ପୂର୍ଣ୍ଣଚନ୍ଦ୍ର ସାହୁ

Advertisment

ଭୁବ: ଗାଁ ଲୋକେ ନିଜକୁ ନିଜେ ପ୍ରଶ୍ନ କରନ୍ତି। ସତରେ ସେମାନେ କ’ଣ ଓଡ଼ିଶାବାସୀ? ଆହୁରି ପଚାରନ୍ତି, ଆମେ କ’ଣ ସାବତପୁଅ? ଅନ୍ୟମାନଙ୍କ ପାଇଁ ବିକାଶର ଗୋଲାପୀ ଚିତ୍ର ଅଙ୍କା ଯାଉଥିବା ବେଳେ ସେମାନେ କେବଳ ଧୂସର ସ୍ବପ୍ନ ଭିତରେ ଦିନ କାଟୁଛନ୍ତି। ଏଭଳି ଅଭିଶପ୍ତ ଗାଁ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ଅନ୍ତର୍ଗତ ମଠକରଗୋଳା ପଞ୍ଚାୟତର ‘ସର୍ପଣି’। ଏହି ଗାଁର ବାସିନ୍ଦା କେବଳ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି। ଖାଦ୍ୟ ସଂଗ୍ରହଠାରୁ ଆରମ୍ଭ କରି ଅସୁସ୍ଥ ହେଲେ ସେହି ଜଙ୍ଗଲରୁ ଚେରମୂଳି ହିଁ ସେମାନଙ୍କ ଉପଶମର ଏକମାତ୍ର ସମ୍ବଳ। ବର୍ତ୍ତମାନ ସମୟରେ ଖାଦ୍ୟ ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ବିକାଶର ନଗ୍ନ ଚିତ୍ରକୁ ଲୋକଲୋଚନକୁ ଆଣୁଛି ବୋଲି ସ୍ଥାନୀୟ ଲୋକ ମତ ଦିଅନ୍ତି। ଅନୁନ୍ନତ ଅଞ୍ଚଳରେ ଲୋକମାନଙ୍କ ପାଇଁ ଆଜି ବି ପକ୍କାଘର ସ୍ବପ୍ନ ପାଲଟିଥିବା ବେଳେ ଏହି ଗ୍ରାମବାସୀ ସେମାନଙ୍କ ଅଞ୍ଚଳରେ ପକ୍କାରାସ୍ତା ଦେଖି ନାହାନ୍ତି। ଗାଁ ପାଖରେ କିମ୍ବା ନିଜ ଗାଁରେ ପିଲାମାନଙ୍କ ପାଇଁ ଶିକ୍ଷା ସୁବିଧା ସହ ମାଗଣାରେ ସବୁକିଛି ଯୋଗାଇ ଦିଆଯାଉଛି। ଏହିଭଳି ସମୟରେ ଗ୍ରାମର ଛୋଟ ଛୋଟ ପିଲାମାନଙ୍କୁ ପାଠ ଦୁଇ ଅକ୍ଷର ପଢ଼ିବା ପାଇଁ ପ୍ରତିଦିନ ଜୀବନକୁ ପାଣି ଛଡ଼ାଇ ଘଞ୍ଚ ଜଙ୍ଗଲ ଭିତରେ ଦୁଇ କିଲୋମିଟ ବାଟ ଚାଲିବାକୁ ପଡୁଛି।

ଭୋକ ହେଲେ ବଣଜଙ୍ଗଲ ଭରସା 
୨୦ କିଲୋମିଟର ଗଲେ ମିଳୁଛି ରାସନ୍‌
ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରୁ ବଞ୍ଚିତ 

ଗାଁକୁ ରାସ୍ତା ନଥିବା ବେଳେ ରାସନ ପାଇଁ ଚାଲିଚାଲି ୨୦ କିଲୋମିଟର ବାଟ ଯିବାକୁ ପଡୁଛି ବୋଲି ଗାଁର କଇଁଆ ଗରେଇ କ୍ଷୋଭର ସହିତ କହିଛନ୍ତି। ସେହିଭଳି ବସୁଧା ଯୋଜନାଠାରୁ ଆରମ୍ଭ କରି ନଳକୂଳ, ଓଭର୍‌ହେଡ୍ ପାଣି ଟାଙ୍କି, ଜଳଯୋଗାଣ ପ୍ରକଳ୍ପ ଆଦି ସୁବିଧାରୁ ସର୍ପିଣି ଗ୍ରାମବାସୀ ବଞ୍ଚିତ। ପିଇବା ପାଣି ପାଇଁ ସେମାନଙ୍କୁ ସବୁଦିନ ସଂଘର୍ଷ କରିବାକୁ ପଡ଼େ। ଗାଁଠାରୁ ଅନେକ ଦୂର ଯିବା ପରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରନ୍ତି। ଆବାସ, ଅନ୍ତ୍ୟୋଦୟ ଭଳି ସରକାରୀ ଯୋଜନାରୁ ଗ୍ରାମବାସୀ ବଞ୍ଚିତ। ଗାଁରେ ଗୋଟିଏ ବି ପକ୍କାଘର ନାହିଁ। ସେହିପରି ଡିଜିଟାଲ୍ ଇଣ୍ଡିଆର କଥା କହି ସାରା ଦେଶ ଗର୍ବ କରୁଥିବା ବେଳେ ସର୍ପଣି ଗାଁରେ ମୋବାଇଲ୍ ସେବା ସ୍ବପ୍ନ। ଏବେ ବି ଏହି ଗାଁରେ ମୋବାଇଲ୍ ଟାୱାର୍ ସ୍ଥାପନ ହୋଇ ପାରିନାହିଁ। ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏହି ଗ୍ରାମର ଲୋକମାନଙ୍କ ଦୁର୍ଦ୍ଦଶା କେବଳ ଏତିକିରେ ସରି ନାହିଁ। ପ୍ରାୟ ସମସ୍ତପ୍ରକାର ସରକାରୀ ଯୋଜନାରୁ ଏମାନେ ବଞ୍ଚିତ ହୋଇ ଆସିଛନ୍ତି।

 ହାତକୁ ସରକାରୀ କାମ ମିଳୁ ନଥିବାରୁ ଏମାନେ ଜଙ୍ଗଲ ଉପରେ ହିଁ ନିର୍ଭର କରି ଆସୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ବିଭିନ୍ନ ସମସ୍ୟା ସଂପର୍କରେ ସେମାନେ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରିଛନ୍ତି। ତେବେ କେହି କର୍ଣ୍ଣପାତ କରି ନାହାନ୍ତି। ସର୍ପଣି ବାସିନ୍ଦା ହୀରାମଣି ପ୍ରଧାନ କ୍ଷୋଭର ସହ କହିଛନ୍ତି, ପ୍ରକୃତରେ ଆମେ ବନବାସୀ; ତେଣୁ ସରକାର ଆମକୁ ଅଣଦେଖା କରୁଛନ୍ତି। ଏ ସଂପର୍କରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର କହିଛନ୍ତି, ଯଥାଶୀଘ୍ର ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସର୍ପଣି ଗ୍ରାମକୁ ସାମିଲ କରାଯାଇଛି। ପାନୀୟ ଜଳ ସୁବିଧା ପାଇଁ ଯୋଜନା ହୋଇଛି। ଉପରସ୍ତରରୁ ନିର୍ଦ୍ଦେଶ ଆସିଲେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।