ରାଇରଙ୍ଗପୁର: ମହାବିଷୁବ ସଂକ୍ରାନ୍ତି ଅବସରରେ ବାମନଘାଟୀ ଉପଖଣ୍ଡସ୍ଥିତ ରାଇରଙ୍ଗପୁରର ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କାହିଁ କେଉଁ ଅମଳରୁ ପାଳିତ ହୋଇ ଆସୁଥିବା ଘଟ, ପାଟ, ଆସ୍ଥାର ପ୍ରତୀକ ପ୍ରସିଦ୍ଧ ଚୈତ୍ର ପର୍ବ ବା ଉଡା ପର୍ବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳନ ହେଉଥିବା ଅବସରରେ ଗଡଗ୍ରାମ ଉତ୍ସବ ମୁଖର ହୋଇପଡିଛି। ଏଥିପାଇଁ  ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର ରଙ୍ଗବେରଙ୍ଗର ଆଲୋକମାଲାରେ ସୁସଜ୍ଜିତ ହୋଇ ଝଲସୁଚ୍ଛି। ହଜାର ହଜାର ସଂଖ୍ୟାରେ ବିପୁଳ ଜନସମାଗମ ମଧ୍ୟରେ ପାଳିତ ହେଉଥିବା ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର, ଉଡା ପଡିଆ, ନଦୀକୂଳ  ଇତ୍ୟାଦି ସ୍ଥାନରେ ଭକ୍ତାଙ୍କ ଭିଡ ଦେଖିବାକୁ ମିଳୁଛି।
Advertisment
ପ୍ରତ୍ୟେକ  ବର୍ଷ ଅପ୍ରେଲ ମାସ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିବା ଉଡାପର୍ବରେ ପ୍ରଥମ ଦିବସରେ ଶୁଭଘଟ ଆସିଥିବା ବେଳେ ୧୨ ତାରିଖ ଦ୍ଵିତୀୟ ଦିନରେ ଯାତ୍ରା, କାମନା ଘଟ, ୧୩ ତାରିଖରେ ତୃତୀୟ ଦିବସରେ ଡାଳିଭଙ୍ଗା,ମଧ୍ୟରାତ୍ରୀରେ କାଳୀକା ଘଟ ଓ ଆଜି ଶେଷ ଦୀନରେ ଭୋର ସକାଳୁ ଗୋରିଆ ଭାର ଘଟ ଆସିଥିଲା।ଆଜି ମହାସମାରୋହରେ ଉଡା ପର୍ବ ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିରରେ ଉଡା ପର୍ବ କମିଟି ତରଫରୁ ବ୍ୟାପକ ପ୍ରସ୍ତୁତ ହୋଇଥିଲା। ଧୀରେ ଧୀରେ ମାନସିକ ରଖିଥିବା ଭକ୍ତା ମାନେ ଭିଡ ଜମାଇଥିଲେ।
publive-image
ଚଳିତ ବର୍ଷ ଉଡା ପର୍ବ କମିଟି ସଭାପତି ଭାବେ କାଳୀଚରଣ ସାହୁ, ଉପସଭାପତି ସଞ୍ଜୟ ମହାନ୍ତି, ସମ୍ପାଦକ ଅଭିଜିତ ମହାନ୍ତି, ସହ ସମ୍ପାଦକ ନିହାର ବେହେରା, କୋଷାଧକ୍ଷ ଦୀପକ ଡଗରା, ଯୁଗ୍ମ କୋଷାଧ୍ୟକ୍ଷ ଟୁକୁଲୁ ମହାନ୍ତି ପ୍ରମୁଖ ସଦସ୍ୟଙ୍କ ସହ ମିଶି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ପ୍ରତ୍ୟେକ ଦିନ
ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି, ଓଡିଶୀ, ଛଉ ଇତ୍ୟାଦି ପରିବେଷିତ ହେଉଛି। ଏଥିପାଇଁ ସମଗ୍ର ଗଡ ଗ୍ରାମ ଉତ୍ସବ ମୁଖର ହୋଇପଡିଛି।
ଆଜି ଅପରାହ୍ନରେ ମାନସିକଧାରୀ ଭକ୍ତାମାନେ ଖଡଖାଇ ନଦୀରେ ସ୍ନାନ କରି ନବବସ୍ତ୍ର ପରିଧାନ କରି ପାରମ୍ପାରିକ ରୀତିନୀତି ଅନୁସାରେ ନଦୀକୂଳରେ ସମବେତ ପୂଜାର୍ଚ୍ଚନା  କରିଥିଲେ। ଏହି ସମୟରେ ସମଗ୍ର ଖଡଖାଇ ନଦୀକୂଳେ ବାଦ୍ୟ ଓ ଦେବ ଦେବ ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା। ଲୋକେ ଖଣ୍ଡା ପାଟ, ମଡାପାଟ, ରଜନୀଫୋଡା, ପାଟଭକ୍ତାଙ୍କ ରୀତିନୀତି ଅନୁସାରେ ହୋଇଛି। ସେହିପରି ଅପରାହ୍ନରେ ଉଡାପଡିଆରେ ସୁଉଚ୍ଚ ଖୁଣ୍ଟରେ ଅଣ୍ଟାରେ ଦଉଡି ବାନ୍ଧି ଉଡିବା ଦୃଶ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା। ଚଳିତ ବର୍ଷ ସୁଚାରୁ ରୂପେ ଶାନ୍ତି ଶୃଂଖଳାର ସହ ଉଡାପର୍ବ ପାଳନ ପାଇଁ ଉଡାପର୍ବ କମିଟି ତଥା ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା ।