ଭୁବନେଶ୍ବର: ରାଜ୍ୟରେ ଭୟଙ୍କର ଗ୍ରୀଷ୍ମପ୍ରବାହ ଯୋଗୁଁ ଓଡ଼ିଶା ଜଳୁଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ସମେତ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, କଳାହାଣ୍ଡି ଆଦି ଜିଲ୍ଲାରେ ତାତି ପାଇଁ ଅସ୍ବାଭାବିକ ମୃତ୍ୟୁ ବଢ଼ୁଛି। ଚଳିତବର୍ଷ ତାତି ପାଇଁ ହଠାତ୍ ଅସ୍ବାଭାବିକ ମୃତ୍ୟୁ ବଢ଼ିବା ୧୯୯୮ ମସିହାରେ ଘଟିଥିବା ଏଭଳି ମୃତ୍ୟୁର ପୁନରାବୃତ୍ତି ବୋଲି କୁହାଯାଉଛି। ୧୯୯୮ ମସିହାରେ ରାଜ୍ୟରେ ପ୍ରଥମଥର ଲାଗି ତାତି ପାଇଁ ଏଭଳି ମୃତ୍ୟୁ ହୋଇଥିଲା। ଭୁବନେଶ୍ବର ଓ କଟକରେ ଏଭଳି ଅସ୍ବାଭାବିକ ମୃତ୍ୟୁ ସମସ୍ତଙ୍କ ନିଦ ହଜାଇ ଦେଇଥିଲା। ଚାଲି ଚାଲି ଯାଉଥିବା କିମ୍ବା ଗାଡ଼ିରେ ଯାଉଥିବା ସମୟରେ ଲୋକମାନେ ଟଳି ପଡ଼ିଥିଲେ। ଏସ୍‌ସିବି ମେଡିକାଲ କଲେଜରେ ମୃତକଙ୍କ ଧାଡ଼ି ଲାଗିଥିଲା। ଏହିବର୍ଷ ୨ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଅଂଶୁଘାତ। ସେହିପରି ୨୦୦୫ ମସିହାରେ ପୁଣିଥରେ ଓଡ଼ିଶାରେ ଅଂଶୁଘାତ ମୃତ୍ୟୁ ଡରାଇଥିଲା। ଏହିବର୍ଷ ସରକାରୀଭାବେ ୨୩୬ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲେ ହେଁ ବେସରକାରୀଭାବେ ଏହି ମୃତ୍ୟୁ ୫ଶହରୁ ଅଧିକ। ୨୦୦୯ ମସିହାରେ ରାଜ୍ୟରେ ଅଂଶୁଘାତ ପାଇଁ ୧୨୦-୧୫୦ଜଣ ଲୋକଙ୍କ ଜୀବନ ଯାଇଥିଲା। ତେବେ ୧୯୯୮ର କରାଳ ଅଂଶୁଘାତ ମୃତ୍ୟୁ ପରେ ରାଜ୍ୟରେ ଚଳିତବର୍ଷ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ କାହିଁକି ମୃତ୍ୟୁ ବଢ଼ିଲା ତାହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।

Advertisment

୨୬ବର୍ଷ ତଳେ ଗ୍ରୀଷ୍ମଋତୁରେ ନିଦ ହଜାଇଥିଲା ଏଭଳି ମୃତ୍ୟୁ
ଅନୁଧ୍ୟାନ ଚାଲିଛି, ଏବେଠାରୁ କିଛି କହିହେବନି : ସ୍ବାସ୍ଥ୍ୟ ବିଭାଗ

ରାଜ୍ୟ ସରକାରଙ୍କ ୩ ଜଣିଆ ଟିମ୍ ଏବେ ରାଉରକେଲା ଓ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଅସ୍ବାଭାବିକ ମୃତ୍ୟୁ ହେଉଛି ତାହାର କାରଣ ଖୋଜା ଚାଲିଛି। ଏହାସହ ଏଭଳି ଲୋକଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଔଷଧପତ୍ର ଉପଲବ୍ଧ ରହିଛି କି ନାହିଁ ତାହାର ଅନୁଧ୍ୟାନ କରାଯାଉଛି। ଟିମ୍‌ର ସଦସ୍ୟ ଏ ସଂପର୍କରେ କିଛି ମୁହଁ ଖୋଲୁ ନାହାନ୍ତି। ସୁନ୍ଦରଗଡ଼ରୁ ଫେରିବା ପରେ ଟିମ୍ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେଉଁ କାରଣ ପାଇଁ ହଠାତ୍ ଏଭଳି ଅସ୍ବାଭାବିକ ମୃତ୍ୟୁ ବଢ଼ିଲା ତାହା ଏବେଠାରୁ କହିବା ମୁସ୍କିଲ୍। କାରଣ ୧୯୯୮ ପରେ ରାଜ୍ୟରେ ଖରାଦିନେ ଲୋକମାନେ ବାଟଘାଟରେ ଟଳି ପଡ଼ିବା ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଏସବୁ ମୃତ୍ୟୁ ଅଂଶୁଘାତ ନା ଆଉ କ’ଣ ତାହା ସ୍ପଷ୍ଟ ହେବ।

ମୃତକଙ୍କ ସୋଡିୟମ, ପୋଟାସିୟମ ସ୍ତର ଠିକ୍ ଥିଲା ନା ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବା ଦରକାର। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର ଓ ଟ୍ରକ୍ ଚାଳକ। ଭୀଷଣ ତାତିରେ କାମ କରିବାର ଅଭ୍ୟସ୍ତ ନ ଥିବା ବ୍ୟକ୍ତି ଯଦି ପିକ୍ ଆୱାରରେ କାମ କରନ୍ତି ତାହାଲେ ଏଭଳି ମୃତ୍ୟୁ ହେବାର ଆଶଙ୍କା ରହିଛି। ‌ଏହାସହ ଗତ ୨ମାସ ରାଜ୍ୟବ୍ୟାପୀ ଭୀଷଣ ଗ୍ରୀଷ୍ଣ ଲହରି ଲାଗି ରହିଛି। ହେଲେ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାହିଁକି ଏଭଳି ମୃତ୍ୟୁ ହେଲା ତାହାକୁ ନେଇ ଆଗକୁ ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।