ଭୁବନେଶ୍ବର: ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ୭ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହେବ ୩୯୩୬.୦୪ କୋଟି ଟଙ୍କା। ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ ଚରଣ ମାଝୀଙ୍କ ଏକ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଏହି ୭ ହଜାର କିମି ରାସ୍ତା ମଧ୍ୟରୁ ୩ ହଜାର କିମି ରାସ୍ତା ସବୁଜ ଜ୍ଞାନକୌଶଳ ଦ୍ବାରା ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ଏହି ରାସ୍ତାକୁ କୋଲ୍ଡ୍ ମିକ୍ସ, ଟେରାଜିମ୍, ଆଇରନ୍ ସ୍ଲାଗ୍, ସିମେଣ୍ଟ୍ ଷ୍ଟାବିଲାଇଜେସନ୍, ୱେଷ୍ଟ୍ ପ୍ଲାଷ୍ଟିକ୍, ପ୍ୟାନେଲ୍ କଂକ୍ରିଟ୍ ଆଦି ଉପଯୋଗ କରି ନିର୍ମାଣ କରାଯିବ। ୭ ହଜାର କିମି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫୨୩.୧୬ କିମି ଥିଲା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୫୮.୮୬ କିମି ରାସ୍ତା ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୬୧,୫୮୨ କିମି ରାସ୍ତା ମଞ୍ଜୁର ହୋଇଛି। ତାହା ମଧ୍ୟରୁ ୫୫,୧୩୬ କିମି ରାସ୍ତା ସମ୍ପୂର୍ଣ୍ଣ ହୋଇଛି। ଶାସକ ଦଳ ସଭ୍ୟ ପ୍ରଶାନ୍ତ ମୁଦୁଲି ଅତିରିକ୍ତ ପ୍ରଶ୍ନ ପଚାରି କହିଥିଲେ, ବିଭିନ୍ନ ଯୋଜନାରେ ବହୁ ରାସ୍ତା ନିର୍ମାଣ ହେଉଛି। କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଭାରୀଯାନ ଚଳାଚଳ କରିବା ଦ୍ବାରା ରାସ୍ତା ଖରାପ ହୋଇଯାଉଛି। ଏ ଦିଗରେ ପଦକ୍ଷେପ ନିଆଯାଉ। ବିଷ୍ଣୁ ଚରଣ ସେଠୀ ଓ ରମେଶ ସାଇ ମଧ୍ୟ ଅତିରିକ୍ତ ପ୍ରଶ୍ନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp