ସମ୍ବଲପୁର : ଶନିବାର ଦୀପାବଳି ଅବସରରେ ମା’ ସମଲେଶ୍ୱରୀଙ୍କଠାରେ ପ୍ରଜ୍ଜ୍ବଳନ ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରାୟ ଏକ ହଜାର ଦୀପ ପଠାଇଛନ୍ତି। କେବଳ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ନୁହେଁ, ରାଜ୍ୟର ବିଭିନ୍ନ ପ୍ରମୁଖ ଦେବୀ ପୀଠରେ ଜଳାଇବା ପାଇଁ ସବ୍ୟସାଚୀ ୬ ହଜାର ଦୀପ ପ୍ରେରଣ କରିଛନ୍ତି। ତେବେ ଏହି ଦୀପ ଜଳାଇବା ପଛରେ ଏକ ରୋଚକ କାହାଣୀ ରହିଛି।

Advertisment

ଭୁବନେଶ୍ୱର ଉପକଣ୍ଠ ବାଳକାଟିର ଜଣେ ପ୍ରୌଢ଼ ମହିଳା ବିଦୁଲତା ଦେଇ। ତାଙ୍କର ୧୫ ବର୍ଷିର ନାବାଳିକା ଝିଅଟିଏ ଅଛି। ଲକ୍‌ଡାଉନ୍‌ ଚାଲିଥିବା ବେଳେ କିଛି ମାସ ତଳେ ପାଣିରେ ବୁଡ଼ି ସ୍ୱାମୀଙ୍କ ମୃତ୍ୟୁ ହେବାପରେ ଅସହାୟ ହୋଇ ପଡ଼ିଲେ ମା’ଝିଅ। କେମିତି ପରିବାର ‌ପ୍ରତିପୋଷଣ କରିବେ ସେହି ଚିନ୍ତାରେ ବିଦୁଲତାଙ୍କ ମାନସିକ ସନ୍ତୁଳନ ବି ଦୋହଲି ଯାଇଥିଲା। ତେବେ ପ୍ରାୟ ମାସେ ତଳେ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଲେ ଅଭିନେତା ସବ୍ୟସାଚୀ। ସେ ମା’ଝିଅଙ୍କୁ ଭେଟି ଚଳିବା ପାଇଁ ଆବଶ୍ୟକ ସହାୟତାର ହାତ ବଢ଼ାଇଲେ। ଜୀବନ ସଂଗ୍ରାମରେ ହାର ନ ମାନି ନିଜ ଗୋଡ଼ରେ ଛିଡ଼ା ହୋଇ ବଞ୍ଚିବାକୁ ପ୍ରେରଣା ଦେଲେ।

ବିଦୁଲତାଙ୍କ ପରିବାର ଜାତି ଓ ବୃତ୍ତିରେ କୁମ୍ଭାର ହୋଇଥିବାରୁ ମାଟିକାମ ଛଡ଼ା ସେମାନଙ୍କୁ ଆଉ କିଛି ଜଣା ନଥିଲା। ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମାଟିରେ କିଛି ଗଢ଼ି ପାରିବେ ସେହି ଆତ୍ମବିଶ୍ୱାସ ହରାଇ ବସିଥିଲେ ବିଦୁଲତା। ସବ୍ୟସାଚୀଙ୍କ ପ୍ରେରଣାରେ ସେ ପୁଣିଥରେ ମାଟି କାମ କରିବାକୁ ପ୍ରସ୍ତୁତ ହେଲେ। ଦୀପାବଳିରେ ଯେତେ ବି ଦୀପ ତିଆରି କରିବେ ତାକୁ ୫ ଗୁଣା ମୂଲ୍ୟରେ କିଣି ନେବେ ବୋଲି ପ୍ରତିଶ୍ରୁତି ଦେଲେ ସବ୍ୟସାଚୀ। ଏହାପରେ ଅସହାୟ ବିଦୁଲତାଙ୍କ ମନରେ ନୂଆ ଆଶାର ସଂଚାର ହୋଇଥିଲା। ଏକଦା ଗୋଟିଏ ବି ଦୀପ ତିଆରି କରିପାରିବା ନେଇ ସଂଦିହାନ ଥିବା ଏହି ମହିଳା ନିଜ ଝିଅ ସହାୟତାରେ ଦିନକୁ ୩୦୦ରୁ ୪୦୦ ଦୀପ ଗଢ଼ିବା ଆରମ୍ଭ କଲେ। ଦୀପାବଳି ପୂର୍ବ ପର୍ଯ୍ୟନ୍ତ ସେମାନେ ମିଶି ୬ ହଜାର ଦୀପ ଗଢ଼ିବାରେ ସଫଳ ହେଲେ। ଯାହାକୁ ସବ୍ୟସାଚୀ ଉପଯୁକ୍ତ ମୂଲ୍ୟ ଦେଇ କିଣି ନେଇଛନ୍ତି।

ଏତେ ଗୁଡ଼ିଏ ଦୀପ ସି‌ନା କିଣିଲେ, ତାକୁ କରିବେ କଣ? ତେଣୁ ମା’ଝିଅଙ୍କ ମଙ୍ଗଳ ମନାସି ତଥା ଓଡ଼ିଶାବାସୀଙ୍କ ସୁଖସମୃଦ୍ଧି କାମନା କରି ଏହାକୁ ରାଜ୍ୟର ସମସ୍ତ ଦେବୀ ପୀଠରେ ପ୍ରଜ୍ଜ୍ବଳନ କରିବାକୁ ମନସ୍ଥ କରିଥିବା ‘ସମ୍ବାଦ’କୁ କହିଛନ୍ତି ସବ୍ୟସାଚୀ। ଏହି କ୍ର‌ମରେ ମାଁ ସମଲେଶ୍ୱରୀଙ୍କ ନିକଟରେ ସହସ୍ର ଦୀପ ଲାଗି ହେବାକୁ ପହଞ୍ଚିଛି।