କଟକ: ଏଥର ଆଉ ମାଟ୍ରିକ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେଇ ପାରିବ ନାହିଁ। ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲର ୫ରୁ ୧୦ କିଲୋମିଟର ପରିସୀମା ଭିତରେ ଥିବା ସ୍କୁଲ୍‌କୁ ଯାଇ ପରୀକ୍ଷା ଦେବେ। ୨୦୧୩ରୁ ଗଲା ୫ ବର୍ଷ ହେଲା ନିଜ ସ୍କୁଲ୍‌ରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଆସୁଥିବା ବେଳେ ଏଥର ତାହାକୁ ପୁଣି ପରିବର୍ତ୍ତନ କରାଯାଇଛି। ଜିଲ୍ଲାପାଳ, ଏସ୍‌ପିଙ୍କ ମାଧ୍ୟମରେ ଯାଞ୍ଚ ହୋଇ ବୋର୍ଡକୁ ଏହି କେନ୍ଦ୍ରର ତାଲିକା ଆସିଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ ତାହାର ସାନି ଯାଞ୍ଚ କରି ଚୂଡାନ୍ତ କେନ୍ଦ୍ର ଚୟନ କରିଛନ୍ତି।

Advertisment

୫ରୁ ୧୦ କିଲୋମିଟର ପରିସୀମାରେ କେନ୍ଦ୍ର
୫ଲକ୍ଷ ୯୦ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ୨୮୧୮କେନ୍ଦ୍ର

ସୂଚନା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫେବ୍ରୁଆରି ୨୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା-୨୦୧୮ (ରେଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ) ପାଇଁ ମୋଟ ୫ଲକ୍ଷ ୯୦ହଜାର ୩୩୦ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୨୮୧୮ଟି ପ୍ରମୁଖ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି। ଏହାଛଡା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ୩୦୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଛି। ଏହା ସହିତ ସଂସ୍କୃତ ଟୋଲ୍‌ ମଧ୍ୟମା ପରୀକ୍ଷା (ଭଉୟ ରେଗୁଲାର ଓ ଏକ୍ସରେଗୁଲାର) ପାଇଁ ୩୨୮୪ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ମଧ୍ୟମା ପରୀକ୍ଷା ପାଇଁ ରାଜ୍ୟରେ ମୋଟ ୪୬ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଏବର୍ଷର ପ୍ରଥମ) ପାଇଁ ୧୩ହଜାର ୯୭୮ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ରାଜ୍ୟରେ ମୋଟ ୧୦୧ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି ବୋଲି ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଏକକାଳୀନ ମାଟ୍ରିକ ପରୀକ୍ଷା ସହିତ ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାଟିଫିକେର୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏସମସ୍ତ ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୩ରୁ ଆରମ୍ଭ ହୋଇ ମାର୍ଚ ୮ତାରିଖରେ ଶେଷ ହେବ। ପରୀକ୍ଷା ପରିଚାଳନା ପାଇଁ ତିି୍ରସ୍ତରୀୟ ସ୍କ୍ଵାଡ ବ୍ୟବସ୍ଥା ଗଠନ କରାଯିବ। ବୋର୍ଡ ପକ୍ଷରୁ ସେଣ୍ଟ୍ରାଲ୍‌ ସ୍କ୍ଵାଡ୍‌, ବିଭିନ୍ନ ଜୋନ ପକ୍ଷରୁ ଜୋନସ୍ତରୀୟ ସ୍କ୍ଵାଡ୍‌ ସମେତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।