ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟିରେ ସଂସ୍କାର ଆଣିବା ପାଇଁ ନେକ୍ସଟ ଜେନ୍ ଜିଏସ୍ଟି ଲାଗୁ ହୋଇଛି। ଏହାଦ୍ବାରା ଓଡ଼ିଶା ଅଧିକ ଉପକୃତ ହେବ। କେବଳ କୋଇଲାରୁ ଜିଏସ୍ଟି ବାବଦକୁ ବର୍ଷକୁ ପ୍ରାୟ ହଜାରେ କୋଟି ଟଙ୍କା ପାଇବ। କୋଇଲା ଦାମ୍ କମିବ। ତାପଜ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମିବ। ଏହା ଦ୍ବାରା ଲୋକଙ୍କୁ ବିଦ୍ୟୁତ୍ ବିଲ୍ରେ ୟୁନିଟ୍ ପିଛା ୧୭ରୁ ୧୮ପଇସା କମିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ନେକ୍ସଟ ଜେନ୍ ଜିଏସ୍ଟି ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାକୁ ବିଧାନସଭାରେ ଆସିଥିବା ସଂକଳ୍ପ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପୂର୍ବରୁ କୋଇଲା ଉପରେ ୫%ଜିଏସ୍ଟି ସହ ଟନ୍ ପିଛା ସେସ୍ ୪୦୦ଟଙ୍କା ଆଦାୟ ହେଉଥିଲା। ଏମିତିରେ କୋଇଲା ଟନ୍ ପ୍ରାୟ ୧୪୫୦ଟଙ୍କା ରହୁଥିଲା। କିନ୍ତୁ ସେସ୍ ବାବଦକୁ ଆଦାୟ ଅର୍ଥ ଓଡ଼ିଶା ଟଙ୍କାଟିଏ ବି ପାଉନଥିଲା। ଏବେ ସେସ୍ ଆଦାୟ ବନ୍ଦ ହୋଇଥିବା ବେଳେ କେବଳ ୧୮% ଜିଏସ୍ଟି ଲାଗୁ ହେବ। ଏହା ଦ୍ବାରା ପୂର୍ବାପେକ୍ଷା ଆମେ କୋଇଲା ଟନ୍ ପିଛା ରାଜ୍ୟ ଜିଏସ୍ଟି ବାବଦକୁ ୬୫ଟଙ୍କା ଅଧିକ ପାଇବୁ। ପ୍ରାଥମିକ ଆକଳନ ଅନୁଯାୟୀ, ଆମେ ବର୍ଷକୁ ହଜାରେ କୋଟିରୁ ଅଧିକ ପାଇବୁ। ସେହିପରି କୋଇଲା ଟନ୍ ପିଛା ବି କମିକି ୧୧୮୦ଟଙ୍କା ହେବ। ଏହାଦ୍ବାରା ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବ, ଉପଭୋକ୍ତା କମ୍ ବିଦ୍ୟୁତ୍ ବିଲ୍ ଦେବେ ବୋଲି ସେ କହିଛନ୍ତି।
ସମସ୍ତେ ସ୍ବଦେଶୀ ଜିନିଷ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଛନ୍ତି, ଏହାଦ୍ବାରା କୋଟି କୋଟି ଏମ୍ଏସ୍ଏମ୍ଇକୁ ସାହାଯ୍ୟ ମିଳିବ। ଏହା ଦେଶର ୬୦% ଅର୍ଥନୀତି। ପ୍ରଧାନମନ୍ତ୍ରୀ ଏମ୍ଏସ୍ଏମ୍ଇକୁ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶା ଆଗାମୀ ଦିନରେ ଉତ୍ପାଦନ ହବ୍ ହେବାକୁ ଯାଉଛି। ଏହା ‘ମେକ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ୱାର୍ଲଡ’ ଉପରେ ଆଧାରିତ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁପତ୍ର ଉପରେ ଜିଏସ୍ଟି ୫% ହେବା ଦ୍ବାରା କେନ୍ଦୁ ପତ୍ର େତାଳାଳିଙ୍କୁ ତାଙ୍କର ଉଚିତ ମୂଲ୍ୟ ବିଭିନ୍ନ ସଂସ୍ଥା ଠାରୁ ଠିକ୍ ସମୟରେ ମିଳିବ। କୃଷି ସାମଗ୍ରୀ ଉପରେ ଜିଏସ୍ଟି କମିବା ଦ୍ବାରା କୃଷକର ଆର୍ଥିକ ପ୍ରଗତି ହେବ। ସମସ୍ତ ଘରକରଣା ଜିନିଷ ଉପରେ ଜିଏସ୍ଟି ଛାଡ଼ ହୋଇଛି ନଚେତ୍ ବହୁତ କମିଛି। ଏହା ଦ୍ବାରା ଗୃହିଣୀମାନଙ୍କ ମଧ୍ୟରେ ଖୁସି ଖେଳି ଯାଇଛି। ଆଗାମୀ ଦିନରେ ସମସ୍ତଙ୍କ ଘର ଖର୍ଚ୍ଚ କମିବ। ତେଣୁ ମୁଁ ସବୁ ସ୍ବାମୀମାନଙ୍କୁ ଅନୁରୋଧ କରୁଛି ସରକାରଙ୍କ ଠାରୁ ପାଉଥିବା ଛାଡ଼ ଟଙ୍କା (ଯାହା ବେପାରୀଙ୍କୁ ଦେଉଥିଲେ) ତାକୁ ନିଜ ପକେଟରେ ନରଖି ନିଜ ନିଜ ଗୃହିଣୀମାନଙ୍କୁ ଦିଅନ୍ତୁ। ଏଥର ଜିଏସ୍ଟି ଛାଡ଼ ଯୋଗୁ ପୂଜା ବଜାର ଜମିବ। ସମେସ୍ତ ଅଧିକ କିଣାକିଣି କରିବେ ବୋଲି ଆଶା କରୁଛୁ।
ଏବେ କେବଳ ୧୫୦୦ସିସିରୁ କମ୍ କାର୍ ମୂଲ୍ୟ କମିଛି ବୋଲି କହିଲେ ହେବନି। ଦାମୀ କାର୍ ମୂଲ୍ୟ ବି କମିଛି। ପୂର୍ବରୁ ୨୮% ଜିଏସ୍ଟି, ୨୦% ସେସ୍ ମିଶାଇ ୪୮% ଆଦାୟ ହେଉଥିବାବେଳେ ଏବେ ଏହାକୁ କେବଳ ୪୦% ଜିଏସ୍ଟିରେ ସୀମିତ ରଖାଯାଇଛି। ଏହା ଦ୍ବାରା ସବୁ ବର୍ଗର ଲୋକ ଉପକୃତ ହେବେ। ଜିଏସ୍ଟି ସୁଧାର ପାଇଁ କେବଳ ମୋଦୀଙ୍କୁ ଧନ୍ୟବାଦ ଦେବା ଉପରେ ବିରୋଧୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଟିମ୍ର ଯିଏ କ୍ୟାପଟେନ୍ ସେ ଆଗ ଶ୍ରେୟ ପାଏ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଗ ଧନ୍ୟବାଦ। ଏହାସହ ଜିଏସ୍ଟି କାଉନସିଲ ବୈଠକରେ ଯେଉଁ ରାଜ୍ୟମାନେ ସାମିଲ୍ ହୋଇ ଏହି ନିଷ୍ପତ୍ତି ନେଇଥିଲେ ସେ ସମସ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଧନ୍ୟବାଦ ଜଣାଉଛୁ।
ତେଣୁ ଏହି ସମର୍ଥନ ପ୍ରସ୍ତାବ ସଂକଳ୍ପକୁ ପବିତ୍ର ଗୃହରେ ଗୃହୀତ କରିବାକୁ ଅନୁରୋଧ କରୁଛି। ଏହାପରେ ବାଚସ୍ପତି ବାଚନିକ ଭୋଟ୍ରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପ ଗୃହୀତ ହେଲା ବୋଲି କହିଥିଲେ। ଆଜି ଏହି ସଂକଳ୍ପ ଆଲୋଚନାରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ଦୁଷ୍ମନ୍ତ କୁମାର ସ୍ବାଇଁ ଭାଗ ନେଇଥିଲେ।