ଥଇଥାନ ବ୍ୟବସ୍ଥା ଉଠିଲା, ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ କହିଲା ଅଗଣତାନ୍ତ୍ରିକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଯଦି ଚାକିରି କାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେହି ପରିବାରର ଆଇନଗତ ଉତ୍ତରାଧିକାରୀଙ୍କୁ ଚାକିରି ଦେବାର ବ୍ୟବସ୍ଥା ଥିଲା। ଏହାକୁ ଲାଗୁ କରିବାର ଏକ ବର୍ଷ ପୂରଣ ହେବା ମାତ୍ରେ ରାଜ୍ୟ ସରକାର ତାହାକୁ ପୁଣି ପ୍ରତ୍ୟାହାର କରିଥିବା ନେଇ ଗତ ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷକ ଓ କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ବିଡ଼ମ୍ବନା, ଅଗଣତାନ୍ତ୍ରିକ, କର୍ମଚାରୀ ବିରୋଧୀ ମନୋଭାବର ନଗ୍ନ ଉଦାହରଣ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହଲା ଓ ଗୋଲକ ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

ସେମାନେ କହିଛନ୍ତି ଯେ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ଅବଧି ମଧ୍ୟରେ ମୃତାହତ ହେଲେ ସେହି କର୍ମଜୀବୀର ପରିବାର ବା ଉତ୍ତରାଧିକାରୀଙ୍କୁ ସରକାର ଯୋଗ୍ୟତା ଅନୁଯାୟୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା ଥିଲା। ଓଡ଼ିଶା ସରକାର ଏହାକୁ କାଣ୍ଟ ଛାଣ୍ଟ କରି ଯୋଗ୍ୟତାନୁଯାୟୀ ନିଯୁକ୍ତି ନ ଦେଇ କେବଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଲେ। ଆହୁରି ଅଧିକ ବିଡ଼ମ୍ବନା ହେଉଛି ଯେ ରାଜ୍ୟର ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପାଖାପାଖି ୮୦ ହଜାର ଶିକ୍ଷକ କର୍ମଚାରୀଙ୍କ ପାଇଁ ଗୋଟିଏ ବିଶେଷ ପରିସ୍ଥିତିରେ ସରକାର ଏହି ଆଇନ୍‌କୁ ଲାଗୁ କରାଇଥିଲେ। ରୀତାଞ୍ଜଳି ଗିରି ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ମୃତ୍ୟୁବରଣ କଲା ପରେ ଭରଣ ପୋଷଣର କୌଣସି ଉପାୟ ନପାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ପ୍ରଥମେ ସିଙ୍ଗଲ୍ ବେଞ୍ଚ ଓ ପରେ ଡବଲ ବେଞ୍ଚରେ ବିଚାର କରି ଶ୍ରୀମତୀ ଗିରିଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଏହି ବର୍ଗର ଶିକ୍ଷକ କର୍ମଚାରୀଙ୍କର କୌଣସି ଚାକିରି ସର୍ତ୍ତାବଳୀ କିମ୍ବା ପେନ୍‌ସନ୍ ବ୍ୟବସ୍ଥା ନ ଥିବାରୁ ଏହାକୁ ଲକ୍ଷ୍ୟ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍‌କାଳୀନ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶ୍ରୀମତୀ ଗିରିଙ୍କୁ ଥଇଥାନ ବ୍ୟବସ୍ଥାରେ ଚାକିରି ଦେଇଥିଲେ। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେବା ପାଇଁ ୨୦୧୯ ଅଗଷ୍ଟ ୧ରେ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ତେବେ ଗତ ସେପ୍ଟେମ୍ବର ୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି। ଯାହାକି ଦୁର୍ଭାଗ୍ୟର ବିଷୟ ବୋଲି ମଞ୍ଚର ସଦସ୍ୟମାନେ କହିଛନ୍ତି।

ରାଜ୍ୟ ସରକାର ତୁରନ୍ତ ଏହାର ସଂଶୋଧନ କରି ପରିବାର ଥଇଥାନ ବ୍ୟବସ୍ଥା ପୁନଃ ଲାଗୁ କରି ବ୍ୟବସ୍ଥାରେ ସୁଧାର ଆଣନ୍ତୁ। ନଚେତ୍ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମିଳିତମଞ୍ଚ ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ଅଟଳ ବିହାରୀ ବଳ, ଅଶୋକ କୁମାର ମହାପାତ୍ର, ଶତାବୁଦ୍ଦିନ ଅହମ୍ମଦ, ରଞ୍ଜନ କୁମାର ଦାଶ, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର