ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧମା ରେଞ୍ଜ ଅନ୍ତର୍ଗତ ଶିତଲେନପାଲି ବନ ସୁରକ୍ଷା ସମିତିରେ ଗାତ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଡିଏଫ୍ଓ ଡ. ସଞ୍ଜିତ କୁମାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ରେଞ୍ଜ୍ରେ ଦୁର୍ନୀତିର ଚେର ବେଶ୍ ଗଭୀର ହୋଇଥିବା ସମୟରେ ଆର୍ଥିକ ଅନିୟମିତତାର ଗୋଟିଏ ପରେ ଗୋଟିଏ ଚିତ୍ର ଏବେ ସାମ୍ନାକୁ ଆସୁଛି। ଗତ ଜୁଲାଇ ମାସରେ କୋଲଗାଁ ବନ ସୁରକ୍ଷା ସମିତିରେ ୪୫ ହେକ୍ଟର ଜମିରେ ଗଛ ଲଗାଇବା ପାଇଁ ଆସିଥିବା ୫ ଲକ୍ଷ ଟଙ୍କାକୁ ଆତ୍ମସାତ୍ କରି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଶହ ଶହ ଚାରାକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସେପଟେ, ଏହି ଚାରାକୁ ପୋତା ଯାଇଥିବା ଦର୍ଶାଇ ସଫେଇ, ମାଟିଖୋଳା, ଗଛ ପୋତାରୁ ନେଇ ପରିଚାଳନା ଓ ଜାଲି ଲଗାଯିବା ଯାଏ ଲକ୍ଷାଧିକ ଟଙ୍କା ସରକାରୀ ବାବୁ ଆତ୍ମସାତ୍ କରି ଦେଇଥିବା ଅଭିଯୋଗ ହୋଇଛି। ସେପଟେ, ଯେଉଁ ୫ ହଜାର ଚାରା ଲାଗିଥିଲା ସେଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାଉଣା ବି ମିଳିଲାନି। ଶେଷରେ ପୋତା ହୋଇଥିବା ଗଛ ଗୁଡ଼ିକ ମଧ୍ୟ ଏବେ ନିଜର ଅସ୍ତିତ୍ବ ଖୋଜିବାରେ ଲାଗିଛନ୍ତି। କିନ୍ତୁ ସବୁ ଜାଣି ମଧ୍ୟ ନିଜ ପକେଟ ଗରମ ହେବା ପରେ ବନ ବିଭାଗର ଅଧିକାରୀମାନେ ଚୁପ୍ ହୋଇ ବସିରହିଛନ୍ତି। ଘଟଣା ନେଇ ଧମା ରେଞ୍ଜର ଆଲୋକ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରେ ଏ ସମ୍ପର୍କରେ କୌଣସି ଉତ୍ତର ଦେଇ ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଧମା ରେଞ୍ଜ କୋଲଗାଁ ବନ ସୁରକ୍ଷା ସମିତିରେ ଗତ ଜୁଲାଇ ମାସରେ ୪୫ ହେକ୍ଟର ଜମିରେ ଚାରା ରୋପଣ ପାଇଁ ବନ ବିଭାଗ ପକ୍ଷରୁ ଟଙ୍କା ଓ ଚାରା ପ୍ରଦାନ କରା ଯାଇଥିଲା। ୩୦ ହଜାର ଚାରା ବନ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସମୟରେ ପ୍ରତି ଗଛ ପୋତାହେବା ଠାରୁ ନେଇ ପରିଚାଳନା ପାଇଁ ମୋଟ ୫ ଲକ୍ଷ ଟଙ୍କା ଆସିଥିଲା। ଏଏନ୍ଆର୍ ମୋଡ୍ରେ ହେଉଥିବା ବୃକ୍ଷରୋପଣ ପାଇଁ ହେକ୍ଟର ପିଛା ୪୦୦ ଗଛ ଓ ଫୁଏଲ ଫଡର ମୋଡରେ ଚାଲିଥିବା ବୃକ୍ଷରୋପଣ ପାଇଁ ହେକ୍ଟର ପିଛା ୧୬୦୦ ଚାରା ଆସିଥିଲା। ସେହି ସମୟରେ ଏହି କୋଲଗାଁ ବିଟ୍ ଫରେଷ୍ଟ ଗାର୍ଡ ଅସୁସ୍ଥ ଥିବାରୁ ତତ୍କାଳୀନ ଫରେଷ୍ଟର ହେମସାଗର ସାହୁ ବନ ସୁରକ୍ଷା ସମିତିର ଦାୟିତ୍ବରେ ଥିଲେ। ବନ ସୁରକ୍ଷା ସମିତିକୁ ଆସିଥିବା ଏହି ପ୍ରକଳ୍ପରେ ଗ୍ରାମର ମୋଟ ୬୦ ଜଣଙ୍କୁ ନିୟୋଜିତ କରା ଯାଇଥିଲା। ୧୫ ଦିନ ମଧ୍ୟରେ କାମ ଶେଷ କରା ଯାଇଥିଲେ ହେଁ ଶ୍ରମିକଙ୍କୁ ସେମାନଙ୍କ ପାଉଣା ନଦେଇ କାମ ସାରି ଦେଇଥିଲେ। ସେତେବେଳକୁ ମୋଟ ୫ ହଜାର ଗଛ ପୋତା ଯାଇଥିବା ସମୟରେ ଅନ୍ୟ ସମସ୍ତ ଗଛକୁ ଜଙ୍ଗଲ ଭିତରେ ଫିଙ୍ଗି ଦିଆ ଯାଇଥିଲା। ଜଙ୍ଗଲ ଭିତରେ ଏହି ବୃକ୍ଷରୋପଣ ହୋଇଥିବାରୁ ଚାରା ଫିଙ୍ଗିବା ଘଟଣା ମଧ୍ୟ ଲୋକଲୋଚନକୁ ଆସିପାରିନଥିଲା। ଏବେ ମଧ୍ୟ ପଲିଥିନ୍ ଗୁଡ଼ା ଯାଇଥିବା ଚାରା ମଧ୍ୟରୁ କିଛି ମାଟିରେ ପଡ଼ି ହୋଇଥିବା ଦୁର୍ନୀତିର କଥା କହୁଛି। ଆଉ ବାକି ସବୁ ମାଟିରେ ପୋତିହୋଇଗଲାଣି।
ଏହି ସମୟରେ ପ୍ରତିଟି ଗଛ ପୋତିବା ପାଇଁ ଖୋଳା ଯାଇଥିବା ଗାତ ପିଛା ୧୦ ଟଙ୍କା ଲେଖାଏଁ ଆସିଥିଲା। କିନ୍ତୁ ଗ୍ରାମବାସୀଙ୍କୁ ମଜୁରିରେ କାମ କରାଇ ଜଣଙ୍କ ଦ୍ବାରା ଦିନକୁ ୬୦ଟି ଲେଖାଏଁ ଗାତ ଖୋଳାଇ ସେମାନଙ୍କୁ ୩୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା। ଏଭଳି ସ୍ଥିତିରେ ପ୍ରତିଟି ଗାତ ପିଛା ଜଣେ ଶ୍ରମିକଙ୍କୁ ୫ ଟଙ୍କା ଲେଖାଏ ଦିଆ ଯାଉଥିଲା। ସେପଟେ, ପ୍ରତିଟି ଗଛ ପୋତିବା ପାଇଁ ୩ ଟଙ୍କା, ସଫେଇ ପାଇଁ, ତାର ଜାଲି ପାଇଁ ଓ ବାଉଁଶ ରାଞ୍ଜ ପାଇଁ ଟଙ୍କା ଆସିଥିଲା। କିନ୍ତୁ ଗଛ ପରିଚାଳନା ଟଙ୍କା ଖର୍ଚ୍ଚ ହେବା ତ ଦୂରର କଥା ଶ୍ରମିକଙ୍କୁ ସେମାନଙ୍କ ପାଉଣା ମଧ୍ୟ ଦିଆଯାଇ ନଥିଲା। ଏହି ଅଞ୍ଚଳରେ ରହୁଥିବା ଲୋକେ ଶ୍ରମିକ ଶ୍ରେଣୀର ହୋଇଥିବା ସମୟରେ ସେମାନଙ୍କ ପାଉଣା ମାସ ମାସ ଧରି ନମିଳିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି। ସେପଟେ, ଶ୍ରମିକଙ୍କୁ ସେମାନଙ୍କ ଟଙ୍କା ପ୍ରଦାନ କରା ନଯିବାରୁ ଆସିଥିବା ଚାରା ମଧ୍ୟ ରୋପଣ ନକରି ସେଗୁଡ଼ିକୁ ଜଙ୍ଗଲ ଭିତରେ ଫିଙ୍ଗି ଦିଆ ଯାଇଥିଲା। ଗଛ ପରିଚାଳନା ଟଙ୍କା ମଧ୍ୟ ଆତ୍ମସାତ୍ ହୋଇଥିବା ସମୟରେ ଏହି ଗଛମଧ୍ୟରୁ ହାତଗଣତିକୁ କିଛି ଛାଡ଼ିଦେଲେ ବାକି ଗଛ ଗୁଡ଼ିକର ଆଉ ଅସ୍ତିତ୍ବ ହିଁ ନାହିଁ। ଏ ସମ୍ପର୍କରେ ବନବିଭାଗର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ତଦନ୍ତ ପାଇଁ ରେଞ୍ଜରଙ୍କୁ ଚିଠି ଲେଖା ଯାଇଥିଲା ଓ ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ କୌଣସି କାରଣରୁ ତାହା ଆଗେଇ ପାରି ନଥିଲା ବୋଲି କହିଛନ୍ତି।