କଟକ: ଅତ୍ୟାଧୁନିକ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ), ଲାଇଭ୍‌ କ୍ୟାମେରା, ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଭୟ ରହିଛି। ତଥାପି କିଛି ଅସାଧୁ ଲୋକ ପରୀକ୍ଷା ବ୍ୟବସ୍ଥାକୁ ଭଣ୍ଡୁର କରିବା ଲାଗି ଷଡ୍‌ଯନ୍ତ୍ର ଆରମ୍ଭ କରିଦେଇଛନ୍ତି। ଆଜି ମାଟ୍ରିକ୍‌ ପରୀକ୍ଷାର ଗଣିତ ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ଆରମ୍ଭ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଗଣିତ ପ୍ରଶ୍ନ ଓ ତାହାର ଉତ୍ତର ଘୂରି ବୁଲିଥିଲା। ଏଯାଏ ଶେଷ ହୋଇଥିବା ୩ଟି ପରୀକ୍ଷାରୁ ୨ଟି ପରୀକ୍ଷାର ପ୍ରଶ୍ନପତ୍ର ଏଭଳି ଢଙ୍ଗରେ ପଦାକୁ ଆସିବା ପରେ ମାଧ୍ୟମିକ ଶିକ୍ଷା ପରି‌ଷଦ (ବୋର୍ଡ) କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ବଢ଼ିଛି। ପ୍ରଥମ ଭାଷା(ଓଡ଼ିଆ)କୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ପରୀକ୍ଷା ଇଂରାଜୀ ଓ ଗଣିତର ପ୍ରଶ୍ନପତ୍ର ଲିକ୍ ହୋଇଥିବା କୁହାଯାଉଛି। ହେଲେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ଅସ୍ବୀକାର କରିଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମକୁ ଅବିକଳ ପ୍ରଶ୍ନ କେମିତି ଆସୁଛି ତା’ ଉପରୁ ରହସ୍ୟ ଉନ୍ମୋଚନ କରିପାରିନାହାନ୍ତି। ବାସ୍ତବରେ ପ୍ରଶ୍ନପତ୍ର ଲିକ୍ କରିବା ଲାଗି କେହି ଏଭଳି ଉଦ୍ୟମ କରୁଛନ୍ତି ନା ବୋର୍ଡକୁ ବଦନାମ୍‌ କରିବା ଲାଗି ଏଭଳି କରାଯାଉଛି, ତାହା ଉପରୁ ମଧ୍ୟ ରହସ୍ୟ ଉଠିପାରିନାହିଁ। ଏଭଳି ପରିପ୍ରେକ୍ଷୀରେ ଅବଶିଷ୍ଟ ତିନିଟି ବିଷୟ ପରୀକ୍ଷାକୁ କିଭଳି ଠିକ୍‌ ଢଙ୍ଗରେ ପରିଚାଳନା କରାଯିବ, ତାହା ଚିନ୍ତାର ବିଷୟ ହୋଇଛି।

Advertisment

ଆଜି ମାଟ୍ରିକ୍‌ର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଷୟ ‘ଗଣିତ’ ପରୀକ୍ଷା ଥିଲା। କେନ୍ଦୁଝର ଓ ମୟୂରଭଞ୍ଜ ଅଞ୍ଚଳରେ ପ୍ରଥମେ ସୋସିଆଲ ମିଡିଆରେ ଘୂରି ବୁଲିଥିଲା ଗଣିତ ବିଷୟର ଦ୍ବିତୀୟ ଭାଗ(ଦୀର୍ଘଉତ୍ତରମୂଳକ)ର ସମସ୍ତ ପ୍ରଶ୍ନ(ବୋର୍ଡ ପ୍ରଦତ୍ତ ସେଟ୍‌-ସି’ ପ୍ରଶ୍ନପତ୍ରର ଫଟୋଚିତ୍ର) ସହିତ ଏହାର ଉତ୍ତର। ପରୀକ୍ଷା ହଲ୍ ଖୋଲିବା ପୂର୍ବରୁ ଗଣିତ ପ୍ରଶ୍ନପତ୍ର ସହିତ ପ୍ରଶ୍ନର ଉତ୍ତର ଭାଇରାଲ ହେବା ଘଟଣାକୁ କେହି ବିଶ୍ବାସ କରିପାରିନଥିଲେ। ହେଲେ ପରୀକ୍ଷା ସରିବା ପରେ ବୋର୍ଡ ପ୍ରସ୍ତୁତ ମୂଳପ୍ରଶ୍ନ ସହିତ ଏସବୁ ମିଶିଯାଇଥିଲା। ପ୍ରଶ୍ନ ଓ ଉତ୍ତରକୁ ଦେଖିବା ପରେ ଜଣାପଡ଼ିଥିଲା ଯେ ଯେଉଁ ଦୀର୍ଘଉତ୍ତରମୂଳକ ପ୍ରଶ୍ନ ସିଧାସଳଖ ଆସିଛି, ତାହାର ଉତ୍ତରକୁ କୌଣସି ଟେଷ୍ଟ ପେପର କିମ୍ବା ପ୍ରାକ୍ଟିସ୍ ବୁକ୍‌ରୁ କଟାଯାଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଛଡ଼ାଯାଇଛି। ଏଭଳି କସରତ ପାଇଁ ଦୀର୍ଘ ସମୟ ଲାଗିଥିବ। ତେଣୁ ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ଏଭଳି ହୋଇଥିବା ସ୍ପଷ୍ଟ ହୋଇଛି। ପୁଣି ସଂକ୍ଷିପ୍ତ ପ୍ରଶ୍ନ(ଅବ୍‌ଜେକ୍ଟିଭ୍ ପାର୍ଟ)ର ସମସ୍ତ ୫୦ଟି ଯାକ ପ୍ରଶ୍ନର ଉତ୍ତର ନିର୍ଣ୍ଣୟ କରାଯାଇ ସେଟ୍‌ ଅନୁସାରେ ତାହାକୁ ହାତରେ ଲେଖାଯାଇ ସୋସିଆଲ୍‌ ମିଡିଆରେ ଛଡାଯାଇଛି। ‌

ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ପ୍ରଶ୍ନପତ୍ର ଲିକ୍‌କୁ ସଂପୂର୍ଣ୍ଣ ଅସ୍ବୀକାର କରିଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ ୩ ହଜାର ୪୭ କେନ୍ଦ୍ରରେ ପରୀକ୍ଷା ଠିକ୍‌ରେ ଚାଲିଛି। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନାହିଁ। ପିଲାମାନେ ଏଥିରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ। ପରୀକ୍ଷାକୁ ଠିକ୍‌ ଭାବେ ଦିଅନ୍ତୁ ବୋଲି ଶ୍ରୀ ତରାଇ ପରାମର୍ଶ ଦେବା ସହିତ କିଛି ଦୁର୍ବୃତ୍ତ ବୋର୍ଡକୁ ବଦନାମ କରିବା ଲାଗି ପରୀକ୍ଷା ପରେ ଏଭଳି ଭାଇରାଲ କରୁଥିବା କହିଛନ୍ତି। ଏମିତିକି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ପିଲାଙ୍କୁ ମତାଇ ଏଭଳି କରାଉଥିବା ଶ୍ରୀ ତରାଇ ଖୋଲାଖୋଲି ଅଭିଯୋଗ କରିଛନ୍ତି। କିନ୍ତୁ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବାର ରେକର୍ଡ ଥିଲେ ବି ଏହାକୁ ବୋର୍ଡ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଫାଙ୍କି ଦେବା ଘଟଣାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ପ୍ରଶାସନ

କେନ୍ଦୁଝର: ଗଣିତ ପ୍ରଶ୍ନପତ୍ର ଲିକ୍‌ ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସନ୍ଧ୍ୟା‌ରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ ସ୍ପଷ୍ଟୀକରଣ ‌ରଖିଛନ୍ତି। ଚିଠି ନମ୍ବର-୨୭୭୨ରେ ଜିଲ୍ଲା ଶିକ୍ଷାଧିକାରୀ ଗୌରୀରାଣୀ ନାଏକ ଦର୍ଶାଇଛନ୍ତି ଯେ କେନ୍ଦୁଝର ଜିଲ୍ଲାରୁ ମାଟ୍ରିକ୍‌ ଗଣିତ ପ୍ରଶ୍ନପତ୍ର ପ୍ରଘଟ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ବାରମ୍ବାର ଖବର ପରିବେଷଣ କରାଯାଇଥିଲା। ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଏ ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁସନ୍ଧାନ ଓ ତର୍ଜମା କରାଯାଇଥିଲା। ପ୍ରସାରିତ ଖବରର ସତ୍ୟତା ଓ ଆଧାର ନଥିବା ଜଣାଯାଇଛି। ମାଟ୍ରିକ୍‌ ପରୀକ୍ଷା ସମ୍ପର୍କରେ ସତ୍ୟତା ନଜାଣି ଅପପ୍ରଚାର କରୁଥିବା ଓ ଏହା ଉପରେ ମନ୍ତବ୍ୟ ରଖି ଅଶାନ୍ତ ବାତାବରଣ ସୃଷ୍ଟି କରି ପରୀକ୍ଷାର୍ଥୀଙ୍କୁ ବିଭ୍ରାନ୍ତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କୌଣସି ଅପପ୍ରଚାର କିମ୍ବା ଚାପର ବଶବର୍ତ୍ତୀ ନହୋଇ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚିଠି ମାଧ୍ୟମରେ ପରାମର୍ଶ ଦିଆଯାଇଛି।