କୋରାପୁଟରେ ବର୍ଷା ବିତ୍ପାତ : ଗୁପ୍ତେଶ୍ୱର ରାସ୍ତା ବିଚ୍ଛିନ୍ନ, ଫସିଛନ୍ତି ହଜାର ହଜାର କାଉଡ଼ିଆ

କୋରାପୁଟ/ବୈପାରିଗୁଡ଼ା : କୋରାପୁଟରେ ଏବେ ବର୍ଷା ବିତ୍ପାତ! ଲଗାଣ ବର୍ଷାରେ ସନ୍ତୁଳି ହୋଇ ଯାଇଛନ୍ତି ଲୋକମାନେ। ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହେବା ସହିତ ପାଖାପାଖି ୧୦୦୦ଟି ଘର ଭାଙ୍ଗି ଯାଇଛି। ଆଜି ବର୍ଷା ଯୋଗୁ ପୋଲ ଉପରେ ପାଣି ଆସିବାରୁ ଓ ରାସ୍ତା ଧୋଇ ଯିବାରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆସନ୍ତାକାଲି ସୋମବାର ଏଠାକୁ ଜଳାଭିଷେକ କରିବାକୁ ଆସିଥିବା ହଜାର ହଜାର କାଉଡ଼ିଆ ଫସିକି ରହିଛନ୍ତି।

ସୂଚନା ଅନୁସାରେ, ବୈପାରିଗୁଡାରୁ ଗୁପ୍ତେଶ୍ୱରକୁ ଯାଇଥିବା ରାସ୍ତାର ସୁକନାକ ପୋଲ ଉପରେ ଆଜି ସନ୍ଧ୍ୟାରୁ ୨ ଫୁଟ ଉଚ୍ଚରେ ପାଣି ଚାଲିଛି। ପ୍ରବଳ ବର୍ଷା ଯୋଗୁଁ ପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଗୁପ୍ତେଶ୍ୱରଙ୍କୁ ଜଳାଭିଷେକ କରିବାକୁ ବାହାରିଥିବା ୧୫ ହଜାରରୁ ଅଧିକ ଭକ୍ତ ଅଧା ରାସ୍ତାରେ ଅଟକି ରହିଛନ୍ତି। ବର୍ଷା ଲାଗି ରହିଥିବାରୁ ପୋଲ ଉପରୁ ପାଣି କମିନି। ପୁଣି ମାଓ ଉପଦ୍ରୁତ ଅଂଚଳ ହୋଇଥିବାରୁ ଏବଂ ରାତି ହୋଇ ଯାଇଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ବୋଲବମ ଭକ୍ତ ବୈପାରିଗୁଡା ଓ ରାମଗିରି ପାଖରେ ଅଟକି ରହିଛନ୍ତି। କିଛି ଦିନ ତଳେ ଏହି ପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇ ଯାଇଥିଲା। ପ୍ରଶାସନ ପକ୍ଷରୁ ଏହାକୁ ପରେ ମରାମତି କରାଯାଇଥିଲା। କିନ୍ତୁ ଆଜି ଅପରାହ୍ନରୁ ପ୍ରବଳ ବର୍ଷା ହେବା ଫଳରେ ଏହା ପୁଣି ଥରେ ଧୋଇ ହୋଇ ଯାଇଛି।

ଲଘୁଚାପ ଜନିତ ବର୍ଷା ଆଜି ସମଗ୍ର ଜିଲ୍ଲାକୁ କବଳିତ କରିଛି । ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ସମଗ୍ର ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ବର୍ଷା ଜଳ ପ୍ରଭାବିତ ହେବା ସହ ଗମନାଗମନ ବି ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୩୮୨.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୯୦ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୬୭ ମିମି, ଲମତାପୁଟରେ ୧୮.୨ ମିମି, ପଟାଙ୍ଗି ୨୮ ମିମି, ନନ୍ଦପୁରରେ ୪୬.୬ ମିମି, ଦଶମନ୍ତପୁରରେ ୨୧ ମିମି, ଲକ୍ଷ୍ମୀପୁରରେ ୧୫ ମିମି, ଜୟପୁର ୨୬ ମିମି, କୋଟପାଡରେ ୪ ମିମି, କୁନ୍ଦୁରାରେ ୨୮ ମିମି, ବୋରିଗୁମ୍ମାରେ ୩ ମିମି, ବୈପାରିଗୁଡ଼ାରେ ୩୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଫଳରେ କୋଲାବ ଜଳଭଣ୍ଡାରର ଜଳସ୍ତର ବି ବୃଦ୍ଧି ପାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ଆଜି ସକାଳ ସୁଦ୍ଧା ଏଠାରେ ଜଳସ୍ତର ୮୫୪.୮୯ ମିଟରରେ ପହଞ୍ଚିଛି। ଆଜି ଲଗାଣ ବର୍ଷା ହୋଇଥିବାରୁ ଆସନ୍ତାକାଲି ଏହା ୮୫୫ ମିଟରକୁ ପାର୍‌ କରିଯିବ। ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୮୫୦ମିଟରରୁ ସାମାନ୍ୟ ଅଧିକ ଥିଲା। ଏଥର ସାଢେ ୫ ମିଟର ଅଧିକ ପାଣି ଥିବାରୁ ଏବଂ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରର ଫାଟକ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର