ଭୁବନେଶ୍ବର: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ମାନସମନ୍ଥନ ହୋଇଛି। ପ୍ଲାଣ୍ଟ ସମ୍ପ୍ରସାରଣରେ ଥିବା ବିଭିନ୍ନ ପ୍ରତିବନ୍ଧକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବୈଠକରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।
ବୈଠକରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ
ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ। ଧର୍ମେନ୍ଦ୍ରଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଗ୍ରହଣ କରିବା ସହ ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଇସ୍ପାତ କ୍ଷେତ୍ର ଏବଂ ପୂର୍ବ ଭାରତ ବିଶେଷ ଭାବରେ ଓଡ଼ିଶାର ଶିଳ୍ପ, ସାମାଜିକ-ଆର୍ଥିକ ବିକାଶ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପ୍ରସାରଣ ଇସ୍ପାତ ଉତ୍ପାଦନର କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ସଶକ୍ତ କରିବ। ଇସ୍ପାତ କ୍ଷେତ୍ରରେ ଆମଦାନୀ ହ୍ରାସ କରିବା ସହ ପ୍ରମୁଖ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାର ଅର୍ଥନୀତି ଅଭିବୃଦ୍ଧିକୁ ଆଗେଇ ନେବା ସହ ଇସ୍ପାତ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏକ ବୃହତ୍ ରୋଜଗାର ସୁଯୋଗ ସୃଷ୍ଟି କରିବ। ଓଡ଼ିଶାରେ ଇସ୍ପାତ କ୍ଷେତ୍ର ପ୍ରତି ଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।