ଏସ୍‌ସିବିରେ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ, ମୃତକ ହେଉଛନ୍ତି କେନ୍ଦ୍ରାପଡା ବାଳକାଟୀ ଗ୍ରାମର ମହିଳା

କଟକରେ ସର୍ବାଧିକ ୪୩ ରୋଗୀ ଚିହ୍ନଟ, ୨୮ ଜିଲ୍ଲାକୁ ଡେଇଁଲାଣି ଡେଙ୍ଗୁ

କଟକ: କଟକ ବଡ ମେଡିକାଲରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାଳକାଟୀ ଗ୍ରାମର ଦେବକୀ ବେହେରା(୬୦)। ଦେବକୀ ଏସ୍‌ସିବି ଡେଙ୍ଗୁ ଆଇସିୟୁରେ ଜୁଲାଇ ୨୯ ତାରିଖରୁ ଚିକିତ୍ସିତ ହେଉଥିବାବେଳେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଏସ୍‌ସିବିରେ ହୋଇଥିବା ପରୀକ୍ଷାରୁ କେନ୍ଦ୍ରାପଡାରୁ ଏଯାଏ ୨୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗଲା ୨୮ ଦିନ ଭିତରେ ରାଜ୍ୟର ୨୮ଟି ଜିଲ୍ଲାକୁ ଡେଙ୍ଗୁ ମାଡ଼ି ଗଲାଣି। କଟକ ବଡ଼ମେଡିକାଲରେ ଏଯାଏ ଚିହ୍ନଟ ହେଇ ସାରିଲେଣି ୧୭୭ ଜଣ ଡେଙ୍ଗୁ ରୋଗୀ। ସେଥିରୁ କେବଳ କଟକରୁ ସର୍ବାଧିକ ୪୩ ଜଣ ଥିବାବେଳେ ଭଦ୍ରକରୁ ୩୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମାତ୍ର ତିନୋଟି ଜିଲ୍ଲାରୁ ଅର୍ଥାତ୍‌ କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ୮୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ‌ଆଜି ଗୋଟିଏ ଦିନରେ ୧୪ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୮୯ଟି ରକ୍ତ ପରୀକ୍ଷା କରାଯାଇଥିବାବେଳେ ସେଥିରୁ କଟକରୁ ସର୍ବାଧିକ ୪ଜଣ, ବାଲେଶ୍ବରରୁ ୩, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଭଦ୍ରକ, ମୟୁରଭଞ୍ଜ, ପୁରୀରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଏସ୍‌ସିବିରୁ ମିଳିଥିବା ସୂଚନାନୁଯାୟୀ, ଜୁଲାଇ ୧୬ରୁ ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ୧୨ଶହରୁ ଅଧିକ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୧୭୭ ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। କଟକରୁ ୪୩ଜଣ, କେନ୍ଦ୍ରାପଡାରୁ ୨୭, ଯାଜପୁରରୁ ୨୦ ଓ ଜଗତ୍‌ସିଂହପୁର ଓ ବାଲେଶ୍ବରରୁ ୧୨ଜଣ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରେ ୨୪ଜଣ ରୋଗୀ ୱାର୍ଡରେ ଓ ୫ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। କଟକ ଜିଲ୍ଲାର ସିଡିଏ, ଏସ୍‌ସିବି କ୍ୟାମ୍ପସ, ଜଗତ୍‌ପୁର, ଚାଉଳିଆଗଞ୍ଜ, ନୟାବଜାର, ଥୋରିଆସିହି, ନୂଆପଡା, ଚୌଦ୍ବ‌ାର, ମାଣିଆବନ୍ଧ, କାନପୁର, ବାଙ୍କୀ, ସାଲେପୁର ତଥା ବିଭିନ୍ନ ଅଂଚଳରେ ଡେଙ୍ଗୁ ଦେଖାଦେଇଛି। ଆଜି ପୁଣି କଟକ ଜିଲ୍ଲାର ବେଣ୍ଟକାର, ବାରଙ୍ଗ, ବୟାଳିଶମୌଜା ଓ ଦୌଲତ୍‌ପୁର ଅଂଚଳରୁ ୪ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର