ସେ ପ୍ରତିଭାମୟୀ। ତାଙ୍କ ଶବ୍ଦର ଯାଦୁରେ ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ମୁଗ୍ଧ କରି ରଖିଛନ୍ତି ପାଠକମାନଙ୍କୁ। କବିତାରୁ ଆରମ୍ଭ କରି କ୍ରମେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସ୍ତମ୍ଭ ରଚନା, ଭ୍ରମଣକାହାଣୀ ପର୍ଯ୍ୟନ୍ତ ସାମିଲ୍ ହୋଇଛନ୍ତି ତାଙ୍କ ସାରସ୍ବତ ସାଧନା ପଥରେ। ‘ବର୍ଷା, ବସନ୍ତ, ବୈଶାଖ’ରୁ ଆରମ୍ଭ କରି ‘ଦୟାନଦୀରୁ ନିରଞ୍ଜନା’ ତଟରେ ପହଞ୍ଚିଛନ୍ତି ସିଏ। ମହାଭାରତର ମହାନାୟିକା ‘ଯାଜ୍ଞସେନୀ’ଙ୍କୁ ଆଧୁନିକ ଭାରତର ଦୁଇ ତିନିଟି ପିଢ଼ିର ପରମପ୍ରିୟ ନାରୀଚରିତ୍ର ଭାବରେ ଗଢ଼ିତୋଳିଛନ୍ତି। ସାତଟି ମହାଦେଶ ପରିଭ୍ରମଣ କରିବାର ଅନୁପମ ଅନୁଭବ ପାଠକମାନଙ୍କ ସହିତ ବାଣ୍ଟିଛନ୍ତି। ଦେଶ ବିଦେଶରେ ବିପୁଳ ପାଠକୀୟତା, ପ୍ରଶଂସା, ପ୍ରସିଦ୍ଧି ଓ ସମ୍ମାନରେ ଝଲମଲ ତାଙ୍କ ସୃଜନର ପୃଥିବୀ। ୧୯୪୪ରେ ଜନ୍ମିତା ପଦ୍ମବିଭୂଷଣ ପ୍ରତିଭା ରାୟ ଅଶୀତିପର ବୟସରେ ଏବେବି ଯୁବସୁଲଭ, ଚଳଚଞ୍ଚଳ ତାଙ୍କର ଅତନ୍ଦ୍ର କଲମ ସହିତ। 

Advertisment

 କାତ୍ୟାୟନୀ ନା ନାରାୟଣୀ ନାରୀର କେଉଁ ରୂପଟି ଆପଣଙ୍କୁ ଅଧିକ ପ୍ରଭାବିତ କରେ? 
ନାରୀର ନାରାୟଣୀ ରୂପଟି ମୋତେ ଅଧିକ ପ୍ରଭାବିତ କରେ। ନାରାୟଣୀ ସତ୍ତା ଭିତରେ କାତ୍ୟାୟାନୀ ମଧ୍ୟ ଥାଏ, ଆବଶ୍ୟକ ସ୍ଥଳେ ତାହା ପ୍ରକାଶ ପାଏ। ନାରୀ ସୃଷ୍ଟି ପାଳନ କରେ ନାରାୟଣୀ ରୂପରେ। ଗୋଟିଏ ମାଆକୁ ତା’ର ଶିଶୁମାନେ ଯେଉଁ ରୂପରେ ଭଲ ପାଇଥାନ୍ତି ମୁଁ ସେହି ରୂପରେ ପ୍ରଭାବିତ। ମୋ ପିଲା, ଜଗତଯାକର ପିଲା, ଗଛବୃଚ୍ଛ, ପଶୁପକ୍ଷୀ ଏବଂ ମୋ ସାହିତ୍ୟର ମୁଁ ହେଉଛି ମାଆ। ମୁଁ ନିଚ୍ଛକ ମାଆଟିଏ। ମାତୃଭାବ ହିଁ ଶ୍ରେଷ୍ଠ ଭାବ ଯେଉଁଥିରେ ପ୍ରତିହିଂସା ନଥାଏ, ଥାଏ କ୍ଷମାଭାବ।

ଆପଣଙ୍କ ଯାଜ୍ଞସେନୀ ଉପନ୍ୟାସର ଶତାଧିକ ସଂସ୍କରଣ ହୋଇ ସାରିଲାଣି। ବିଭିନ୍ନ ଭାଷାରେ ଏହାର ଅନୁବାଦ ହୋଇଛି। ଦେଶବିଦେଶରେ ଏହା ଅନେକ ପୁରସ୍କାର ଓ ପ୍ରଶଂସା ପାଇଛି। ୮୪ ମସିହାରୁ ଏଯାଏ ଏହାର ଲୋକପ୍ରିୟତା କମିନାହିଁ। ଏହାର କାରଣ କ’ଣ ହୋଇପାରେ? 
ଯାଜ୍ଞସେନୀ ଉପନ୍ୟାସର ୧୦୦ ସଂସ୍କରଣ ଉତ୍ସବ “ଶତଦଳରେ ଯାଜ୍ଞସେନୀ” ୨୦୧୮ ମସିହାରେ ପାଳନ କରାଯାଇଥିଲା। ଏ ଭିତରେ ଯାଜ୍ଞସେନୀର ୧୧୯ ସଂସ୍କରଣ ହୋଇଛି। ମୁଁ ସେହି ଉତ୍ସବରେ କହିଥିଲି ଯେ ଯାଜ୍ଞସେନୀ ଉପନ୍ୟାସକୁ ଯଦି ପ୍ରଥମରୁ ଆଦ୍ୟା ପ୍ରକାଶନୀ ଛାପିଥାଆନ୍ତା ତେବେ ୨୦୧୮ର ବହୁ ବର୍ଷ ପୂର୍ବରୁ ଶହେ ସଂସ୍କରଣ ଉତ୍ସବ ପାଳନ ହୋଇଥାନ୍ତା। ପ୍ରଥମ ପାଂଚ ବର୍ଷ ଯାଜ୍ଞସେନୀ କଟକ ବିନୋଦ ବିହାରୀର ଜଣେ ପ୍ରକାଶନଙ୍କ ହାତରେ ଥିଲା। ସେ ମୋତେ ୧୦୦୦ କପିର ରୋୟାଲିଟି ଦେଉଥିଲେ କିନ୍ତୁ ମୋତେ ଖବର ମିଳିଲା ଯେ ପ୍ରତି ସଂସ୍କରଣରେ ପାଂଚ ହଜାର ସେ ଛାପୁଥିଲେ। ଯେଉଁ ବର୍ଷ ଯାଜ୍ଞସେନୀ ପାଇଁ ମୂର୍ତିଦେବୀ ପୁରସ୍କାର (୧୯୯୧) ମୁଁ ପାଇଲି ସେ ବର୍ଷ ପ୍ରକାଶକ ଦଶ ହଜାର କପି ଛାପିଥିଲେ। ଏହା ନିର୍ଭରଯୋଗ୍ୟ ଖବର ଥିଲା। ମୁଁ ଏହି ମିଥ୍ୟାଚାରକୁ ସହ୍ୟ ନକରିପାରି ପ୍ରକାଶକଙ୍କ ନିକଟରୁ ଯାଜ୍ଞସେନୀ ଛଅ ବର୍ଷ ପରେ ଫେରାଇଆଣିଲି ଓ ଆଦ୍ୟା ପ୍ରକାଶନୀ ଛାପିଲା। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଯାଜ୍ଞସେନୀ ପ୍ରଥମରୁ ହିଁ ପାଠକର ଆଦୃତି ଲାଭ କରିଥିଲା। ହିନ୍ଦୀ ଭାଷାରେ ପ୍ରଥମେ ଏହାର ଅନୁବାଦ ହୋଇଥିଲା ୧୯୮୮ରେ ଛପା ହୋଇଥିଲା। ତା’ପରେ ଏହା ହିନ୍ଦୀ ପାଠକଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇଥିଲା। ହିନ୍ଦୀରୁ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଅନୂଦିତ ହୋଇ ବହୁ ସଂସ୍କରଣ ହେଲା। ଇଂରାଜୀରେ ଏହାକୁ ଛାପିଛନ୍ତି ରୁପା ପବ୍ଲିସର୍ସ। ତାହା ମଧ୍ୟ ପଚିଶ ସଂସ୍କରଣ ହୋଇସାରିଛି। ଏପରି ପାଠକୀୟ ଆଦୃତି ମୋ ପାଇଁ ଏକ ବିସ୍ମୟ। ଏ ଭିତରେ ମୋର କଳିଙ୍ଗ ଯୁଦ୍ଧ ସମ୍ପର୍କିତ ଉପନ୍ୟାସ ‘ଦୟାନଦୀରୁ ନିରଞ୍ଜନା’ ପ୍ରକାଶ ପାଇଲା। ଏହା ମୋର ଚବିଶତମ ଉପନ୍ୟାସ। ପ୍ରତ୍ୟେକ ଉପନ୍ୟାସ ଭିତରେ ମୁଁ ‘କାୟା ପ୍ରବେଶ’ ନୁହେଁ ‘ଆତ୍ମା ପ୍ରବେଶ’ କରି ଲେଖେ। ଯେଉଁ ବିଷୟରେ ଲେଖେ ସେହି ସମୟକୁ ସେହି ସଂସ୍କୃତିକୁ ଚାଲିଯାଏ। ମୁଁ ସବୁବେଳେ କହିଆସିଛି ଯେ “ମାଟିରେ ବସି ମୁଁ ରକ୍ତରେ ଲେଖେ ସାହିତ୍ୟ।” ଏହି ପଦିଏ କଥାରୁ ଆପଣ ବୁଝିପାରିବେ ଯେ ମୁଁ କିପରି ମଗ୍ନହୋଇ ଉପନ୍ୟାସଟିଏ ଲେଖେ। ଯାଜ୍ଞସେନୀ ସମୟରେ ମଧ୍ୟ ମୁଁ ସେହିପରି ମଗ୍ନହୋଇ ଲେଖିଥିଲି। ଯାଜ୍ଞସେନୀର ଏହି ଲୋକପ୍ରିୟତା ଅନେକଙ୍କର ବିଶ୍ୱାସଯୋଗ୍ୟ ହୁଏ ନାହିଁ। କେତେଜଣ ଆସି ଛପା ହେଉଥିବା ପ୍ରେସ୍‌ରେ ପଚାରିଛନ୍ତି। ଏବକୁ ଯାଜ୍ଞସେନୀ ଅଧିକରୁ ଅଧିକ ବିକ୍ରି ହେଉଛି। ମୁଁ ବିସ୍ମିତା ହେଲେ ମଧ୍ୟ ଆନନ୍ଦିତା ଯେ ଏ ପିଢ଼ିର ପାଠକ ମଧ୍ୟ ଯାଜ୍ଞସେନୀ ପଢ଼ୁଛନ୍ତି। ମୁଁ ଭାବୁଛି ମଣିଷର ଭାଗ୍ୟଭଳି ପୁସ୍ତକର ମଧ୍ୟ ଭାଗ୍ୟ ଥାଏ। ହୁଏତ ଯାଜ୍ଞସେନୀ ସେହିଭଳି ଏକ ଲଗ୍ନରେ ଭୂମିଷ୍ଠ ହୋଇଥିଲା। ଏହି ପ୍ରଶ୍ନଟି ଆପଣ ମୋତେ ନକରି ଜଣେ ସାହିତ୍ୟ ସମାଲୋଚକ ବା ବରିଷ୍ଠ କନିଷ୍ଠ ପାଠକଙ୍କୁ ପଚାରିଥିଲେ ଉତ୍ତର ମିଳିଥାନ୍ତା।

 କେଉଁ ଭାବଭୂମିରେ ଅହଲ୍ୟାଙ୍କୁ ଆପଣ ମହାମୋହର ମହାନାୟିକା ଭାବରେ ଚିନ୍ତା କଲେ?
ଅବହେଳିତ, ଦଳିତ ଏବଂ ଭୁଲ୍ ବୁଝାମଣାର ଶିକାର ହୋଇଥିବା ଚରିତ୍ରମାନେ ମୋର ଆହ୍ୱାନ ହୋଇ ଠିଆ ହୁଅନ୍ତି। ଯାଜ୍ଞସେନୀ ମଧ୍ୟ ଭୁଲ୍ ବୁଝାମଣାର ଶିକାର ହୋଇଥିବା ଏକ ଚରିତ୍ର - ଅହଲ୍ୟା ମଧ୍ୟ। ମାତ୍ର କେତେ ଧାଡ଼ିରେ ଅହଲ୍ୟାଙ୍କର ଚରିତ୍ର ସଂହାର ହୋଇଛି ଏବଂ କାଳ କାଳ ପାଇଁ ସେ ନିନ୍ଦିତା ହୋଇ ରହିଛନ୍ତି। ଶାସ୍ତ୍ର ଅନୁଯାୟୀ ରାମଙ୍କ ସ୍ପର୍ଶରେ ଅହଲ୍ୟା ଶାପମୁକ୍ତ ହୋଇଛନ୍ତି ଯାହାଫଳରେ ରାମ ମହାନ ହୋଇଛନ୍ତି ଏବଂ ଅହଲ୍ୟାର ପାପ ଯୋଉଠି ଥିଲା ସେଇଠି ଅଛି। ଅହଲ୍ୟା ମୋତେ ସବୁକାଳରେ ଆନ୍ଦୋଳିତ କରନ୍ତି, ଉସ୍‌କାନ୍ତି, ଆହ୍ୱାନ ଦିଅନ୍ତି ଯେ ତୁ କ’ଣ ମୋତେ ବୁଝାଇପାରିବୁ? ବର୍ଷ ବର୍ଷର ଏହି ପ୍ରଶ୍ନ ମୋ ଭିତରେ ମହାମୋହକୁ ଜନ୍ମ ଦେଲା। ମହାମୋହ ମୋର ହୃଦୟର ନିକଟତମ ଉପନ୍ୟାସ। ଏହି ଉପନ୍ୟାସର ପାଠକ ଅହଲ୍ୟାକୁ ଚିହ୍ନିପାରିଛନ୍ତି ବୋଲି ମୋତେ ପତ୍ର ଦେଇଛନ୍ତି। ତାହା ହିଁ ଏହି ଉପନ୍ୟାସର ସଫଳତା।

 ଆପଣ ନିଜକୁ ଜଣେ ନାରୀବାଦୀ ଲେଖିକା ବୋଲି ଭାବନ୍ତି କି?
ନାରୀବାଦୀ ଲେଖିକା ଭାବରେ ମୋର ପରିଚୟ ପ୍ରଦାନକୁ ମୁଁ ଅସ୍ୱୀକାର କରେ। କେବଳ ନାରୀର ସମସ୍ୟାକୁ ନେଇ ମୁଁ ଲେଖେ ନାହିଁ, ପୁରୁଷର ସମସ୍ୟା, ସମାଜର ସମସ୍ୟା, ପୃଥିବୀର ସମସ୍ୟା, ପ୍ରକୃତିର ସମସ୍ୟାକୁ ନେଇ ମୁଁ ଲେଖେ। ମୁଁ ମାନବବାଦୀ ବୋଲି ପରିଚୟ ଦିଏ। ନାରୀବାଦ ଭିତରେ ମହାନ ମାନବବାଦ ବି ଅଛି। କାରଣ ନାରୀ ବି ଜଣେ ମଣିଷ। ଏବେ ତ ଇକୋଫେମିନିଜିମ୍ ସାହିତ୍ୟରେ ପ୍ରାଧାନ୍ୟଲାଭ କଲାଣି। ଶେଷ ଈଶ୍ୱର ଉପନ୍ୟାସ ପଢ଼ି କୁହନ୍ତୁ ତାହା ନାରୀବାଦ ନା ମାନବବାଦ ଉପରେ ପ୍ରତିଷ୍ଠିତ। ମଗ୍ନମାଟି ଉପନ୍ୟାସରେ ଇକୋଫେମିନିଜିମ୍‌ର ସ୍ୱର ତୀବ୍ର। ମଣିଷ ପ୍ରକୃତିକୁ ସଂହାର କଲେ ପ୍ରକୃତି ମଣିଷକୁ ସଂହାର କରେ।

 ଆପଣଙ୍କ ଅଧ୍ୟପନା ସମୟର କଲେଜ କ୍ୟାମ୍ପସ୍‌ ଓ ଆଜିକାଲିର କଲେଜ କ୍ୟାମ୍ପସ୍‌ ଭିତରେ କେଉଁ ପାର୍ଥକ୍ୟଟି ଆପଣଙ୍କୁ ଦୁଃଖୀ କରୁଛି? କେଉଁ କଥାଟି ହେଲେ ଛାତ୍ରୀମାନେ କଲେଜ ପରିସରରେ ନିଜକୁ ସୁରକ୍ଷିତ ମଣିବେ?
