ପିପିଲି : ପବିତ୍ର ନିର୍ମଳ ପୁଣ୍ୟତୋୟା ଦୟାନଦୀ ଏବେ ଜହର ପାଲଟିଛି। ପିପିଲି କଣ୍ଟିଠାରୁ କାକୁଡ଼ିଆ ମଧ୍ୟରେ ଦୟାନଦୀରେ ଲକ୍ଷାଧିକ ମଲା ମାଛ ଆଜି ଭାସୁଥିବା ଦେଖିବାକୁ ମିଳୁଛି। ରୋହି, ଭାକୁର, ମିରିକାଳି, କଉ, ପୋହଳା, ଫଳି ଆଦି ମାଛ ନଦୀରେ ମରି ଭାସୁଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ମାଛ ମରୁଥିବା କାରଣ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ବୋଲି କୁହାଯାଉଛି। ନିସ୍ତେଜ ହୋଇ ଭାସୁଥିବା ମାଛଗୁଡ଼ିକୁ ସ୍ଥାନୀୟ ଲୋକେ ଲୋଭରେ ଧରୁଥିବାବେଳେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବା ସନ୍ଦେହରେ ଖାଉନଥିବା ଜଣାଯାଇଛି। ଆଜି ଦିନସାରା ଏହାକୁ ଦେଖିବା ପାଇଁ ପିପିଲି ଓ ଜଟଣୀ ଅଞ୍ଚଳରେ ଲୋକେ ଦୟାନଦୀ କୂଳରେ ଭିଡ଼ ଜମାଇଥିଲେ।

Advertisment

ସୂଚନା ଅନୁସାରେ, ୨୦୨୨ ଅକ୍ଟୋବର ୩୧ରେ କେନ୍ଦ୍ର ସିଏଜିର ସହାୟକ ଲେଖା ଅଧିକାରୀ ରାଜୀବ କୁମାର ଓ ଜଳସମ୍ପଦ ବିଭାଗର ଏକ ଟିମ୍‌ ଦୟାନଦୀର କାକୁଡ଼ିଆ, ଭଁସର ଆଦି ଗାଁଠାରେ ଦୟାନଦୀକୁ ଅନୁଧ୍ୟାନ କରି ପ୍ରଦୂଷିତ ଜଳ ଓ ଶହଶହ ପଲିଥିନ୍‌ ଭାସୁଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ। ଖୁବ୍‌ଶୀଘ୍ର ଦୟାନଦୀ ପ୍ରଦୂଷଣ ସଂକ୍ରାନ୍ତରେ ସିଏଜି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ରାଜୀବ କୁମାର ସେତେବେଳେ କହିଥିଲେ। ଭୁବନେଶ୍ବର ସହରର ସମସ୍ତ ନାଳନର୍ଦ୍ଦମା ଓ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଏହି ଗଙ୍ଗୁଆ ନାଳ ଦେଇ ଦୟାନଦୀରେ ଆସି ମିଶୁଛି। ପ୍ରତିଦିନ ଏହି ଗଙ୍ଗୁଆ ନାଳ ଦେଇ ୫୬୨ କ୍ୟୁସେକ୍‌ ଦୂଷିତ ଜଳ ଦୟାନଦୀରେ ମିଶୁଥିବାରୁ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍‌ ଅନ୍ତର୍ଗତ ୧୫୦ରୁ ଅଧିକ ଗାଁର ଅଧିବାସୀ ଏହି ପ୍ରଦୂଷିତ ନଦୀଜଳ ଦ୍ବାରା ପ୍ରଭାବିତ ହେଉଛନ୍ତି। ଦୟାନଦୀ ପାଣିରେ ବର୍ଷସାରା ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଛି। ନଦୀ ଅବବାହିକାର ଲୋକମାନେ ବିଭିନ୍ନ ଚର୍ମରୋଗ ଓ ପେଟରୋଗ ଆକ୍ରାନ୍ତ ହେଉଛନ୍ତି।

ଭୁବନେଶ୍ବରସ୍ଥିତ ବିଭିନ୍ନ ଶିଳ୍ପାଞ୍ଚଳ ଓ ହସ୍ପିଟାଲରୁ ନିର୍ଗତ କେମିକାଲ୍‌ ଓ ବ୍ୟାକ୍ଟେରିଆଯୁକ୍ତ ଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ ପ୍ରତିଦିନ ଦୟାନଦୀରେ ମିଶୁଛି। ଫଳରେ ନଦୀରେ ଥିବା ମାଛମାନେ ରୋଗାକ୍ରାନ୍ତ ହେଉଛନ୍ତି। ବିଶୋଧକ ଯନ୍ତ୍ର ସାହାଯ୍ୟରେ ଗଙ୍ଗୁଆ ପାଣିକୁ ବିଶୋଧନ କରି ଦୟାନଦୀକୁ ଛଡ଼ାଯିବ ବୋଲି ୧୦ ବର୍ଷ ହେବ ଡ୍ରେନେଜ୍‌ ବିଭାଗ ସ୍ତରରୁ ଶୁଣିବାକୁ ମିଳୁଛି। ଯୁଦ୍ଧକାଳୀନ ଭିତ୍ତିରେ ସରକାର ଦୟାନଦୀ ଜଳକୁ ଯଦି ପ୍ରଦୂଷଣ ମୁକ୍ତ କ୍ଷେତ୍ରରେ ପଦକ୍ଷେପ ନ ନିଅନ୍ତି ତେବେ ଦୟା ସୁରକ୍ଷା ଅଭିଯାନ ଏଠାରେ ଏକ ବଡ଼ଧରଣର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।