ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଧାନମଣ୍ଡିରେ ଚାଷୀଙ୍କ ଧାନ ଉଠି ପାରୁ ନାହିଁ। କମ୍ ଟାଗେର୍ଟ ଥିବାରୁ ମଣ୍ତିରେ ଧାନ ବସ୍ତା ଥାକି ମାରି ଶୀତ କାକରରେ ଚାଷୀମାନେ ଧାନ ଜଗିରହିଛନ୍ତି। ତୁଷୁରା- ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଅବସ୍ଥିତ ଆର୍ଏମ୍ସିଠାରେ ତୁଷୁରା ସମବାୟ ସମିତି ପକ୍ଷରୁ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି। ଟୋକନ ପାଇବା ପରେ ଚାଷୀମାନେ ମଣ୍ଡିକୁ ଧାନ ଆଣି ପକାଇଛନ୍ତି। ହେଲେ ଟାର୍ଗେଟ କମ୍ ଥିବାରୁ ତାହା କ୍ରୟ କରାଯାଉ ନାହିଁ। ଗତ ବର୍ଷ ଏହି ମଣ୍ତିରୁ ପ୍ରାୟ ୨୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା।
ଚଳିତ ବର୍ଷ ୨୪୮ଜଣ ଚାଷୀଙ୍କଠାରୁ ମୋଟ ୧୬୫୭୨.୮୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ବର୍ତମାନ ମଣ୍ତିରେ ୮ଜଣ ଚାଷୀଙ୍କ ପ୍ରାୟ ଏକ ହଜାର ପ୍ୟାକେଟ ଧାନ ରଖାଯାଇଛି। ଏତେ ଧାନ ପଡ଼ିଥିଲେ ମଧ୍ୟ ମାତ୍ର ୨ ଶହ କୁଇଣ୍ଟାଲ ଧାନର ଟାଗେର୍ଟ ରହିଛି। ବହୁ ଚାଷୀଙ୍କ ଟୋକନ ଆସିଥିବାରୁ କାହାକୁ ଆଗ ସୁଯୋଗ ଦିଆଯିବ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଶୁକ୍ରବାର କୌଣସି ମିଲର ଟ୍ରକ୍ ପଠାଇଲେ କେବଳ ୨ଜଣ ଚାଷୀଙ୍କ ଧାନ ଯିବ ବୋଲି କହିଛନ୍ତି ପେକ୍ସ ସଂପାଦକ ଶୁଭେନ୍ଦୁ ପ୍ରକାଶ ଭୋଇ। ତେଣୁ ଶୀଘ୍ର ଟାଗେର୍ଟ ବଢ଼ାଇବା ସହ ଧାନ କ୍ରୟ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।