ଭିସୁଟ୍କୁ ହଜାରେ କୋଟି, ସମଲେଇ ଯୋଜନାର ସମୀକ୍ଷା କଲେ ମୁଖ୍ୟ ସଚିବ ଓ ୫ଟି ସଚିବ
ସମନ୍ବିତ କଂପ୍ଲେକ୍ସ ଓ ଲେଡିଲୁଇସ୍ ପରିଦର୍ଶନ
ସମ୍ବଲପୁର : ରାଜ୍ୟର ସର୍ବପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ପ୍ରତି ଶେଷରେ ସରକାରଙ୍କ ଦୃଷ୍ଟିପଡ଼ିଛି। ଭିସୁଟ୍କୁ ଆଇଆଇଟି, ଏନ୍ଆଇଟି ପରି ଜାତୀୟସ୍ତରର ଅନୁଷ୍ଠାନ ଢାଞ୍ଚାରେ ବୈଷୟିକ ଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ୧୫ଦିନ ମଧ୍ୟରେ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ ହୋଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଖୁବ୍ଶୀଘ୍ର ଅନୁମୋଦନ ହୋଇ କାମ ଆରମ୍ଭ ହେବ। ବର୍ତ୍ତମାନ ୫ ହଜାର ବିଦ୍ୟାର୍ଥୀ ଥିବା ଭିସୁଟ୍ର କ୍ଷମତା ଭବିଷ୍ୟତରେ ୧୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି ବୋଲି ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଓୟୁଟିଆର୍ (ସିଇଟି)କୁ ୧୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବା ପରେ ଭିସୁଟ୍ ପ୍ରତି କେବେ ଦୃଷ୍ଟିଦେବେ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଶେଷରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଆସି ଭିସୁଟ୍ର ବିକାଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି।
ଗୁରୁବାର ଦିନ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ସମ୍ବଲପୁର ଗସ୍ତରେ ଆସି ପ୍ରଥମେ ଭିସୁଟ୍ ଯାଇଥିଲେ। ସେଠାରେ ଏକାଡେମିକ୍ ବ୍ଲକ୍, ଶ୍ରେଣୀ ଗୃହ, ପରୀକ୍ଷାଗାର, ବିଶ୍ବେଶ୍ବରାୟ ପ୍ରେକ୍ଷାଳୟ, ପୁଲହ ଓ ବଶିଷ୍ଠ ଛାତ୍ରାବାସ, ବିଜୁ ପଟ୍ଟନାୟକ ଇ-ଲାର୍ନିଂ ସେଣ୍ଟର୍ ଆଦି ପରିଦର୍ଶନ କରିଥିଲେ। କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସମସ୍ୟା, ସୁବିଧାସୁଯୋଗ ଓ ଭବିଷ୍ୟତ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ୍ ଡାଇନିଂ ହଲ୍ ଯାଇ ପିଲାମାନେ ଖାଉଥିବାବେଳେ ଓ ଶ୍ରେଣୀ କୋଠରିରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ବୈଜାମୁଣ୍ଡାଠାରେ ନିର୍ମିତ ଭବ୍ୟ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ନିରାଶ୍ରିତ, ଭିକ୍ଷୁକ ଓ ଅସହାୟ ଲୋକଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରିଥିଲେ। ସେଠାରେ ମଧ୍ୟ ଅନ୍ତେବାସୀଙ୍କ ସଂଖ୍ୟା ବୃଦ୍ଧିକରି ୫୦୦ ଲୋକଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହାପରେ ୫ଟି ସ୍କୁଲ୍ ଭାବେ ବିକଶିତ ହୋଇଥିବା ସହରର ସର୍ବପୁରାତନ ବାଳିକା ଉଚ୍ଚବିଦ୍ୟାଳୟ ଲେଡିଲୁଇସ୍ ପରିଦର୍ଶନ କରିଥିଲେ। ସେଠାରେ ଶିକ୍ଷକ, ଛାତ୍ରୀ ଓ ପୁରାତନ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ସମଲେଇ ଯୋଜନାରେ ଚାଲିଥିବା ମନ୍ଦିର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟର ତଦାରଖ କରିଥିଲେ। ମୁଖ୍ୟ ସଚିବ ଓ ୫-ଟି ସଚିବ କିଛି ସେବାୟତ ଓ ଜନସାଧାରଣଙ୍କ ସହ ଆଲୋଚନା ବି କରିଥିଲେ।