ମୋ ଅଧ୍ୟାପନା ସମୟ ବେଳକୁ ମୋ ଅଧ୍ୟୟନର ସମୟ ବଦଳିଯାଇଥିଲା। ମୁଁ ରେଭେନ୍ସା କଲେଜରେ ପଢ଼ିଥିଲି ଏବଂ ଅଧ୍ୟାପନା ଚାକିରି ସେହିଠାରୁ ଆରମ୍ଭ। ସେତେବେଳକୁ ମଧ୍ୟ କ୍ୟାମ୍ପସ୍‌ର ପରିବେଶ ବଦଳିଯାଇଥିଲା। ମୁଁ ପଢ଼ିବା ସମୟରେ ଆମ ପ୍ରାକ୍ଟିକାଲ୍ ଗ୍ରୁପ୍ ଓ ଟ୍ୟୁଟୋରିୟାଲ୍ ଗ୍ରୁପ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେଉନଥିଲା। ଛାତ୍ରମାନେ ଛାତ୍ରୀମାନଙ୍କୁ ଚିହ୍ନିଯାଉଥିଲେ କିନ୍ତୁ ଛାତ୍ରୀମାନେ ଛାତ୍ରମାନଙ୍କୁ ମୁହଁଟେକି ଚାହୁଁନଥିଲେ। ଏହା ଭଲ ଥିଲା ବୋଲି ମୁଁ କହିବି ନାହିଁ। ମୋ ବାପା ଶିକ୍ଷାବିତ୍ ପରଶୁରାମ ଦାସ ମଧ୍ୟ ରେଭେନ୍ସା କଲେଜରେ ବି.ଏସ୍‌ସି. ପଢ଼ିଥିଲେ। ଜେଜେବାପା ରେଭେନ୍ସାରେ ଏଫ୍‌.ଏ. ପଢ଼ିଥିଲେ। ବାପାଙ୍କର ଚିନ୍ତାଧାରା ଆଧୁନିକ ଥିଲା। ସେ ଆମ ପାଂଚ ଭଉଣୀଙ୍କୁ ସବୁବେଳେ କୋଏଡ୍ ସ୍କୁଲ କଲେଜରେ ପଢ଼ାଉଥିଲେ। ସେ କହୁଥିଲେ ଝିଅମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୃଥିବୀ ଗଢ଼ାଯିବ ନାହିଁ। ସେହି ଗୋଟିଏ ପୃଥିବୀରେ ପୁଅଝିଅ ମିଶି ରହିବେ। ତେଣୁ ଝିଅମାନେ ପୁଅମାନଙ୍କ ସହ ପଢ଼ିବା ସମାଜ ପାଇଁ ଶୁଭଙ୍କର। ସମୟ ବଦଳିଲେ ମଣିଷର ଚାଲିଚଳଣ, ପୋଷାକ ପରିଚ୍ଛଦ, ଆଚାରବ୍ୟବହାର ବଦଳିବା ସ୍ୱଭାବିକ। ସାମାଜିକ ପରିବର୍ତନ ହେବ ହିଁ ହେବ। ଆଜିକାର ବିବାହ ପରିପ୍ରେକ୍ଷୀରେ ମୁଁ କହିବି ଯେ ପୁଅଝିଅ ଉଭୟେ ପରସ୍ପରକୁ ଭଲଭାବରେ ଜାଣିବୁଝି ବିବାହ କରିବା ଉଚିତ। ଆଜିକାଲି କଲେଜ ପରିସରରେ ଛାତ୍ରଛାତ୍ରୀଙ୍କର ଖୋଲାମେଲା ସମ୍ପର୍କକୁ ମୁଁ ତିର୍ଯ୍ୟକ୍ ଦୃଷ୍ଟିରେ ଦେଖେ ନାହିଁ। କିନ୍ତୁ ପରିବର୍ତ୍ତିତ ସମୟରେ ଶୋଭନୀୟତା, ଶୃଙ୍ଖଳା ଓ ଶାଳୀନତା ମଧ୍ୟ ରହିବା ଆବଶ୍ୟକ।

 ଆପଣ ସାରା ଭାରତରେ ଆଦରଣୀୟା ଜଣେ ପରିଚିତ ବ୍ୟକ୍ତିତ୍ବ। ଦେଶବିଦେଶରେ ଆପଣଙ୍କର ଅନେକ ମୁଗ୍ଧ ପ୍ରଶଂସକ ଅଛନ୍ତି। ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଆପଣ କଲମଚାଳନା କରିଛନ୍ତି, ଜେନ୍‌ ଜେଡ୍‌ ପିଲାମାନଙ୍କୁ ଆପଣଙ୍କର ବାର୍ତ୍ତା କ’ଣ ରହିବ?
ମଣିଷ ମରଣଜୟୀ ନୁହେଁ। ସାରାଜୀବନ କହିବାର ଅର୍ଥ ନୁହେଁ ମଣିଷର ଶହେ ବର୍ଷର ଜୀବନ। ମଣିଷ ହାତରେ ସମୟ ସୀମିତ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଫଳରେ ମଣିଷ ଯନ୍ତ୍ର ଦ୍ୱାରା ନିୟନ୍ତ୍ରିତ ହେଉଛି। କିନ୍ତୁ ମଣିଷ ଯନ୍ତ୍ରକୁ ନିଜ ଜୀବନର ମାନ ବୃଦ୍ଧି କରିବା ପାଇଁ ପ୍ରୟୋଗ କରିବା ଉଚିତ। ଉଦାହରଣ ସ୍ୱରୂପ ଆଜିକାର ସ୍ମାର୍ଟଫୋନ୍ ମଣିଷକୁ ସାରା ବିଶ୍ୱ ଏପରି ଗ୍ରହଗ୍ରହାନ୍ତର ସହ ସଂଯୁକ୍ତ କରିପାରୁଛି କିନ୍ତୁ ମଣିଷ ନିଜେ ନିଜଠାରୁ ବିଚ୍ଛିନ୍ନ ହେଇଯାଉଛି। ଉଡ଼ାଜାହାଜ ଉଦ୍ଭାବନ କରିଥିବା ମଣିଷ ଉଡ଼ାଜାହାଜ ସହ ପ୍ରତିଯୋଗିତା କରି ଆକାଶରେ ଉଡ଼ିପାରିବ କି? ଉଡ଼ିଲେ ମଣିଷର କି ଅବସ୍ଥା ହେବ? ସ୍ମାର୍ଟଫୋନ୍‌ର ଉପଯୋଗିତା ଅଛି କିନ୍ତୁ ମଣିଷ ସ୍ମାର୍ଟଫୋନ୍‌ର ଦାସ ହୋଇଗଲାଣି। ଏହା ଏକ ନିଶାରେ ପରିଣତ ହେଲାଣି। ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଓ କଠୋର ପରିଶ୍ରମ ଦ୍ୱାରା ଜ୍ଞାନାର୍ଜନ କରିବାର ସମୟକୁ ସ୍ମାର୍ଟଫୋନ୍‌ର କବଳରେ ପଡ଼ି ହାତଛଡ଼ା କରିଦେଲେ ଭବିଷ୍ୟତ ଅନ୍ଧକାରମୟ ହୁଏ। କେବଳ ଛାତ୍ରଛାତ୍ରୀ କାହିଁକି ପିତାମାତା ଓ ଶିକ୍ଷକମାନେ ମଧ୍ୟ ଏହି ଯନ୍ତ୍ରଦାନବର କବଳରେ ପଡ଼ିଛନ୍ତି। ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ ଡାକ୍ତର ହାତରେ ଛୁରୀ ଏବଂ ଡକାୟତ ହାତରେ ଛୁରୀ। ସ୍ମାର୍ଟଫୋନ୍‌ଟିକୁ ଡାକ୍ତର ହାତର ଛୁରୀଭଳି ବ୍ୟବହାର କଲେ ତାହା ଏକ ଜ୍ଞାନକୋଷରେ ପରିଣତ ହେବ। ସ୍ମାର୍ଟଫୋନ୍ ଯଦି ସୀମିତ ଛାତ୍ର ଜୀବନକୁ ହାତଛଡ଼ା କରିଦିଏ ତେବେ ତାହା ଡକାୟତ ହାତର ଛୁରୀଭଳି କାର୍ଯ୍ୟ କରିବ।
ଆଖ୍ୟାୟିକା ୨୭ ଗଜପତି ନଗର, ଭୁବନେଶ୍ୱର
ସୃଜନ ଆଳାପ: ଶୁଭଶ୍ରୀ ଲେଙ୍କା