ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୧୧ ହଜାର ୨୮୦ଟି ପକ୍କା ଘର ନିର୍ମାଣ ଶେଷ ହୋଇଛି। ୨୦୧୮ ଡିସେମ୍ବର ସୁଦ୍ଧା ଗ୍ରାମାଞ୍ଚଳରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ କରାଯିବ। ଅର୍ଥାତ ଏ ବର୍ଷ ପାଖାପାଖି ୬ ଲକ୍ଷ ଘର ନିର୍ମାଣ ଶେଷ ହେବ। ଏହାକୁ ଲକ୍ଷ୍ୟରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସମୀକ୍ଷା ହୋଇଥିଲା। ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଠିକ୍‌ ହିତାଧିକାରୀ ଯେପରି ଘର ପାଇପାରିବେ, ସେଥି ପ୍ରତି ବିଶେଷ ଧ୍ୟାନ ଦେବା ସହ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୁହାଯାଇଥିଲା, ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପକ୍କା ଘର ନିର୍ମାଣ କାର୍ଯ୍ୟକ୍ରମ ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି ଏବଂ ଏ କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍‌ ରାଜ୍ୟ ହୋଇପାରିଛି। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ନିର୍ମାଣ ସାମଗ୍ରୀର ଉପଯୋଗ କରି ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ ରୁର୍‌କୀସ୍ଥିତ ସିବିଆର୍‌ଆଇ ସଂସ୍ଥାର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଉଛି।

Advertisment

ଗ୍ରାମାଞ୍ଚଳରେ ପକ୍କା ଘର ଯୋଜନା

ହିତାଧିକାରୀଙ୍କ ସୂଚନା ପାଇଁ ସ୍ୱତନ୍ତ୍ର ଆପ୍‌

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ନାମ ଓ ସେମାନଙ୍କୁ ଦିଆଯାଇଥିବା ଘରର ଫଟୋଚିତ୍ର ଯେପରି ସର୍ବସାଧାରଣ ପୋର୍ଟାଲ୍‌ରେ ତୁରନ୍ତ ଉପଲବ୍ଧ ହୋଇପାରିବ, ସେଥି ପାଇଁ ଏକ ସ୍ୱତନ୍ତ୍ର ଆପ୍‌ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଘର ପାଇଥିବା ଓ ପାଇବାକୁ ଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ସଂପୃକ୍ତ ପଞ୍ଚାୟତ ଅଫିସ୍‌ରେ ଉପଲବ୍ଧ ହେଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଓଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।