବାରା ପିଲାମାନଙ୍କୁ ଅଧାରୁ ପାଠ ଛାଡ଼ିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବାଟ ଖୋଲିଥିବା ଶିକ୍ଷାବିତ୍‌ମାନେ ମତ ପୋଷଣ କରିଛନ୍ତି। କାରଣ ଆଗକୁ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହ ଯେଉଁମାନେ ନାମ ପଞ୍ଜୀକରଣ କରି ଆବେଦନ କରିନାହାନ୍ତି ସେମାନେ ବି ପରବର୍ତୀ ସମୟରେ ଯୁକ୍ତ୩ରେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ଅର୍ଥାତ୍‌ ଆହୁରି ୧୦ରୁ ୧୫ ହଜାର ପିଲା ଯୁକ୍ତ୩ ପଢ଼ିବା ଲାଗି ଆସିବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ଯେଉଁଠାରେ ଭିତ୍ତିଭୂମି ରହିଛି, ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନେବାକୁ କେତେକ କଲେଜ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୦-୨୧ରେ ୨ ଲକ୍ଷ ୪୯ ହଜାର ୯୬୩ ସିଟ୍‌ ପାଇଁ ନାମଲେଖା ହୋଇଥିଲା। ସେଥିମଧ୍ୟରୁ ୧ ଲକ୍ଷ ୬୮ ହଜାର ୭୦୬ ସିଟ୍‌ ପୂରଣ ହୋଇଥିବା ବେଳେ ୮୧ ହଜାର ୨୫୮ ସିଟ୍‌ ବଳକା ପଡ଼ିଥିଲା। ୨୦୧୯-୨୦ରେ ୨ ଲକ୍ଷ ୫୨ ହଜାର ୫୧୯ ସିଟ୍‌ ପାଇଁ ନାମଲେଖା ହୋଇଥିବା ବେଳେ ୫୫ ହଜାର ୬୪୬ ସିଟ୍‌ ବଳକା ପଡ଼ିଥିଲା।

ସମ୍ବନ୍ଧିତ ଖବର