ଶୁଭିବନି ଯାତ୍ରା ମଂଚରୁ ସଂଳାପ, ରାସ୍ତାକଡ଼ରେ ବସିବନି ପସରା; ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ଯାତ୍ରାପ୍ରେମୀମାନଙ୍କୁ ହତାଶ ହେବାକୁ ପଡିଛି। ଖଣ୍ଡଗିରି ପାଦଦେଶରେ ଚଳିତ ବର୍ଷ ରଂଗମଚରେ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖିଥିବା ଅନୁଷ୍ଠାନଗୁଡ଼ିକୁ ଶକ୍ତ ଝଟକା ଲାଗିଛି। ଏଥି ସହିତ ନାଟକ ଦେଖିବାକୁ ଆଶା ରଖିଥିବା ଦର୍ଶକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। କେବଳ ସେତିକି ନୁହେଁ ଖଣ୍ଡଗିରି ମେଳାରେ ଗ୍ରାମାଂଚଳରୁ ଆସୁଥିବା ବିଭିନ୍ନ ସାମଗ୍ରୀ କିଣିବାକୁ ଚାହୁଁଥିବା ଲୋକଙ୍କ ଆଶା ମଧ୍ୟ ପୂରଣ ହୋଇପାରିବ ନାହିଁ। ଏହାର କାରଣ ହେଲା ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚଳିତ ବର୍ଷ ‘ଖଣ୍ଡଗିରି ମେଳା’ର ଆୟୋଜନକୁ ଅନୁମତି ପ୍ରଦାନ କରି ନାହାନ୍ତି।

ଖଣ୍ଡଗିରି ମେଳା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ,‌ କୋଭିଡ-୧୯ ମହାମାରୀ ଯୋଗୁଁ ଚଳିତ ବର୍ଷ ମେଳା ଉପରେ କଟକଣା ଲାଗୁ କରାଯାଇଛି। କିନ୍ତୁ କୋଭିଡ-୧୯ କଟକଣା ସହିତ ପରଂପରା ପାଳନ ହେବ। ତେଣୁ ଖଣ୍ଡଗିରି ମେଳାରେ ଷ୍ଟଲ ଲାଗିବ ନାହିଁ ଓ ଯାତ୍ରା ପଡ଼ିବ ନାହିଁ। ଯାତ୍ରା ପାର୍ଟି ଓ କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଖଣ୍ଡଗିରି ପାଦଦେଶରେ ବହୁ ବର୍ଷରୁ ପାରଂପରିକ ମାଘ ସପ୍ତମୀ ମେଳାର ଆୟୋଜନ ହୋଇଆସୁଛି।  ୧୨ ଦିବସୀୟ ଏହି ମେଳାରେ ଗ୍ରାମାଂଚଳର ଜିନିଷ ବିକ୍ରି ହୋଇଥାଏ। ଯାତ୍ରା କଳାକାରମାନେ ରଂଗମଂଚରେ ନାଟକ ଅଭିନୟ କରିଥାନ୍ତି। ସେହିପରି ମୀନାବଜାର ମଧ୍ୟ ବସିଥାଏ। ପାହାଡ଼ ଉ‌ପରେ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ମେଳାକୁ ଅନୁମତି ପ୍ରଦାନ କରିନାହାନ୍ତି।

ସମ୍ବନ୍ଧିତ ଖବର