ଏଭଳି ପୁରସ୍କାରର ଆବଶ୍ୟକତା ଥିଲା: ଦେବାଶିଷ ପଟ୍ଟନାୟକ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟରେ ସକ୍ରିୟ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ବିପୁଳ ଉତ୍ସାହ ପ୍ରକାଶ ପାଇଛି। ସମ୍ବାଦର ଏହି ପ୍ରୟାସ ଶିଳ୍ପୋଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଏହି ପୁରସ୍କାରର ପ୍ରଭାବ ନୂଆ ପିଢ଼ିର ଯୁବକଯୁବତୀଙ୍କୁ ଉଦ୍ୟୋଗ ଜଗତରେ ପାଦ ଥାପିବାକୁ ପ୍ରୋତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଦି ଇଣ୍ଡସ୍‌ ଏଣ୍ଟରପ୍ରିନିୟର୍ସର ପ୍ରେସିଡେଣ୍ଟ ଏବଂ ହୋଟେଲ କ୍ରାଉନ୍‌ର ନିର୍ଦେଶକ ଦେବାଶିଷ ପଟ୍ଟନାୟକଙ୍କ ମତାମତକୁ ନେଇ ଆମ ସ୍ୱତନ୍ତ୍ର ଉପସ୍ଥାପନା।

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଶିଳ୍ପ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଶଂସା କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ପୁରସ୍କାର ଏକ ଫୋରମ୍‌ ହେବ। ଏହିଭଳି ପୁରସ୍କାରର ଆବଶ୍ୟକତା ଥିଲା। ସମ୍ବାଦ ଏଭଳି ପଦକ୍ଷେପ ନେବା ଅତ୍ୟନ୍ତ ପ୍ରଶଂସନୀୟ।

ଏହା ରାଜ୍ୟରେ ଏକ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ କି?
ହଁ, ନିଶ୍ଚିତ । ରାଜ୍ୟର ଅର୍ଥନୈତିକ ବିକାଶ, ଜିଡିପି ଅଭିବୃଦ୍ଧିରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଜ୍ୟରେ ଶିଳ୍ପ ପ୍ରତି ଯେପରି ସକାରାତ୍ମକ ମନୋଭାବ ରହିବା କଥା ସେମିତି ନାହିଁ। ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ଏହି ଅଭିଯାନ ଆରମ୍ଭ କରିଥିବାରୁ ଉତ୍ତମ ଶିଳ୍ପ ବାତାବରଣ କରିବାରେ ନିଶ୍ଚିତ ସହାୟକ ହେବ।

ଆପଣ ଭାବୁନାହାନ୍ତି କି ବର୍ତ୍ତମାନ ସମୟରେ ଏହିଭଳି ପୁରସ୍କାରର ଆବଶ୍ୟକତା ଅଛି?
ମୋ ମତରେ ଏହା ଆବଶ୍ୟକ ଥିଲା। ରାଜ୍ୟ ପ୍ରଗତିରେ ଶିଳ୍ପର ଭୂମିକା କ’ଣ ତାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଯେଉଁଠି ବଡ଼ ବଡ଼ ପ୍ରକଳ୍ପ ବା ଶିଳ୍ପ ପାଇଁ ଯୋଜନା ହେଉଛି ସେଠାରେ ସ୍ଥାନୀୟ ଲୋକଙ୍କ ବିରୋଧ ହେଉଛି। ଲୋକ ସହଜରେ ଏହାକୁ ଗ୍ରହଣ କରୁନାହାନ୍ତି। ଗଣମାଧ୍ୟମ ସଂସ୍ଥା ଶିଳ୍ପର ମହତ୍ତ୍ୱ ବୁଝିଲେ ଲୋକଙ୍କୁ ବୁଝାଇବାକୁ ସହଜ ହେବ।

ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ନା। ଓଡ଼ିଶାରେ ଯେପରି ଶିଳ୍ପର ବିକାଶ ହେବା କଥା ହୋଇନି। ଶିଳ୍ପର ଯେତେବେଳେ ଅଭିବୃଦ୍ଧି ହେଲା ତାହା ଖଣି କେନ୍ଦ୍ରିକ ହୋଇଗଲା। ରାଜ୍ୟରେ ଅନ୍ୟ ଶିଳ୍ପର ଅଭିବୃଦ୍ଧି ପ୍ରତି ଧ୍ୟାନ ଦିଆଗଲାନି। ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ ଆଦି ଶିଳ୍ପାୟନକୁ ବେଶ୍‌ ପ୍ରଭାବିତ କଲା। ଏବେ ଶିଳ୍ପ ଅଭିବୃଦ୍ଧିର ସମୟ ଆସିଛି। ଏହି ସୁଯୋଗର ସଦୁପଯୋଗ କରିବାକୁ ହେବ।

