ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି: ବିଜେପି

ଓଡ଼ିଶାର ସଫଳତାକୁ ବଦନାମ କରିବା ପାଇଁ ବିଜେପିର ଉଦ୍ୟମ : ବିଜେଡି

ଭୁବନେଶ୍ୱର : ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଠି ପାତରଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଏହି ଯୋଜନାରେ ଆଖିବୁଜା ଦୁର୍ନୀତି ଚାଲିଛି। ୧ ଲକ୍ଷରୁ ଅଧିକ ଘର ବଣ୍ଟନରେ ଅନିୟମିତତା ହୋଇଛି ଓ ଏକ ହଜାର କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି।

ସୋମବାର ଏଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିିଲେ, ‌ଗତ କିଛି ଦିନ ତଳେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ୫ଟି ଜିଲ୍ଲାର ୯ଟି ବ୍ଲକକୁ ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ଟିମ୍ ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ତାଙ୍କ ପିତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଇସା ପାଇଛନ୍ତି। କଟକ ଜିଲ୍ଲା ନିଆଳି ବ୍ଲକରେ ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ୟାଗିଂ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ଼ ଷ୍ଟିକର ଲଗାଯାଇଛି। ଏହି ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତନ କରାଯାଇଛି। ମନରେଗାରେ ୯୦ ଦିନର ଘର ନିର୍ମାଣ ପାଇଁ ମଜୁରୀ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରି ନାହାନ୍ତି। ୫ଟି ଜିଲ୍ଲାର ୯ଟି ବ୍ଲକରୁ ଏହି କେଳେଙ୍କାରୀର ତଥ୍ୟ ଆସିଛି। ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ସାରା ରାଜ୍ୟରେ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଫନି ବାତ୍ୟା ପରବର୍ତୀ ସମୟରେ ପକ୍କା ଘର ବଣ୍ଟନରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପଦାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଣ୍ଟନ ଶୂନ ରହିଥିବା ବେଳେ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ମାତ୍ର ୪ଟି ଘର ଆବଣ୍ଟନ କରାଯାଇଛି। ଏହି ଆକାଂକ୍ଷୀ ଜିଲ୍ଲା ପ୍ରତି ରାଜ୍ୟ ସରକାର କେତେ ସମ୍ବେଦନଶୀଳ, ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏସବୁକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୭, ୮ ଓ ୯ ତାରିଖ ତିନି ଦିନ ଧରି ରାଜ୍ୟର ସବୁ ବ୍ଲକ ସାମ୍ନାରେ ବିଜେପି ପକ୍ଷରୁ ପ୍ରତିବାଦ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଏବଂ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାର ସଫଳତାକୁ ବଦନାମ କରିବା ପାଇଁ ବିଜେପିର ଉଦ୍ୟମ : ବିଜେଡି
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ହତାଶ ହୋଇପଡ଼ିଥିବା କର୍ମୀମାନଙ୍କ ମନୋବଳ ବଢ଼ାଇବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ। ପଶ୍ଚିମବଙ୍ଗରେ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟ‌ରେ ଦେଖାଦେଇଥିବା ସାଂଗଠନିକ ସମସ୍ୟାକୁ ନେଇ ଦଳର ନେତା ଓ କର୍ମୀ ନିରାଶ ହୋଇପଡ଼ିଛନ୍ତି। ଅବସ୍ଥା ଏପରି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ବାସ ନାହିଁ। ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ।

ବିଜେଡି ମୁଖପାତ୍ର କହିଛନ୍ତି, ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜେପି ନେତୃତ୍ବରେ କେନ୍ଦ୍ରରେ ପରିଚାଳିତ ସରକାର ଓଡ଼ିଶାକୁ ପୁରସ୍କୃତ କରୁଥିବା ବେଳେ ଶ୍ରୀ ମହାନ୍ତି ଗ୍ରାମାଞ୍ଚଳ ଗୃହ ନିର୍ମାଣ ‌କ୍ଷେତ୍ରରେ ଓଡ଼ିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହା ହେଉଛି ଗୋଟିଏ ହାତ କ’ଣ କରୁଛି, ତାହା ଅନ୍ୟ ହାତ ଜାଣିପାରୁନି। ଆମେ ଆଶା କରୁଛୁ ଯେ ବିଜେପିର ଜ୍ଞାନ ଉଦୟ ହେବା ସହିତ ସେମାନେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଓଡ଼ିଶାକୁ ବଦନାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଶଂସିତ ଓଡ଼ିଶାର ଗ୍ରାମୀଣ ଗୃହ ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ। ମିଥ୍ୟା ଅଭିଯୋଗ ଆଣି ଓଡ଼ିଶାକୁ ବଦନାମ ଉଦ୍ୟମ କରୁଥିବା ବିଜେପିକୁ ଓଡ଼ିଶାବାସୀ କେବେ ହେଲେ କ୍ଷମା କରିବେ ନାହିଁ। ଯେଉଁ ଗରିବ ଲୋକମାନେ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି, ଶସ୍ତା ରାଜନୀତି ଦ୍ବାରା ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଉଦ୍ୟମ କରୁଥିବା ବିଜେପିକୁ କେବେ ହେଲେ ସେମାନେ କ୍ଷମା କରିବେ ନାହିଁ। ଏହା ଆହୁରି ଦୁର୍ଭାଗ୍ୟଜନକ ଯେ କେବିକେ ଅଞ୍ଚଳ ଓ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବିଶେଷ ଭାବେ ଘର ତିଆରିକୁ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର