ଲୁଟ୍ ଘଟଣାର ପର୍ଦାଫାଶ: ହିଞ୍ଜିଳିରୁ ଲୁଟେରା ଗିରଫ, ଉଦ୍ଧାର ସୁନା-ରୂପା ସାମଗ୍ରୀ ମାଲିକଙ୍କୁ ହସ୍ତାନ୍ତର

ଫେରାର ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସର ଚଢ଼ଉ

ରାୟଗଡ଼ା: ଗୁଣପୁର ବାବୁଲି ନଗରରୁ ହୋଇଥିବା ବଡ଼ ଧରଣର ଲୁଟ୍ ମାମଲାର ପର୍ଦାଫାଶ କରିଛି ପୁଲିସ୍। ସଂପୃକ୍ତ ଲୁଟେରାକୁ ପୁଲିସ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁର ଗିରଫ କରିବା ସହ ସୁନା ଓ ରୂପା ସାମଗ୍ରୀକୁ ଜବତ କରିଛି। ଲୁଟରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ବେଳେ ଉଦ୍ଧାର ସୁନା, ରୂପାକୁ ପୁଲିସ୍ ମାଲିକଙ୍କୁ ପ୍ରଦାନ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା।

ସେପ୍ଟେମ୍ବର ୧ ତାରିଖରେ ଗୁଣପୁର ବାବୁଲି ନଗରର ଅବସରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ଘରେ ପଶି ଦୁର୍ବୃତ୍ତ ୨୩ ତୁଳା ସୁନା ସହ ରୂପା ସାମଗ୍ରୀ ଲୁଟି ନେଇଥିଲେ। ଉକ୍ତ ଦିନ ବିନୋଦଙ୍କ ସ୍ତ୍ରୀ, ପୁଅ, ବୋହୂ କୌଣସି କାମରେ ରାୟଗଡ଼ା ଆସିଥିବା ବେଳେ ଅସୁସ୍ଥତା ଯୋଗୁ ବିନୋଦ ଘରେ ଏକା ଥିଲେ। ଦୁର୍ବୃତ୍ତମାନେ କୋରିଅର୍ ବୟ ପରିଚୟ ଦେଇ ଘର କଲିଂ ବେଲ୍ ବଜାଇ ପାର୍ସଲ୍ ନେବାକୁ କହିଥିଲେ। ବିନୋଦ କବାଟ ଖୋଲିବା ପରେ ପାର୍ସଲ୍ ଦେବା ସହ ପାଣି ପିଇବାକୁ ମାଗିଥିଲେ ଦୁର୍ବୃତ୍ତ। ଘର ଭିତରକୁ ଯାଇ ବିନୋଦ ପାଣି ଆଣିବା ପରେ ଦୁର୍ବୃତ୍ତମାନେ ତାଙ୍କ ତଣ୍ଟିରେ ଛୁରୀ ଲଗାଇ ପିନ୍ଧିଥିବା ସୁନା ଚେନ୍, ବ୍ରେସଲେଟକୁ ଛଡ଼ାଇ ନେବା ସହ ଆଲମିରା ଚାବି ମାଗିଥିଲେ। ଜୀବନ ଭୟରେ ବିନୋଦ ଚାବି ଦେବା ପରେ ଆଲମିରା ଭିତରେ ଥିବା ସୁନା, ରୂପା ସାମଗ୍ରୀକୁ ଲୁଟି ନେଇଥିଲେ ଦୁର୍ବୃତ୍ତ।

ଏ ନେଇ ୨ ତାରିଖରେ ବିନୋଦଙ୍କ ପରିବାର ଲୋକ ଗୁଣପୁର ଥାନାରେ ଏତଲା ଦେବା ପରେ ପୁଲିସ୍ ଲୁଟେରାକୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଥିଲା। ଚୋରିରେ ଅନ୍ତଃରାଜ୍ୟ ଲୁଟେରା ସାମିଲ୍ ଥିବା ସନ୍ଦେହ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍ ଟ୍ରାକିଂ ପରେ ପୁଲିସ୍ ଲୁଟେରାର ସନ୍ଧାନ ପାଇବା ପରେ ଗଞ୍ଜାମର ହିଞ୍ଜିଳିକାଟୁ ଅଭିମୁଖେ ଯାଇ କାବୁ କରିଥିଲା। ଗିରଫ ଲୁଟେରା ନିକଟରୁ ପୁଲିସ୍ ସୁନା ହାର, ରାଣୀ ହାର, ସୁନା ଚେନ୍, ଗୋଟିଏ ହଳ ସୁନା ଚୁଡ଼ି, ୮ ହଳ ସୁନା କାନ ଫୁଲ, ୭ଟି ସୁନା ମୁଦି, ଗୋଟିଏ ସୁନା ବ୍ରେସଲେଟ୍, ୨ଟି ମଙ୍ଗଳସୂତ୍ର ଏବଂ ରୂପାର ବିଭିନ୍ନ ସାମଗ୍ରୀକୁ ଜବତ କରିଥିବା ଏସପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଏଥି ସହିତ ଲୁଟେରା ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ୍ ଜବତ କରିଛି।

ସମ୍ବନ୍ଧିତ ଖବର