ଭୁବନେଶ୍ବର: ଏବର୍ଷ ଦୁଇ ଘଣ୍ଟା ବାଣ ଫୁଟିବ। ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ଜନସାଧାରଣ ବାଣ ଫୁଟାଇପାରିବେ। ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଦିଆଯାଇଛି। ଆହୁରି ବି କୁହାଯାଇଛି ଯେ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ବର୍ଜନ କରନ୍ତୁ। ଯେଉଁ ବାଣ ଫୁଟାଇବେ, ତାହାର ଶବ୍ଦ ୧୨୫ ଡେସିବଲ୍‌ରୁ ଅଧିକ ହୋଇ ନ ଥିବା ଆବଶ୍ୟକ। ସର୍ବସାଧାରଣ ସ୍ଥାନ ଯେପରିକି ବଗିଚା, ପାର୍କ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନର ୧୦୦ ମିଟର ଦୂରତା ଭିତରେ ବାଣ ନ ଫୁଟାଇବାକୁ କୁହାଯାଇଛି। ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହାନ୍ତି ତେବେ ତାହା ସବୁଜ ବାଣ ହୋଇଥିବା ଆବଶ୍ୟକ। ଝୁମ୍ପୁଡ଼ି ଘର, ଦୋକାନ ଘର, ଅଗ୍ନିପ୍ରବଣ ସ୍ଥାନ, ରାସ୍ତା ଓ ଅଧିକ ଲୋକ ଯାତାୟାତ କରୁଥିବା ସ୍ଥାନରେ ବାଣଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦିଆଯାଇ ନାହିଁ। ଛୋଟ ପିଲାଙ୍କ ଶରୀର ଉପରେ ଶବ୍ଦ ସୃଷ୍ଟିକାରୀ ବାଣର ପ୍ରଭାବ ପଡ଼ୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଭଳି ପଦକ୍ଷେପ ନେଇଛି। 

Advertisment

ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍‌ କପଡ଼ା ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ପରିବେଶଅନୁକୂଳ ବାଣ (ଗ୍ରିନ୍‌ କ୍ରାର୍କସ) ବ୍ୟତୀତ ଅନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟକୁ ସୁପ୍ରିମକୋର୍ଟ ନିଷେଧ କରିଛନ୍ତି। ବାଣରେ ବେରିଅମ୍‌ ଓ ଅନ୍ୟାନ୍ୟ ନିଷିଦ୍ଧ ରାସାୟନିକ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ହୋଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀ ନିୟମ ଉଲ୍ଲଂଘନ କରନ୍ତି ତେବେ ଓଡ଼ିଶା ଫାୟାର୍‌ କ୍ରାକର୍‌ ଆଣ୍ଡ୍‌ ଲାଉଡ୍‌ ସ୍ପିକର୍‌ (ରେଗୁଲେସନ୍‌) ଆକ୍ଟ ୧୯୫୮ ଓ ନଏଜ୍‌ ପଲ୍ୟୁସନ୍‌ (ରେଗୁଲେସନ୍‌ ଆଣ୍ଡ କଣ୍ଟ୍ରୋଲ) ରୁଲ୍‌ସ ୨୦୦୦ ଅନୁଯାୟୀ ଏହା ଦଣ୍ଡନୀୟ ହେବ। ନିୟମ ଉଲ୍ଲଂଘନ କରୁଥିବା ନଜର ଆସିଲେ କୌଣସି ବ୍ୟକ୍ତିବିଶେଷ ସ୍ବର ଉଠାଇପାରିବେ। ଏ ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳ, ଏଡିଏମ୍‌, ଏସ୍‌ଡିଏମ୍‌, ଏସ୍‌ପି, ଏଏସ୍‌ପି, ଡିଏସ୍‌ପି ଓ ଏସ୍‌ଡିପିଓଙ୍କ ନିକଟରେ ଦାଖଲ କରିପାରିବେ।

ଜନସାଧାରଣଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ବାଣ ଫୁଟାଇବା ସମୟ‌ରେ ନିକଟରେ ପାଣି କିମ୍ବା ବାଲି ରଖିବା, ବାଣକୁ ହାତରେ ଧରି ନ ଫୁଟାଇବା, ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତା ରଖିବା ଆବଶ୍ୟକ। ପ୍ରଥମ ଥରରେ ବାଣ ନ ଫୁଟି‌ଲେ ବାଣକୁ ପୁଣି ଥରେ ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବ୍ୟବହୃତ ବାଣ ଓ ଏହାର ଅବଶିଷ୍ଟକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ବାରା ଅକସ୍ମାତ ଅଗ୍ନିକାଣ୍ଡରୁ ସୁରକ୍ଷା ମିଳିପାରିବ। ପଶୁପକ୍ଷୀଙ୍କ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ସେମାନଙ୍କୁ ବାଣ ଧୂଆଁ ଓ ଶବ୍ଦରୁ ସୁରକ୍ଷା ଦେବା ଆବଶ୍ୟକ। ବୟସ୍କ ଓ ଶ୍ବାସ ରୋଗୀମାନେ ବାଣ ଧୂଆଁରୁ ଦୂରେଇ ରହିବା ସହ ବାଣ ଫୁଟାଇବା ସମୟରେ ଆଖିର ସୁରକ୍ଷା ପାଇଁ ପାରଦର୍ଶୀ ଚଷମା ପିନ୍ଧିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।