କେନ୍ଦୁଝର,(ସୁବ୍ରତ ସ୍ବାଇଁ): ଲଗାତର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ କେନ୍ଦୁଝର ଜିଲ୍ଲା ବିଜେଡିର ଶକ୍ତିକେନ୍ଦ୍ର ରୂପେ ନିଜକୁ ପ୍ରତିପାଦିତ କରିଥିବା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଏଥର ନିର୍ବାଚନ ବୈତରଣୀ ପାର ହେବା ସହଜ ନୁହେଁ ବୋଲି ଆକଳନ କରାଯାଉଛି। ଗତ ୨୦୧୪ରେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ ନିରଂଜନ ପଟ୍ଟନାୟକ ପ୍ରାର୍ଥୀ ହୋଇନଥିଲେ। ତେଣୁ ଏହା ବଦ୍ରି ନାରାୟଣ ପାତ୍ରଙ୍କୁ ସଂପୂର୍ଣ୍ଣ ସୁହାଇଥିଲା। ତେବେ ଏଥର ଏଠାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ଯଦି ଶ୍ରୀ ପଟ୍ଟନାୟକ ପ୍ରାର୍ଥୀ ହୁଅନ୍ତି ତାହାହେଲେ ବଦ୍ରି- ନିରଂଜନଙ୍କ ମଧ୍ୟ ଜୋରଦାର ଟକ୍କର ହେବା ନିଶ୍ଚିତ। ଲଗାତର କ୍ଷମତାରେ ରହିବା ଯୋଗୁଁ ବଦ୍ରି ବାବୁ ଏବଂ ତାଙ୍କ ପରିବାର ବିରୋଧରେ ରହିଛି ଅଭିଯୋଗର ପାହାଡ଼। ଯାହାକି ପ୍ରତିପକ୍ଷଙ୍କୁ ସୁହାଇବ ବୋଲି କୁହାଯାଉଛି। ତେବେ ରାଜନୈତିକ ଗୋଟି ଚାଳନାରେ ଧୁରନ୍ଦର ବଦ୍ରି ବାବୁ କିଭଳି ଏଥିରୁ ମୁକୁଳି ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ୍ ଦେବେ ସେ ନେଇ ଚର୍ଚ୍ଚା ଜୋର।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲାର ସବୁଠୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଘଷିପୁରା। ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ବଦ୍ରି ନାରାୟଣ ପାତ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବେଳେ ଘଷିପୁରା ମଧ୍ୟ କଂଗ୍ରେସର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା ନିରଞ୍ଜନ ପଟ୍ଟନାୟକଙ୍କ ଗଡ଼। ଘଷିପୁରା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୮୮ହଜାର୮୪୫ । ଗତ ୨୦୧୪ ବିଧାନସଭା ନିର୍ବାଚନରେ ବଦ୍ରି ପାତ୍ର ୧ ଲକ୍ଷ ୮ ହଜାର ୯୯୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସର ପୃଥ୍ୱୀରାଜ କୁଅଁର୧୨ ହଜାର ୧୮ ଖଣ୍ଡ ଏବଂ ବିଜେପିର ସତ୍ୟବ୍ରତ ପଣ୍ଡା ୨୦ ହଜାର୨୯୮ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ୧୫,୮୪୯ ଖଣ୍ଡ ଭୋଟ ପାଇଥିଲେ। ମୋଟ ଚାରି ଥର ବିଧାୟକ ହୋଇଥିବା ବଦ୍ରି ପାତ୍ରଙ୍କ ପାଇଁ ଏଥର ପଥ କଣ୍ଟକିତ ବୋଲି କୁହାଯାଉଛି। ଅପରାଧିକ ମାମଲାରେ ପୁଅ ଦେବାଶିଷ ଗିରଫ ହୋଇ ଜେଲ୍ଯିବା ଘଟଣା ପାଇଁ ବଦ୍ରିଙ୍କ ଛବି ମଳିନ ପଡିଥିଲା। ସେହିପରି ଘଷିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁକ୍ତାପୁର ସମିତି ସଭ୍ୟ ଉପ ନିର୍ବାଚନରେ ବଦ୍ରି ବାବୁଙ୍କ ସମର୍ଥିତ ପ୍ରାର୍ଥୀ ହାରିବା ଯୋଗୁଁ ତାଙ୍କୁ ଶକ୍ତ ଝଟ୍କା ଲାଗିଥିଲା। ଏହାକୁ ନେଇ ବଦ୍ରିଙ୍କ ପତିଆରା ହ୍ରାସ ପାଉଥିବା ଚର୍ଚ୍ଚା ହୋଇଥିଲା। ନିକଟରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ତେବେ ୨୦୧୪ରେ ୮୦ ହଜାରରୁ ଊର୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଏଥର ଭୋଟ ବ୍ୟବଧାନ ଅଧିକ ନହେଲେ ମଧ୍ୟ ନିଶ୍ଚିତ ବିଜୟୀ ହେବେ ବୋଲି ତାଙ୍କ ନିକଟତମ ମହଲ ଆଶା ରଖିଛନ୍ତି।
ସେହିପରି ଏଠାରୁ ବିଜେପି ମଧ୍ୟ ଲଢେଇ ପାଇଁ ଅଣ୍ଟା ସଳଖୁଛି। ବିଜେପିର ପ୍ରମୁଖ ଦାବିଦାର ଭାବେ ପୃଥୀରାଜ କୁଅଁର, ସତ୍ୟ ବ୍ରତ ପଣ୍ଡା, ମମତା ସିଂ ଅଛନ୍ତି। ଅନ୍ୟପକ୍ଷରେ ଏଠାରେ ଜନ ସମୃଦ୍ଧି ପାର୍ଟି ର ଭୋଟ ବ୍ୟାଙ୍କକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ। ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ ସମୃଦ୍ଧି ପାର୍ଟିର ସମ୍ପାଦକ ସୁରେଶ ସାହୁଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବଦ୍ରି ପତ୍ରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିବା ସୁରେଶ ଏଠାରୁ ପ୍ରାର୍ଥୀ ହୋଇ ପାରନ୍ତି। ତେବେ ଆଉ ଦିନ କେଇଟା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ। ଏହାପରେ ନିର୍ବାଚନୀ ପବନ ନୂଆ ମୋଡ଼ ନେଇପାରେ ବୋଲି ଆଲୋଚନା ହେଉଛି।