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ ହେବା ଦରକାର?
ରାଜ୍ୟ ସରକାର ଶିଳ୍ପାନୁଷ୍ଠାନଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ। ରାଜ୍ୟରେ ଯେଉଁ ନୂଆ ଉଦ୍ୟୋଗୀ ବାହାରୁଛନ୍ତି ସେମାନଙ୍କୁ ସରକାରୀ ସହାୟତା ମିଳୁ। ଶିଳ୍ପ କ୍ଷେତ୍ରରେ ନୂତନତ୍ୱ ଏବଂ ସମ୍ପ୍ରସାରଣକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର। ଲୋକଙ୍କୁ ବୁଝାଇବାକୁ ହେବ ଯେ, ଚାକିରି ପଛରେ ନ ଗୋଡ଼ାଇ ଚାକିରି ଦେବାକୁ ଯୋଜନା କରନ୍ତୁ। ବ୍ୟବସାୟରେ ରିସ୍କ୍‌ ଥିଲେ ବି ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଲୋକ ସଚେତନ ହେଲେ ଓଡ଼ିଶାରେ ଶିଳ୍ପ ପାଇଁ ବିରୋଧ ରହିବନି।

କେଉଁ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଆବଶ୍ୟକତା ଅଛି?
ସବୁ କ୍ଷେତ୍ରରେ। ଓଡ଼ିଶା ଶିଳ୍ପ ପାଇଁ ଏକ ଭରପୂର ସୁଯୋଗ ଥିବା ରାଜ୍ୟ। ଯେଉଁ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ ତାହାର ଅଭିବୃଦ୍ଧି ହେବ। କେବଳ ଖଣିଜନିତ ଶିଳ୍ପକୁ ଛାଡ଼ି ଦେଲେ ଶସ୍ୟ ଜନିତ ଶିଳ୍ପ, ଫର୍ଣ୍ଣିଚର୍‌ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କଫି ଚାରାରୋପଣ ଇତ୍ୟାଦିରେ ବହୁତ ସୁଯୋଗ ଅଛି। ସବୁଠୁ ଅଧିକ ସୁଯୋଗ ପର୍ଯ୍ୟଟନ ଓ ବେଳାଭୂମିକୁ ନେଇ ଅଛି। ହେଲେ ଏନେଇ ଦୂରଦୃଷ୍ଟି କି ଯୋଜନା ନାହିଁ। ପସ୍କୋ ଫେରି ଯାଇଥିବାରୁ ଓଡ଼ିଶା ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି ହୋଇଛି। ଏହାକୁ ଦୂର କରିବାକୁ ହେବ।

ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଭାବୁଛନ୍ତି କି?
ନିଶ୍ଚିତ। ଏହି ପୁରସ୍କାର ସେମାନଙ୍କ ଉପରେ ବହୁତ ପ୍ରଭାବ ପକାଇବ। ବହୁତ ଉଦ୍ୟୋଗୀ ପୁଞ୍ଜିନିବେଶ କରିବାକୁ ଆଗଭର ହେବେ। ଯେଉଁଠି ପ୍ରେରଣା ମିଳେ ସେଠାରେ ବିକାଶ ହୁଏ।

ଓଡ଼ିଶାରେ ଶିଳ୍ପାୟନକୁ ଠିକଣା ଦିଗରେ ନେବା ପାଇଁ ଆପଣଙ୍କ ପ୍ରସ୍ତାବ କ’ଣ ରହିବ?
ଓଡ଼ିଶାରେ ଧିମେଇ ଯାଇଥିବା ଶିଳ୍ପ ଏବେ ଉଠୁଛି। ଏହାକୁ ଆମକୁ ଠିକଣା ଦିଗରେ ନେବାକୁ ହେବ। ଏଥିପାଇଁ ଶିଳ୍ପ ଓ ଉଦ୍ୟୋଗୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇବା ସହ ୨୫ରୁ ୩୦ବର୍ଷର ନକ୍‌ସା ପ୍ରସ୍ତୁତ କରି ସାମିଲ୍‌ କରିବାକୁ ହେବ। ଯେଉଁଠି ଶିଳ୍ପ ପାଇଁ ଭବିଷ୍ୟତ ଥିବ ସେଠାରେ ଉଦ୍ୟୋଗୀ ପହଞ୍ଚିବେ। ଆଉ ଉଦ୍ୟୋଗୀଙ୍କୁ ସରକାର ସୁରକ୍ଷା ଦେବା ଦରକାର।

ସମ୍ବନ୍ଧିତ ଖବର